ଗାନ୍ଧୀଙ୍କ ସେଇ ତିନୋଟି ବାଣୀ ଆଜି ଇତିହାସରେ ଲିପିବଦ୍ଧ ଏକ କାହାଣୀ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅକ୍ଟୋବର ୨ ତାରିଖରେ ଓଡ଼ିଶା ସମେତ ସାରା ଭାରତରେ ପାଳିତ ହୋଇଯାଇଛି । ଏହା ପୂର୍ବରୁ ଗତ କିଛିଦିନ ଧରି ରାଜ୍ୟରେ ଲଗାତର ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ତଥା ବେସରକାରୀ ଅନୁଷ୍ଠାନ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀଙ୍କ ନୀତି, ଆଦର୍ଶ ଓ ଜୀବନୀକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଗାନ୍ଧୀ ବିଚାରକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦିଆଯାଇଥିଲା । ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନ ଠାରୁ ଅରମ୍ଭ କରି ଲବଣ ସତ୍ୟାଗ୍ରହ, ଆଇନ୍ ଅମାନ୍ୟ ଆନ୍ଦୋଳନ, ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ସହ ସ୍ୱଚ୍ଛତା, କୁସଂସ୍କାର, ସର୍ବଧର୍ମ ପ୍ରତିଷ୍ଠା ଓ ସର୍ବୋପରି ଖଦୀ ଆନ୍ଦୋଳନରେ ଜଡ଼ିତ ରହି କୋଟି କୋଟି ଭାରତୀୟଙ୍କ ଆତ୍ମାରେ ଅମର ହୋଇ ରହିଛନ୍ତି । ଗାନ୍ଧି ଜଣେ ବ୍ୟକ୍ତି ନଥିଲେ, ବରଂ ଥିଲେ ଜଣେ କାଳଜୟୀ, ଗୋଟେ ବିଶ୍ୱ ବିଜୟୀ ବିଚାର । ଗାନ୍ଧୀଙ୍କ ନୀତି, ଆଦର୍ଶ, ମାର୍ଗ ଓ ବିଚାର ସହ ମନାନ୍ତର ଥିଲେ ବି ଗାନ୍ଧିଜୀ ସମସ୍ତଙ୍କୁ ଆପଣାର କରି ନେଉଥିଲେ, ସମସ୍ତଙ୍କ କଥା ବୁଝୁଥିଲେ ଭିନ୍ନ ଭିନ୍ନ ମତକୁ ସମ୍ମାନ ଦେବାରେ ଗାନ୍ଧିଜୀ ଥିଲେ ଦୃଢ ଓ ବଦ୍ଧପରକର । ସଦାଚାର, ସଦ୍ଭାବ ଓ ସଂହତି ତାଙ୍କ ବିଚାରର ପ୍ରାଣକେନ୍ଦ୍ର ଥିଲା । ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ ଯେ, ଅହିଂସା ଓ ଅସହଯୋଗର ଅମୋଘ ଅସ୍ତ୍ରରେ ଗାନ୍ଧିଜୀ ବ୍ରିଟିଶ ଶାସନକୁ ବିବସ୍ତ୍ର ଓ କବଳିତ କରି ଦେଇଥିଲେ । ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ଥିଲା ଅହିଂସା ପରମ ଧର୍ମ । ସାରା ବିଶ୍ୱବାସୀ ଏବେ ବି ଏହି ମନ୍ତ୍ରକୁ ଆଦରି ନେଇଛନ୍ତି । ସମଗ୍ର ଭାରତ ବର୍ଷକୁ ଅହିଂସା ନୀତିରେ ବାନ୍ଧି ରଖିବାକୁ ସେ ବଦ୍ଧପରିକର ଥିଲେ । ସବୁ ପ୍ରକାର ଘାତ ଓ ପ୍ରତିଘାତର ସମ୍ମୁଖୀନ ହୋଇ ଅନେକ ଥର ଜେଲ୍ ଦଣ୍ଡ ଭୋଗି ଶେଷରେ ଭାରତକୁ ସ୍ୱାଧୀନ ଆଣିଦେବାରେ ଥିଲା ଗାନ୍ଧିଜୀଙ୍କ ଅତୁଳନୀୟ ଅବଦାନ । ଠିକ୍ ଭାରତକୁ ସ୍ୱାଧୀନତା ଦେବା ପରେ ପରେ ଆତତାୟୀଙ୍କ ଗୁଳିରେ ହେ ରାମ କହି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଗାନ୍ଧିଜୀ । ସେହି ଦିନ ଠାରୁ ସାରା ଭାରତବର୍ଷରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇ ଆସୁଅଛି । ଗାନ୍ଧିଜୀଙ୍କର ଉପଦେଶ ଥିଲା ‘କୁଟି ଖାଅ, କାଟି ପିନ୍ଧ’ ଓ ବିଦେଶୀ ବସ୍ତ୍ରକୁ ବର୍ଜନ କର । କିନ୍ତୁ ବାସ୍ତବରେ ଯେ ଗାନ୍ଧିଜୀଙ୍କ କଥାକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ଆମ କଥାକୁହା ନେତା ଓ ନକଲି ଗାନ୍ଧୀବାଦୀଙ୍କ ‘ଲୁଟି ଖାଅ, ଠକି ଚାଲ’ ଉକ୍ତିରୁ ଜଣାପଡ଼େ । ଅବଶ୍ୟ ଏବେ ବି ଭାରତ ତଥା ଓଡ଼ିଶାରେ ଅନେକ ଅସଲି ଗାନ୍ଧିବାଦୀ ଅଛନ୍ତି ଯେଉଁମାନେ କି ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ, ଯେଉଁମାନେ କି ଗାନ୍ଧିଙ୍କ ନୀତି ଓ ଆଦର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମମାନ କରି ଆସୁଛନ୍ତି ସେମାନେ ଆମର ଚିର ନମସ୍ୟ । ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଗାନ୍ଧିଜୀ ଅନେକଥର ଓଡ଼ିଶା ଗ୍ରସ୍ତରେ ଆସିଛନ୍ତ । ଏହି ଗ୍ରସ୍ତ ସମୟରେ ଓଡ଼ିଶାର ଉକ୍ରଟ ଦାରିଦ୍ର‌୍ୟ କରୁଣ ଦୃଶ୍ୟ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସେ ବିଚଳିତ ହୋଇ କହିଥିଲେ ଓଡ଼ିଶାର ଦାରିଦ୍ର‌୍ୟର ଛବି ମୋ ଆଖି ସାମ୍ନାରେ ନାଚିଯାଉଛି । ଯଦି ଓଡ଼ିଶାବାସୀଙ୍କୁ ଦାରିଦ୍ର‌୍ୟର ଦୂରୀକରଣ ପାଇଁ ଖାଦ୍ୟ ଗଣ୍ଡାଏ ଯୋଗାଇଦେଇ ପାରିଲେ, ତେବେ ତାହା ହିଁ ହେବ ଓଡ଼ିଶାବାସୀଙ୍କ ପାଇଁ ପ୍ରକୃତ ସ୍ୱରାଜ୍ୟ । ଏକଦା ଓଡ଼ିଶାବାସୀଙ୍କ ଗରିବୀ ପଣିଆକୁ ହୃଦ୍ବୋଧ କରି ଗାନ୍ଧିଜୀ ତାଙ୍କ ପୋଷାକରେ ପରବିର୍ତ୍ତନ ଆଣି ଖଦୀ ଓ ଚଦରକୁ ଆପଣେଇ ନେଇଥିଲେ । ଗାନ୍ଧିଜୀଙ୍କ ଏହି ଗ୍ରସ୍ତ ଓଡ଼ିଶାର ମହିଳାମାନଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା । ଗାନ୍ଧିଜୀ କହିଥିଲେ ନାରୀ ସଶକ୍ତିକରଣ ବିନା ଓଡ଼ିଶାର ବିକାଶ ଅସମ୍ଭବ । ତାଙ୍କର ଏହି ଉକ୍ତିଟି ସେତେବେଳେ ସମଗ୍ର ଓଡ଼ିଶାର ନାରୀ ଜାତିକୁ ଜାଗ୍ରତ କରିଥିଲା । ବହୁ ସଂଖ୍ୟାରେ ମହିଳା ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ବାପୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନରେ ତଥା ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ବହୁ ନାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବାପୁଙ୍କ ଏହି ଓଡ଼ିଶା ଗ୍ରସ୍ତ ସମୟରେ ତାଙ୍କର ବକ୍ତବ୍ୟ ଥିଲା କୃଷିର ବିକାଶ ହେଲେ ଓଡ଼ିଶାର ବିକାଶ ସମ୍ଭବପର । ତେଣୁ ଖଦୀ ଓ କ୍ଷୁଦ୍ର ଶିଳ୍ପ ଉପରେ ସେ ଜୋର୍ ଦେଇଥିଲେ । ଏକଦା ଗାନ୍ଧୀ ସାଙ୍ଗ ପିଲାମାନଙ୍କ ସହିତ ମିଶି ଛେଳିଟିଏ ମାରି ଭୋଜିଭାତ କରି ଖାଇଥିଲେ । ସେଦିନ ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିଥିଲେ ଯେଉଁ ଛେଳିଟିକୁ ଭୋଜିକରି ଖାଇଥିଲେ, ସେହି ଛେଳିଟି ତାଙ୍କ ପେଟ ଭିତରେ ମେଁ ମେଁ କରି ବୋବାଉଛି । ଛେଳିଟିକୁ ମାରି ଭୋଜି କରି ଖାଇଥିବାରୁ ସେ ଖୁବ୍ ଅନୁତାପ କରିଥିଲେ ଓ ସେହି ଦିନ ଠାରୁ ସେ ଆମିଷ ଭୋଜନକୁ ପରିତ୍ୟାଗ ସବୁଦିନ ପାଇଁ ସାତ୍ତ୍ୱିକ ଭୋଜନକୁ ଗ୍ରହଣ କରିନେଇଥିଲେ । ଗାନ୍ଧିଜୀଙ୍କ ତିନୋଟି ବାଣି ଥିଲା ‘ଖରାପ କଥା ଶୁଣିବି ନାହିଁ, ଖରାପ କଥା କହିବି ନାହିଁ, ଖରାପ କଥାଦେଖିବି ନାହିଁ’ । ଆଜି କିନ୍ତୁ ସାରା ଭାରତବର୍ଷରେ ଏହି ତିନୋଟି ବାଣିକୁ କାର୍ଯ୍ୟକାରୀ କରିବାକୁ ଯାଇ ‘ଖରାପ କଥା ଶୁଣିବା, ଖରାପ କଥା କହିବା ଓ ଖରାପ କଥା ଦେଖିବା’ କଥାକୁହା ନେତା ଓ ନକଲି ଗାନ୍ଧୀବାଦୀଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ଗାନ୍ଧୀଙ୍କ ଖଦୀ ପୋଷାକ ପିନ୍ଧିବାକୁ ଉଦ୍ବୋଧନ ଦେଉଥିବା ବେଳେ ଅସଲରେ ଏମାନେ ବଡ଼ ବଡ଼ ପାର୍ଟି ତଥା ସଭା ସମିତିକୁ ଗଲାବେଳେ ସବୁଠୁ ଦାମିକିଆ ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଥାନ୍ତି । ବାସ୍ତବରେ ଦେଖିବାକୁ ଗଲେ ଏହି ତଥା ନକଲି ଗାନ୍ଧୀବାଦୀଙ୍କର ଗାନ୍ଧିଜୀଙ୍କ ପ୍ରତି ତିଳେମାତ୍ରେ ଆନ୍ତରକିତା ନାହିଁ କିମ୍ବା ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏମାନେ କୁଣ୍ଠାବୋଧ କରନ୍ତି । ଯିଏ ଯେତେ ଖରାପ କଥା ଶୁଣିପାରିଲା, ଯିଏ ଯେତେ ଖରାପ କଥା କହିପାରିଲା, ଯିଏ ଯେତେ ଖରାପ କଥା ଦେଖିପାରିଲା, ସିଏ ସେତେ ଚର୍ଚ୍ଚାକୁ ଆସିପାରିଲା । ଗାନ୍ଧି ଜୟନ୍ତୀ ପାଖେଇ ଆସିଲେ ଏମାନଙ୍କର ମନେ ପଡ଼ିଯାଏ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଥା । ଗାନ୍ଧୀ ଜୟନ୍ତୀରେ ଗାନ୍ଧିଙ୍କ ବେକରେ ଫୁଲ ମାଳଟିଏ ପକାଇଦେଇ ଖଦଡ଼ ପୋଷାକଟିଏ ପରିଧାନ କରି ଗାନ୍ଧିଙ୍କ ବିଷୟରେ ପୁଳାଏ ଭାଷଣ ବାଜି ଦେଇ ଗଣମାଧ୍ୟମର ମଣ୍ଡନ କରିବାରେ ଏମାନେ ସିଦ୍ଧହସ୍ତ । ଗାନ୍ଧୀଙ୍କ ଅଖଣ୍ଡ ପ୍ରଭାବ ଓ ଲୋକ ପ୍ରିୟତାରେ ଅସହିଷ୍ଣୁ ହୋଇ ତାଙ୍କ ବିରୁ୍ଦ୍ଧରେ କୁତ୍ସାରଟନା କରିବା ସହ ଦେଶରେ ବିଭାଜନ ସୃଷ୍ଟି କରି ଆସୁଥିବା ତଥା ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା କିଛି ଶକ୍ତି ଓ ସଂଗଠକ ରାଜନୀତି ସମୟରେ ଓ ଗାନ୍ଧୀ ଜୟନ୍ତୀ ପାଖେଇ ଆସିଲେ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଆଜିର ଯୁବପଢୀ ମାନେ ଅନୁପ୍ରାଣିତ ହୋଇପାରିଲେ ଦେଶର ବିକାଶ ସମ୍ଭବ ହେବା ସହିତ ଗାନ୍ଧିଜୀଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ଲମ୍ବା ଲମ୍ବା ଭାଷଣବାଜି ଦେଇ ବାସ୍ତବରେ ଗାନ୍ଧିଜୀଙ୍କୁ ଅପମାନିତ କରି ଚାଲିଛନ୍ତି । ସେହିପରି ନାରୀଜାତିକୁ ସମ୍ମାନ ଦେବା ତଥା ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବା ଗାନ୍ଧିଜୀ ଏକଦା କହିଥିଲେ, ଯେଉଁଦିନ ଜଣେ ନାରୀ ନିଶାର୍ଦ୍ଧରେ ଏକୁଟିଆ ନିର୍ଭୟରେ ଚାଲି ଯାଇପାରିବ, ସେହିଦିନ ଆମ ଦେଶ ସ୍ୱାଧୀନ ହେଲା ବୋଲି ଧରି ନିଆଯିବ । କିନ୍ତୁ ଏବେ ବି ଆମେ ସ୍ୱାଧୀନ ହୋଇଛୁ ବୋଲି ଅନୁଭବ କରିପାରୁନୁ । କାରଣ ଆଜି ନାରୀ ଅବହେଳିତ । ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢିଚାଲିଥିବା ବେଳେ ସ୍ପଷ୍ଟ ଦିବାଲୋକରେ ନାବାଳିକାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ସବୁଠାରୁ ଦଃଖ ଓ ପରିତାପର ବିଷୟ ପ୍ରତି ଦୁଷ୍କର୍ମ ପଛରେ ରହିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ । ଫଳରେ ଅଭିଯୁକ୍ତମାନେ ପୁନର୍ବାର ଏଭଳି ଘୃଣ୍ୟ କାମ କରିବାକୁ ସାହସ କରୁଛନ୍ତି । ଏହିମାନଙ୍କ ପାଇଁ ଗାନ୍ଧିବାଦ ଆଜି କବର ତଳେ । ଗାନ୍ଧୀଙ୍କର ସେହି ତିନୋଟି ବାଣୀ ଆଜି ଇତିହାସରେ କାହାଣୀ ହୋଇ ରହିଯାଇଛି । ତେଣୁ ବେଳ ଥାଉ ଥାଉ ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ, ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ତଥା ବିଚାରଧାରାକୁ ନେଇ ସ୍ୱତନ୍ତ୍ର ତାଲିମ୍ ଦିଆଯାଏ ଏବଂ ଗାନ୍ଧିିଜୀଙ୍କର ତିନୋଟି କଥା ‘ଖରାପ କଥା ଶୁଣିବି ନାହିଁ, ଖରାପ କଥା କହିବି ନାହିଁ, ଖରାପ କଥା ଦେଖିବି ନାହିଁ’କୁ ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟରେ ଛାତ୍ର ଓ ଯୁବ ସମାଜକୁ ଏହାର ତାତ୍ପର୍ଯ୍ୟଟିକୁ ବୁଝାଇ ଦିଆଯାଏ, ଖଦୀ ବସ୍ତ୍ରକୁ ଗୁଡ଼େଇ ହୋଇଗଲେ ହେବ ତାହା ନୁହେଁ, ବରଂ ଖଦୀ ବିଷୟରେ ଆତ୍ମ ସମୀକ୍ଷା କରାଯାଇ ପାରିଲେ ନିଶ୍ଚୟ ସଫଳ ମିଳିପାରିବ ଏବଂ ତାହା ହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର                                                                                                                                                               ସୁବାସ କୁମାର ତାରଣିଆଁ                                                                                                                                                                                       ମୋ : ୮୩୨୮୮୪୦୨୧୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ