ଗାନ୍ଧୀ ଜୟନ୍ତୀ ପାଇଁ କବିତା ଓ ପ୍ରବନ୍ଧ ପ୍ରତିଯୋଗିତା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଗାନ୍ଧୀ ଜୟନ୍ତୀ ଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳନ ହେବ । ଏଥିପାଇଁ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଗଞ୍ଜାମଙ୍କ ପକ୍ଷରୁ ମିଳିତ ଭାବେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ଗାନ୍ଧିଜୀ ଓ ଓଡିଶା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଭର୍ଚୁଆଲ ମୋଡ଼ରେ ଛାତ୍ର ଛାତ୍ରୀ ମାନଙ୍କ ସକାଶେ ପ୍ରବନ୍ଧ ଲିଖନ ଏବଂ ବକୃତା ପ୍ରତିଯୋଗିତା ହେବା ନିଶ୍ଚିତ ହୋଇଛି । ଜିଲ୍ଲାର ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ(କନିଷ୍ଠ ବର୍ଗ),ଓ ଯୁକ୍ତ ୨ଏବଂଯୁକ୍ତ ୩ (ବରିଷ୍ଠ ବର୍ଗ) ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉକ୍ତ ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବ । ପ୍ରବନ୍ଧ ଲିଖନରେ ଅଂଶ ଗ୍ରହଣ କରିବାକୁ ଇଛୁକ ଥିବା ଛାତ୍ର ଛାତ୍ରୀ ୮୩୨୭୭୬୮୮୩୪ ୱାଟସ ଆପ ନମ୍ବର ଏବଂବକୃତାରେ ଅଂଶ ଗ୍ରହଣ କରିବାକୁ ଇଛୁକ ଛାତ୍ର ଛାତ୍ରୀ ୯୬୯୨୨୩୩୩୨୪ ନମ୍ବରରେ ନାମ ପଞ୍ଜିକରଣ କରିବା ବିଧେୟ ରହିଛି । ପ୍ରବନ୍ଧଟି ୨୫୦ଟି ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ ଅନ୍ୟ ବିଷୟ ବସ୍ତୁ ପୂର୍ବାହ୍ନ ୧୧ଘ ସମୟରେ ଦିଆଯିବ ଏବଂ ୧୧.୪୫ ମି ସୁଦ୍ଧା ଲେଖି ଉଲ୍ଲିଖିତ ଆପରେ ପଠାଇବାକୁ ହେବ । ଏଥିପାଇଁ କିଛିଟା କଟକଣା ଲାଗୁ କରାଯାଇଛି । ପ୍ରବନ୍ଧ ଶେଷରେ ପ୍ରତିଯୋଗୀଙ୍କ ଦସ୍ତଖତ ସହ ଏହା ମୋ ନିଜସ୍ୱ ଲେଖା ଏବଂ ଏହା କୌଣସି ଠାରୁ ନକଲ କରିନାହିଁ କିମ୍ବା ମୋ ନିମନ୍ତେ ଅନ୍ୟ କେହି ଲେଖି ନାହାନ୍ତି ବୋଲି ଉଲ୍ଲେଖ କରିବା ବାଧ୍ୟତା ମୂଳକ ହୋଇଛି । ଅନ୍ୟ ପକ୍ଷରେ ବକୃତା ପ୍ରତିଯୋଗିତା ପାଇଁ ୩ ମିନିଟର ସମୟ ସୀମା ରହିଛି । ପ୍ରତିଯୋଗୀମାନେ ବକୃତା ଟିକୁ ଭିଡ଼ିଓ ରେକଡ଼ିଂ କରି ପ୍ରଦତ୍ତ ଆପରେ ପଠାଇବେ । ବିଷୟ ବସ୍ତୁ ପୂର୍ବାହ୍ନ ୧୦ଘ ରେ ପ୍ରଦାନ କରାଯିବ ଏବଂ ୧୦.୩୦ ସୁଦ୍ଧା ୩ ମିନିଟରେ ପ୍ରସ୍ତୁତ କରି ପଠାଇବେ ।ପ୍ରତିଯୋଗୀମାନେ ସେମାନଙ୍କ ନାମ,ପିତା/ଅଭିଭାବକଙ୍କ ନାମ,ଶିକ୍ଷାନୁଷ୍ଠାନର ନାମ, ଶ୍ରେଣୀ ଓ ବୟସ ସହ କେଉଁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ତାହା ଉଲ୍ଲେଖ କରି ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୦ଘଣ୍ଟା ସୁଦ୍ଧା ପଞ୍ଜିକରଣ କରାଇ ନେବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି । ବିଶେଷ କରି ପ୍ରତିଯୋଗୀମାନେ କେବଳ କୌଣସି ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ସୂଚିତ ହୋଇଛି । କୃତୀ ପ୍ରତିଯୋଗୀ ମାନେ ଅକ୍ଟୋବର ୨ ତାରିଖରେ ଛତ୍ରପୁର ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବରେ ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି । ହିଞ୍ଜିଳି ସହର ତଥା ବ୍ଲକ ଅଞ୍ଚଳର ଉତ୍ସାହୀ ଛାତ୍ର ଛାତ୍ରୀ ଗଣ ଉପରୋକ୍ତ ୨ ଆପ ରେ ଯୋଗାଯୋଗ ଓ ଅଂଶ ଗ୍ରହଣ କରିବା ସହ କୃତକାର୍ଯ୍ୟ ହେବା ନିମନ୍ତେ ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି ।


