ଗାନ୍ଧୀ ବିଚାରମଞ୍ଚ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଦେଶରେ ଏବେ ଏକ ବୈଚାରିକ ଦେବାଳିଆ ସ୍ଥିତି ଉତ୍ପନ୍ନ ହୋଇଛି । ଦେଶର ବରପୁତ୍ରମାନଙ୍କ ପ୍ରତି ବିଭିନ୍ନ ଭାବରେ କୁତ୍ସାରଟନା କରାଯାଉଛି । କେତେବେଳେ ନେତାଜୀଙ୍କୁ ଜାତିର ପିତା ଗାନ୍ଧିଜୀଙ୍କ ପ୍ରତିଦ୍ୱନ୍ଦୀ ଭାବେ ଠିଆ କରାଯାଉଛି ତ ଆଉ କେତେବେଳେ ସର୍ଦ୍ଦାର ପଟେଲ ଓ ନେହେରୁଙ୍କ ମଧ୍ୟରେ କିଏ ସାନ, କିଏ ବଡର ତୁଳନା କରାଯାଉଛି । ଦେଶର ନୂଆ ପିଢୀର ମଣିଷମାନଙ୍କ ଭିତରେ ଏପରି ଏକ ବିଷାକ୍ତ ବିଚାର ଭର୍ତ୍ତି କରାଇବାର ଯେଉଁ ଅଭିସନ୍ଧି ମୂଳକ ଯୋଜନା ଦେଶର ଗୋଟିଏ ଗୋଷ୍ଟି ପକ୍ଷରୁ ଯୋରସୋରରେ ଚାଲିଛି । ଏଥିରୁ ଦେଶର ବୁଦ୍ଧିଜିବୀମାନେ ମୁକ୍ତ ନୁହନ୍ତି ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂଯୋଜକ ଡଃ. ବିଶ୍ୱଜିତ ରାୟ ମତ ପ୍ରକାଶ କରିଛନ୍ତି । ଦେଶର ଗାନ୍ଧୀବାଦୀ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ବରପୁତ୍ରମାନଙ୍କ ପ୍ରତି ଏହି ଅପପ୍ରଚାର ବିରୋଧରେ ନେତାଜୀ ଜୟନ୍ତୀରୁ ଶହୀଦ ଦିବସ ପର୍ଯ୍ୟନ୍ତ ଚାଲିଥିବା ସପ୍ତାହ ବ୍ୟାପି “ରାଷ୍ଟ୍ରପିତାଙ୍କୁ ଅପମାନ – ସହିବ ନାହିଁ ହିନ୍ଦୁସ୍ତାନ” ଶୀର୍ଷକ ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡଃ. ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଷ୍ଟ୍ରୀୟ ଯୁବା ସଂଗଠନର ଜାତୀୟ ପରିଷଦ ସଭ୍ୟ ମାନସ ପଟ୍ଟନାୟକ ଓ ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏହି ପ୍ରଚାର ଅଭିଯାନର ଉଦେଶ୍ୟ ଓ ଆଗାମି କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭାଂଶୁ କୁମାର ଦାସ, ଗୟାଧର ଧଳ, ନଗେନ୍ଦ୍ର ଜେନା, ଅମର ପ୍ରସାଦ ରାଉତ, ରଣଧୀର ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନୃସିଂହ ତ୍ରିପାଠୀ, ଶରତ ରାଉତ, ଅମରେନ୍ଦ୍ର ଦାସ, ନିରୂପମା ଦାସ, ଅବଧୂତ ରାଉତ, ଶ୍ରୀଧର ମହାନ୍ତି, ଅଶୋକ କୁମାର ସାହୁ, ଅପର୍ତ୍ତୀ ସେଠୀ, ନିରୋଦ ଜେନା ପ୍ରମୁଖ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଏକ ଜିଲ୍ଲା ଶାଖା ଗଠନ କରାଯାଇ ଆଦିକନ୍ଦ ରାଉଳଙ୍କୁ ତାର ଆବାହକ ଭାବେ ମନୋନୀତ କରାଯାଇଥିଲା । ଶେଷରେ ନିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ କେନ୍ଦ୍ରାପଡା ହାଇସ୍କୁଲ ଛକସ୍ଥିତ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ପାଖରେ ଦେଶର ବରପୁତ୍ରମାନଙ୍କୁ ସମ୍ମାନ ଜଣାଇ ବିଭିନ୍ନ ନାରାବାଜି ସହିତ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ