ଗାନ୍ଧୀ ବିଚାରକୁ ଜୀବନରେ ପ୍ରୟୋଗ କରୁଥିଲେ ଗାନ୍ଧୀମଣିଷ ଦୋଳଗୋବିନ୍ଦ

ଭୁବନେଶ୍ୱର, ନୂଆଦିଲ୍ଲୀ : ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୫ତମ ଜୟନ୍ତୀ ଉତ୍ସବକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ଥିଲେ ଜଣେ ନୀତନୀଷ୍ଠ ସଂଗ୍ରାମୀ । ଛାତ୍ର ଅବସ୍ଥାରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାଗାରରେ ଥିବା ଅବସ୍ଥାରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଠାରୁ ଯୋଗ, ପ୍ରାଣାୟମ, ହିନ୍ଦୀ, ସଂସ୍କୃତ, ନୀତିଶାସ୍ତ୍ର ଓ ଗୀତାଜ୍ଞାନ ଆହରଣ କରିଥିଲେ । ସ୍ୱାଧୀନତା ପରେ ଜଣେ ରାଜନୈତିକ ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିବା ସହ ଯୋଗ, ପ୍ରାଣାୟମ, ଗୀତାଜ୍ଞାନ ଓ ଗାନ୍ଧୀବାଦର ପ୍ରଚାର, ପ୍ରସାର କରିବାରେ ସେ ନିଜକୁ ସମର୍ପିତ କରିଥିଲେ । ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଅହିଂସା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡ଼ିଓ ମାଧ୍ୟମରେ ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ସ୍ୱର୍ଗତ ପ୍ରଧାନ ଜନଜୀବନର ନେତା ଥିଲେ । ସାଧାରଣ ୱାର୍ଡ଼ ମେମ୍ବରରୁ ରାଜନୀତି ଆରମ୍ଭ କରି ମନ୍ତ୍ରୀପଦ ମଣ୍ଡନ କରିବା ଥିଲା ତାଙ୍କର ଏକ ସୁଦୂରପ୍ରସାରୀ ସଂକଳ୍ପ । ସେ ଥିଲେ ଜାତୀୟକବି ବୀରକିଶୋରଙ୍କ ପଟ୍ଟଶିଷ୍ୟ । ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟ କବିଙ୍କ ଦ୍ୱାରା ଲିଖିତ ସମସ୍ତ କବିତାକୁ ସେ ସୁନ୍ଦର ଭାବରେ ଗାଉଥିଲେ । ଅନ୍ୟତମ ଅତଥି ବିଶିଷ୍ଟ ଶିକ୍ଷାବିତ୍‌, ସ୍ତମ୍ଭକାର ଡଃ ବଦ୍ରିନାଥ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ସେ ମଣିଷ ଗଢିବାର ଯେଉଁ ସଂକଳ୍ପ ନେଇଥିଲେ ସେ ଭାରତ ସ୍ୱାଧୀନତା ହେବା ପରେ ନିଜ ଅଞ୍ଚଳରେ ତାହାକୁ ପ୍ରୟୋଗ କରାଇଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ ଯେ, ତଳେ ପଡ଼ିଥିବା ମଣିଷକୁ ଉପରକୁ ଉଠାଇବା ପାଇଁ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟିତ ଥିଲେ । ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ ଯେ, ଦୋଳଗୋବିନ୍ଦ ବାବୁ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ । ଆଜିର ସମାଜରେ ମୁହଁରେ ସତ କହିବା ଲୋକଙ୍କ ସଂଖ୍ୟା କମି କମି ଯାଉଛି । ଅନ୍ୟତମ ଅତିଥି ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ଓ ମହୋବୋଧି ସମିତିର ଟଷ୍ଟୀ ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ସ୍ୱର୍ଗତ ପ୍ରଧାନଙ୍କ ଭଳି ସମୟକୁ ସମ୍ମାନ ଦେଉଥିବା ବ୍ୟକ୍ତି ଆଜିର ସମାଜରେ ବହୁତ କମ୍ ଅଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟୀ, ପୂର୍ବତନ ଡିନ୍ ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଓ ଟ୍ରଷ୍ଟୀ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ପାଢୀ, ଡଃ ନିବେଦିତା ପଟ୍ଟନାୟକ, ସ୍ମିତା ପ୍ରଧାନ ଓ ଡଃ ରଶ୍ମି ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶେଷରେ ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର ଶ୍ରୀରାମ ବନ୍ଦନା କରିଥିଲେ । ଏହି ଉପଲକ୍ଷେ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସ୍ୱର୍ଗତ ପ୍ରଧାନଙ୍କ ବାସଭବନରେ ସାମୂହିକ ପ୍ରଦୀପ ପ୍ରଜ୍ଜ୍ୱଳନ ଓ କୋଳଥିଆସ୍ଥିତ ସ୍ମୃତିଭବନରେ ବୃକ୍ଷପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର, ପ୍ରଜ୍ଞାନ ରାଜ ପ୍ରଧାନ, ପୃଥିରାଜ ଏବଂ ସଞ୍ଜୟ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ