ଗାଳ୍ପିକ ବିଜୟ ନାୟକ ପାଇବେ ଚଳିତ ବର୍ଷର ଶ୍ରୀବଳଦେବ ସମ୍ମାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କଳାକାର, କାହାଣୀ ଗଳ୍ପ ପତ୍ରିକାର ଯଶ୍ୱସୀ ସମ୍ପାଦକ ଏବଂ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ବିଜୟ ନାୟକଙ୍କୁ ପ୍ରଦାନ କରାଯିବ । ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୨୧ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି ପ୍ରସନ୍ନ ମିଶ୍ର, ନାଟ୍ୟକାର ବିଜୟ ମିଶ୍ର, ପ୍ରାବନ୍ଧିକ ନିତ୍ୟାନନ୍ଦ ସତପଥୀ, ଗାଳ୍ପିକ ଦେବ୍ରାଜ ଲେଙ୍କା, କବି ଗୋପାଳକୃଷ୍ଣ ରଥ, ପ୍ରାବନ୍ଧିକ କୃଷ୍ଣ ଭୂୟାଁ, ଗାଳ୍ପିକ ରବି ସ୍ୱାଇଁ, ପ୍ରାବନ୍ଧିକ ଧନେଶ୍ୱର ମହାପାତ୍ର ପ୍ରଭୃତି ଦିଗଜ୍ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଅନ୍ୟ ପୁରସ୍କାର ମଧ୍ୟରେ ଗାଳ୍ପିକ ସ୍ୱର୍ଗତ ଅଦ୍ୱୈତ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଅଦ୍ୱୈତ କଥା ପୁରସ୍କାର ପାଇବେ ଗାଳ୍ପିକ ସରୋଜ ବଳ, ବିଶିଷ୍ଟ କବି ଦୀପକ ମିଶ୍ରଙ୍କ ସ୍ମୃତିରେ ପ୍ରବର୍ତ୍ତିତ ‘ଦୀପକ ମିଶ୍ର କବିତା ପୁରସ୍କାର’ ପାଇବେ କବି ଇପସିତା ଷଡଙ୍ଗୀ, ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ର, ଡଃ ରଞ୍ଜନ ପ୍ରଧାନ ପାଇବେ ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର । ଏହି ସବୁ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଏତଦ୍ ବ୍ୟତିତ କେନ୍ଦ୍ରାପଡା ଜିଲ୍ଲାର ଜଣେ ସାରସ୍ୱତ ସାଧକଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବା କ୍ରମରେ ବର୍ଷିୟାନ ସାରସ୍ୱତ ସାଧକ, ବିଶିଷ୍ଟ ସ୍ତମ୍ଭକାର, ଚିନ୍ତକ ହିରଣ୍ୟ ମହାନ୍ତିଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ପରିଷଦର କାର୍ଯ୍ୟକାରିଣୀ ବୈଠକରେ ନିର୍ଣ୍ଣୟ ନିଆଯାଇଛି । ଏହି ବୈଠକରେ ପରିଷଦର ସଭାପତି ଡଃ ଅପର୍ଣ୍ଣା ମହାନ୍ତି, ଗାଳ୍ପିକ ଗିରୀଶ ସାହୁ, ଗାଳ୍ପିକ ଅତୁଲ ବଳ, କବି ମଧୁସୂଦନ ଦାସ, ଭୁବନମୋହନ ଜେନା, ନବଜ୍ୟୋତି ରାୟ, ପ୍ରଦୀପ ନାୟକ, ଡଃ ପ୍ରକାଶ କୁମାର ପରିଡା, ମାତୃଦତ୍ତ ମହାନ୍ତି ପ୍ରଭୃତି ଯୋଗ ଦେଇଥିଲେ । ଜିଲ୍ଲା ସାହିତ୍ୟ ପରିଷଦର ଆସନ୍ତା ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ କରକମଳରେ ଏହି ପୁରସ୍କାର ବିତରଣ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସମ୍ପାଦକ ସରୋଜ କୁମାର ମହାନ୍ତି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ