ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରିପୋର୍ଟ କାର୍ଡ଼ ଉନ୍ମୋଚନ
ବାଲେଶ୍ୱର, (ସରୋଜ ପଣ୍ଡା):ସମାଜରେ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ପାଇଁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଅଭିନବ ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭଦ୍ରକ ଓ ବାଲେଶ୍ୱରରେ ଜୁନ୍ ୨୦୨୪ରେ ହୋଇଥିବା କର୍ଫ୍ୟୁ ପରବର୍ତ୍ତୀ ସମୟରେ ରାଜ୍ୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପଥ ପ୍ରାନ୍ତ ନାଟକ, ସଚେତନତା ସଭା, ସର୍ବ ଧର୍ମ ପ୍ରାଥର୍ନା ସଭା, ପିଲାମାନଙ୍କ ମଧ୍ୟରେ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ କୁଇଜ୍ ପରୀକ୍ଷା ବାଲେଶ୍ୱରର ସମସ୍ତ ହାଇସ୍କୁଲ୍ରେ ଅନୁଷ୍ଠିତ ହୋଇଯାଇଛି । କର୍ଫ୍ୟୁ ପରଠାରୁ ଆଜି ପର୍ଯ୍ୟନ୍ତ ବାଲେଶ୍ୱର କେନ୍ଦ୍ର ଯାହା କାର୍ଯ୍ୟକ୍ରମ କରିଛି, ସେ ବିଷୟରେ ଏକ ରିପୋର୍ଟ କାର୍ଡ଼ ବୁକ୍ଲେଟ୍ ଆକାରରେ ପ୍ରସ୍ତୁତ କରି ରାଜ୍ୟ କାର୍ଯ୍ୟକାରିଣୀ ପ୍ରଦାନ କରିବା ପରେ ତାହା ଗାନ୍ଧୀବାଦୀ ଶ୍ରୀମତୀ କୃଷ୍ଣା ମହାନ୍ତି, ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ଓ ରାଜ୍ୟ ସଂଯୋଜକ ଡା. ବିଶ୍ୱଜିତ୍ଙ୍କ କରକମଳରେ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଛି । ଏହି ପୁସ୍ତିକା ବାଲେଶ୍ୱର କେନ୍ଦ୍ରର ଆବାହକ ଜିତେନ୍ଦ୍ର ଉପାଧ୍ୟାୟ, ମହମ୍ମଦ୍ ଇସଲାମ୍ଙ୍କ ଆନ୍ତରିକ ଉଦ୍ୟମ ଫଳରେ ପ୍ରକାଶିତ ହୋଇଥିବା ବେଳେ ବରିଷ୍ଠ ଆବାହକ ଗୌରାଙ୍ଗ ପାଣିଗ୍ରାହୀ ସହଯୋଗ କରିଥିଲେ । ତତ୍ସହିତ ରେମୁଣାର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ମଧ୍ୟ ଏଥିରେ ସହଯୋଗ କରିଥିଲେ । ବାଲେଶ୍ୱର କେନ୍ଦ୍ର ତରଫରୁ ଏକ ୫ଦିନିଆ ଯୁବ ତାଲିମ୍ ଶିବିର ଆୟୋଜନ କରିବା ପାଇଁ ଆବାହକ ଜିତେନ୍ଦ୍ର ଉପାଧ୍ୟାୟ ଓ ମହମ୍ମଦ ଇସ୍ଲାମଙ୍କ ପ୍ରସ୍ତାବକୁ ରାଜ୍ୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁମୋଦନ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗାନ୍ଧିଜୀଙ୍କର ବିଚାର ଓ ଆଦର୍ଶକୁ ଅନୁସରଣ କରି ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ବାଲେଶ୍ୱର କେନ୍ଦ୍ରର ଆବାହକ ଜିତେନ୍ଦ୍ର ଉପାଧ୍ୟ।।ୟ, ମହମ୍ମଦ ଇସ୍ଲାମ୍, ସଭ୍ୟ ପୁରୁଷୋତ୍ତମ କାମିଳା, ଇନ୍ତେକାବ୍ ଅଲ୍ଲୀ ଖାନ୍, ସେକ୍ ଅଜ୍ଗର୍ ଅଲ୍ଲୀ ଓ ସଭ୍ୟା କବିତାରାଣୀ ଦାସ, ସାକିଲା ବାନୋ, ସରସ୍ୱତୀ ପଣ୍ଡା, ପ୍ରଣିତା ମିଶ୍ର, ସଂଯୁକ୍ତା ବେହେରା, ଅର୍ଚଣା ନନ୍ଦୀ ପ୍ରମୁଖ ଯୋଗ ଦେଇଥିଲେ ।