ଗାଡ଼ି ମୋଟର ଯାଂଚ ଜୋରଦାର : ଖିଲାପିକାରୀ ଘରୁ ବାହାରକୁ ଗାଡ଼ି କାଡ଼ିବାକୁ ଭୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଗାଡ଼ି ମୋଟର ଯାଂଚ କଡ଼ାକଡ଼ି କରାଯାଇଛି । ଆଇନ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ପାଇଁ ନିୟମ ରହିଛି । ପ୍ରଶାସନର ଏଭଳି କଡ଼ା ଆଭିମୁଖ୍ୟ ଓ ଯାଂଚ ଗାଡ଼ି ଚାଳକଙ୍କ ମନରେ ଭୟ ସୃଷ୍ଟି କରୁଛି । ଦୀର୍ଘ ବର୍ଷ ଧରି ବିନା ଗାଡ଼ି ଚାଳନା ପ୍ରମାଣ ପତ୍ର, ଇନସୁରାନ୍ସ, ପ୍ରଦ୍ୟୁଷଣ ପମାଣପତ୍ର ଏବଂ ଅନ୍ୟାନ ଆବଶ୍ୟକୀୟ କାଗଜପତ୍ର ନଥାଇ ଗାଡ଼ି ଚଲାଉଥିବା ବହୁ ଜନସାଧାରଣ ଭୟରେ ଘରୁ ବାହରକୁ ଗାଡ଼ି କାଡ଼ବାକୁ ଭୟ କରୁଥିବା ଜଣାପଡ଼ିଛି । ସଂଶୋଧିତ ମୋଟରଯାନ ଆଇନକୁ ହିଂଜିଳି ଥାନା ପରିସରଭୁକ୍ତ ଅଂଚଳରେ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ୍ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଛକ ସ୍ଥାନରେ ଯାଂଚ ପ୍ରକ୍ରିିୟା ଆରମ୍ଭ କରିଛି । ପୂର୍ବ ଘୋଷଣା ଅନୁସାରେ ସାରା ରାଜ୍ୟରେ ରବିବାର ଠାରୁ ଧରପଗଡ଼ ଜୋରଦାର ଆରମ୍ଭ ହୋଇଛି । ଗାଡ଼ି ଚାଳନା ପ୍ରମାଣପତ୍ର ସାଙ୍ଗକୁ ଇନସୁରାନ୍ସ, ପ୍ରଦ୍ୟୁଷଣ ପମାଣପତ୍ର ଏବଂ ଅନ୍ୟାନ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ୬ମାସ ମହଲତ ଦେଇଥିଲେ । ସଡ଼କ ସୁରକ୍ଷା ଆଇନ ବଳରେ ୧୦ଟି ବିନ୍ଦୁରେ ଧରପଗଡ଼ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । ସଡ଼କ ସୁରକ୍ଷା ଆଇନ ଉଲଂଘନ କରି ଧରାପଡ଼ିଲେ ଗାଡ଼ି ଚାଳନା ପ୍ରମାଣପତ୍ର ସାଙ୍ଗକୁ ଗାଡ଼ିର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଯାଂଚ କରାଯିବ । ଗାଡ଼ିର କାଗଜପତ୍ର ବୈଧ ନଥିଲେ ସଂଶୋଧିତ ମୋଟରଯାନ ଆଇନ ବଳରେ ମୋଟା ଅଙ୍କର ଜୋରିମାନା ଆଦାୟ ହେବ । ସଡ଼କ ନିରାପତା ଆଇନ ବଳରେ କ’ଣ କ’ଣ ଯାଂଚ ହେବ ଏବଂ କେଉଁ ଉଲଂଘନ ଗୁଡ଼ିକ ପାଇଁ କେତେ ଟଙ୍କାର ଜୋରିମାନା ଆଦାୟ ହେବ, ସେ ସଂକ୍ରାନ୍ତରେ ପ୍ରଶାସନ ବହୁ ପୂର୍ବରୁ ସ୍ପଷ୍ଟ କରାଯାଇଛି । ନିର୍ଦ୍ଧାରି ବେଗ ଠାରୁ ଅଧିକ ବେଗରେ ଗାଡ଼ି ଚଲାଇବା, ବିପଦ ସଙ୍କେତ ଡ଼େଇଁବା, ମଦ୍ୟପାନ କରି ଗାଡ଼ି ଚଲାଇବା, ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ଚଲାଈବା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା, ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ପରିବହନ କରିବା, ବାଇକ ଚାଳନା ସମୟରେ ହେଲମେଟ ଓ ଅନ୍ୟାନ ଗାଡ଼ି ଚାଳନା ସମୟରେ ସିଲ୍ଟ ବେଲ୍ଟ ବ୍ୟବହାର ନକରିବା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚାଳନା କରିବା ସାଙ୍ଗକୁ ଓଭରଲୋଡ଼ିଂକୁ ସଡ଼କ ନିରାପତା ଆଇନର ଉଲଂଘନ ବୋଲି ଧରାଯିବ । ଏହି ସବୁ ଆଇନ ଉଲଂଘନ କରି ଧରାପଡ଼ିଲେ ଗାଡ଼ିର ସମସ୍ତ କାଗଜପତ୍ର ଯାଂଚ ହେବା ସହ ସମସ୍ତ ପ୍ରମାଣପତ୍ର ବୈଧ ନଥିଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ । ପ୍ରକାଶ ଥାଉକି, ଗତ ସେପ୍ଟମର ମାସ ପହିଲାରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିଲା । କିନ୍ତୁ ଧରପଗଡ଼ ହେବା ସମୟରେ ଅଧିକାଂଶ ଗାଡ଼ି ଚାଳକଙ୍କ କାଗଜପତ୍ର ଠିକ୍ ନଥିବା ଦେଖିବାକୁ ମିଳିଥିଲା । ଏଣୁ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବାକୁ ପ୍ରଥମେ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଦେଇଥିଲେ । ହେେଏ ଉକ୍ତ ଅବଧି ସମୟ ମଧ୍ୟରେ ବହୁ ଗାଡ଼ି ଚାଳକ ସେମାନଙ୍କ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବାକୁ ଆବେଦନ କରିଥିଲେ । ବହୁ ମାତ୍ରାରେ ଆବେଦନ କରାଯାଇଥିବା ଯୋଗୁଁ ସରକାର ପୁଣି ଥରେ ଫେବୃୟାୀ ମାସ ଶେଷ ପର୍ଯ୍ୟନ୍ତ ସମୟ ଦେଇଥିଲେ । ମାର୍ଚ୍ଚ ପହିଲାରୁ ନୂତନ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ତପ୍ତର ହୋଇପଡ଼ିଛି । ସୋମବାର ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ୍ ଥାନା ଅଂଚଳର ବିଭିନ୍ନ ଛକ ସ୍ଥାନରେ ଚେକିଂ କରୁଥିବାରୁ ବର୍ଷ ବର୍ଷ ଧରି ବିନା କାଗଜପତ୍ରରେ ଗାଡ଼ି ଚଲାଉଥିବା ଚାଳକ ମାନେ ଜୋରିମାନା ଗଣିବା ଭୟରେ ଛାନ୍ରିା ହୋଇ ପଡ଼ିଛନ୍ତି । ଯେଉଁ ଗାଡ଼ି ଚାଳକ ମାନେ ଗାଡ଼ିର କୌଣସି ବି କାଗଜପତ୍ର ଠିକ୍ କରି ନାହାନ୍ତି, ଭୟରେ ଘରୁ ବାହାରକୁ ଗାଡ଼ି କାଡ଼ୁନଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷରେ ଯଦି ବି କୌଣସି ଗାଡ଼ି ଚାଳକ ଏଥିରେ ଖିଲାପ କରିଥାନ୍ତି ଯାଂଚ ସମୟରେ ଧରାପଡ଼ନ୍ତି ଏଥିରୁ ନିସ୍ତାର ପାଇପାରିବେ ନାହିଁ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦାସ ରୋକ୍ଠୋକ୍ କହିଛନ୍ତି ।
ଫଟୋ- ହିଂଜିଳି ପୋଲିସ ପକ୍ଷରୁ ଯାନବାହନର କାଗଜପତ୍ର ଯାଂଚ ଓ ମଦ୍ୟପ ଚାଳକ ଧରପଗଡ଼


