ଗାର୍ଡୱାଲ୍ ନିର୍ମାଣ ନିମ୍ନମାନର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ
ଭାପୁର (ଯୁଗାବ୍ଦ ନ୍ୟୁଜ୍) ଭାପୁର ବ୍ଲକ୍ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା କାର୍ଯ୍ୟ ନିମ୍ନ୍ାନର ହେଉଥିବାରୁ ସାଧାରଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାପୁର ଠାରୁ କଇଁଫୁଲିଆ ରାସ୍ତା ମଧ୍ୟରେ ନିର୍ମିତ ସିମେଣ୍ଟ ଗାର୍ଡ ୱାଲର କାର୍ଯ୍ୟ ଶେଷ ହୋଇଥିଲେ ହେଁ ସେଥିରେ ଏବେ ପାଣି ଦିଆଯାଉନାହିଁ । ଫଳରେ ଉକ୍ତ ଗାର୍ଡୱାଲର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟୁନ ୫୦୦ ଫୁଟ ଲମ୍ବରେ ନିର୍ମିତ ଏହି ଗାର୍ଡୱାଲ କାର୍ଯ୍ୟରେ ଆବଶ୍ୟକତା ଅନୁସାରେ ରଡ଼ ବ୍ୟବହାର ନହେବା ସହ ନିମ୍ନମାନର ସିମେଣ୍ଟ ଅପେକ୍ଷାକୃତ କମ୍ ଭାଗରେ କାର୍ଯ୍ୟ ହୋଇଥିବା କଇଁଫୁଲିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସିମେଣ୍ଟ କାମ ଶେଷ ହେଲାପରେ ସେଥିରେ ପାଣି ଦିଆଯିବା କଥା । କିନ୍ତୁ ଏହି ୱାଲ୍ର କାର୍ଯ୍ୟ ଶେଷ ହେବାପରେ ଏଥିରେ ଦିନେ ହେଲେ ପାଣି ଦିଆଯାଉନଥିବାରୁ ପ୍ରବଳ ଖରାରେ ସିମେଣ୍ଟର ସ୍ଥାୟିତ୍ୱ କମ୍ ଦିନ ମଧ୍ୟରେ ନଷ୍ଟ ହୋଇଯିବ ବୋଲି କିଛି ଯୁବକଙ୍କ ସମେତ ନାଏବ ସରପଞ୍ଚ ମନୋରଞ୍ଜନ ସାହୁ ଅସନ୍ତୋଷ ପ୍ରକାଶ କରି କହିଛନ୍ତି । ଠିକାଦାର କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟ ସମୟରେ ଉପସ୍ଥ୍ିତ ନରହିବା ବିଭାଗୀୟ କାର୍ଯ୍ୟ ପ୍ରତି ପ୍ରଶାସନ କେତେ ଯତ୍ନଶୀଳ ତାହା ଏଥିରୁ ଜଣାପଡ଼ିଛି । ଏପରି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।