ଗାଢ଼ ନିଦ ଦୂର କରେ ଅଲ୍ଝାଇମର
ଏକ ନୂଆ ଗବେଷଣା ଅନୁସାରେ ଯେଉଁ ବୟସ୍କମାନେ କମ୍ ଗାଢ଼ ନିଦରେ ଶୋଉଛନ୍ତି ଏବଂ ଯାହାଙ୍କ ମସ୍ତିଷ୍କରେ ତାଉ ପ୍ରୋଟିନ୍ର ମାତ୍ରା ଅଧିକ ରହିଛି, ସେମାନଙ୍କଠାରେ ଚିହ୍ନିବା କ୍ଷମତା ହ୍ରାସ ପାଇବା ସହ ଅଲ୍ଝାଇମର ରୋଗ ହେବାର ଆଶଙ୍କା ରହିଛି। ଆମେରିକାସ୍ଥିତ ୱାଶିଂଟନ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡିସିନ୍ର ଗବେଷକମାନେ କହିଛନ୍ତି ଯେ ଗାଢ଼ ନିଦରେ ଶୋଉଥିବା ଲୋକଙ୍କ ସ୍ମରଣଶକ୍ତି ଦୃଢ଼ ହୋଇଥାଏ ଏବଂ ଶୋଇକି ଉଠିବା ପରେ ସେମାନେ ଅଧିକ ସତେଜ ଅନୁଭବ କରନ୍ତି।
ମସ୍ତିଷ୍କ ପାଇଁ ଖରାପ : ସାଇନ୍ସ ଟ୍ରାନ୍ସଲେସନ୍ ମେଡିସିନ୍ ନାମକ ପତ୍ରିକାରେ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ଯୁବାବସ୍ଥା ଏବଂ ଏହାର ପରବର୍ତ୍ତୀ ସମୟରେ ପର୍ଯ୍ୟାପ୍ତ ନିଦରେ ନ ଶୋଇବା ଫଳରେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ। ୱାଶିଂଟନ ୟୁନିଭର୍ସିଟିର ଗବେଷକ ବ୍ରେଣ୍ଡନ ଲୁସି କହିଛନ୍ତି ଯେ କମ୍ ଗାଢ଼ ନିଦରେ ଶୋଇବା ଫଳରେ ମାନସିକ ସ୍ଥିତି ଖରାପ ହେବାର ସମ୍ଭାବନା ରହିଛି। ନିଦ ନ ହେବା କାରଣରୁ ଲୋକଙ୍କ କିଭଳି ଭାବେ ଲୋକଙ୍କ ସ୍ମରଣଶକ୍ତି ଉପରେ ଏହାର ପ୍ରଭାବ ପଡ଼ୁଛି ଓ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜୁଛି ତାହା ଏହି ଗବେଷଣାରୁ ଜଣାପଡ଼ିଥିଲା। ଯାହାଫଳରେ ଠିକ୍ ଭାବେ ନ ଶୋଇ ଲୋକେ ଅଲ୍ଝାଇମର ରୋଗରେ ପୀଡ଼ିତ ହେଉଛନ୍ତି ବୋଲି ଲୁସି କହିଛନ୍ତି।
ବଂଶାନୁକ୍ରମିକ ହୋଇପାରେ : ଗବେଷକଙ୍କ କହିବାନୁସାରେ ଅଧିକାଂଶ ଲୋକଙ୍କ ଅଲ୍ଝାଇମର ବଂଶାନୁକ୍ରମିକ, ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ କାରଣରୁ ହୋଇଥାଏ। ଏହା ସମୟ କ୍ରମେ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ଅଲ୍ଝାଇମର ରୋଗର କାରଣ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ି ନାହିଁ। କିନ୍ତୁ ମସ୍ତିଷ୍କ ଉପରେ ଏହାର ପ୍ରଭାବ ସ୍ପଷ୍ଟ ହୋଇଛି। ଏହି ରୋଗ ମସ୍ତିଷ୍କର କୋଷିକାକୁ କ୍ଷତି ପହଞ୍ଚାଇଥାଏ। ଏକ ସୁସ୍ଥ ମସ୍ତିଷ୍କ ତୁଳନାରେ ଅଲ୍ଝାଇମର ରୋଗରେ ପ୍ରଭାବିତ ମସ୍ତିଷ୍କରେ ବହୁତ କମ୍ କୋଷିକା ରହିଥାଏ।
ଏପରି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତର ଦେଖାନ୍ତୁ : ନିଜେ ଜିନିଷ ରଖି ଭୁଲିଯିବା, ଗୋଟିଏ କଥାକୁ ବାରମ୍ବାର ଦୋହରାଇବା, ନିଜକୁ ନିଜେ କଥା ହେବା, ଜଣାଶୁଣା ସ୍ଥାନରେ ହଜିଯିବା, ପ୍ରତ୍ୟେକ ଦିନର ସହଜ କାମକୁ କରିବାରେ ସମସ୍ୟା ହେବା, କଥା କହିବା ସମୟରେ ସାମ୍ନାରେ ଥିବା ଲୋକଙ୍କୁ ଅଚିହ୍ନା ଦୃଷ୍ଟିରେ ଦେଖିବା, କାମ କରି ନ ଥିଲେ ମଧ୍ୟ କାମ ସାରିଦେଇଥିବା ଭଳି ମନେହେବା ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।