ଗାରୋଇ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ
ନାଉଗାଁ, (ୱାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୯୯୬ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟର ପ୍ରାର୍ଥନା ମଣ୍ଡପ ନିର୍ମାଣ ଉଦ୍ଦେଶ୍ୟରେ ଏକ ଲକ୍ଷ ଛୟାଳିଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଆୟୋଜିତ ସଭାରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କର ପ୍ରିୟ ବିଦ୍ୟାଳୟ ନିମନ୍ତେ ଶ୍ରଦ୍ଧା ଓ ସମ୍ମାନର ଭୂୟସୀ ପ୍ରଶଂସା କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସୂର୍ଣ୍ଣପ୍ରଭା ବିଶ୍ୱାଳ ବିଦ୍ୟାଳୟର ବିଗତ ଦିନରେ ସ୍ମୃତି ସହିତ ସହପାଠୀ ଭାଇଭାଉଣୀମାନଙ୍କର ଅପୂର୍ବ ସହଯୋଗର ଅଭିଜ୍ଞତାକୁ ଉପସ୍ଥାପନ କରିଥିଲେ । ଶିକ୍ଷକ ହଟକିଶୋର ବିଶ୍ୱାଳ ଓ ପବିତ୍ର କୁମାର ସ୍ୱାଇଁ, ପଣ୍ଡିତ ଅଜୟ କୁମାର ଶତପଥି ପିଲାମାନଙ୍କୁ ଦୀର୍ଘ ଦିନ ପରେ ବିଦ୍ୟାଳୟ ପରିସରରେ ପାଇଥିବାରୁ ଆନ୍ତରିକ ଖୁସି ବ୍ୟକ୍ତ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୁଣି ତାଙ୍କ ବିଦ୍ୟାଳୟର ପବିତ୍ର ଅଗଣାକୁ ଫେରିବାର ସୁଯୋଗ ମିଳି ପାରିଛି ବୋଲି ପୁରାତନ ଛାତ୍ର ସାଗର ଜେନା, ଆଶନ୍ତ ପରିଡା, ବିଦ୍ୟାଧର ବିଶ୍ୱାଳ, ମଳୟ ସେନାପତି, ବାସୁଦେବ ବିଶ୍ୱାଳ, ଝୁନଲତା ପରିଡା, ଶିଶିର ବିଶ୍ୱାଳ, ରଂଜୁଲତା ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଥିଲେ ।


