ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍: ସ୍ମୃତି ଇରାନୀ
ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଗାନ୍ଧି ଏବଂ ଭଦ୍ରା ପରିବାରକୁ “ଫ୍ୟାମିଲି ପ୍ୟାକେଜ୍’ ବୋଲି କହିଛନ୍ତି । ଗଣମାଧ୍ୟମ ରିପୋର୍ଟର ଉଦାହରଣ ଦେଇ ସେ କହିଥିଲେ, ରାହୁଲ ଗାନ୍ଧି ଏବଂ ଏଚ୍ଏଲ୍ ପହୱାନ୍ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇସାରିଛି । ଏହି ରିପୋର୍ଟ ଆଧାରରେ ସ୍ମୃତି କହିଛନ୍ତି, ଏହା ହିଁ ପ୍ରମାଣ କରିଦେଉଛି ଏହି ଦୁଇ ପରିବାର, ପାରିବାରିକ ଦୁର୍ନୀତିର ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଜବତ ଦସ୍ତାବିଜ୍ରୁ ଜଣାପଡ଼ିଛି ରବର୍ଟ ଭଦ୍ରା ଜମି ଦୁର୍ନୀତିର କେବଳ ଏକ ଅଂଶ ଥିଲେ । କଂଗ୍ରେସ ଗତ ୭୦ ବର୍ଷରେ କେବଳ ଦୁର୍ନୀତି ଦେଇଛି କହିବା ସହିତ ସେ କହିଛନ୍ତି, ରାହୁଲ ଗାନ୍ଧି ଦୁର୍ନୀତିର ପ୍ରକୃତ ମୁହଁ । ସେ ଏ ବାବଦରେ ଉତ୍ତର ରଖିବା ସହିତ ସଞ୍ଜୟ ଭଣ୍ଡାରୀଙ୍କ ସହିତ ତାଙ୍କର ସମ୍ପର୍କ ବାବଦରେ ମୁହଁ ଖୋଲିବାର ଆବଶ୍ୟକତା ରହିଛି । ଗାନ୍ଧି ଏବଂ ଭଦ୍ରା ପରିବାର ଏ ଦେଶ ସହିତ ଧୋକାବାଜି କରିଛନ୍ତି ବୋଲି ସେ କହିଛନ୍ତି ।


