ଗୀତାର ଚେତନା ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଟରନ୍ୟାସନାଲ ଗୀତା ମିଶନର ୫ମ ବାର୍ଷିକ ଉତ୍ସବ ଓ ଗୀତା ଜୟନ୍ତୀ ଉତ୍ସବ-୨୦୨୩କୁ ଉଦ୍‌ଘାଟନ କରି ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ କହିଲେ ଯେ, ଗୀତା କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି, ସ୍ଥାନ ବା କାଳ ମଧ୍ୟରେ ସୀମାବଦ୍ଧ ନୁହେଁ । ଗୀତାର ଚେତନା ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ । କର୍ମ, ଜ୍ଞାନ ଓ ଭକ୍ତି ହିଁ ଗୀତାଙ୍କ ମୌଳିକତା, ଏହା ସର୍ବକାଳଜୟୀ ମାନବୀୟ ସମ୍ବିଧାନ ଅଟେ । ପ୍ରତ୍ୟେକ ମାନବ ଗୀତାର ସେହି ମାର୍ମିକ କଥାବସ୍ତୁକୁ ନିଜ ଜୀବନରେ ପ୍ରୟୋଗ କଲେ ନିଶ୍ଚିତ ଫଳ ମିଳିବ ।ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥି କହିଲେ ଯେ, ଗୀତା ଏକଧାରରେ ଇହଲୋକ ଓ ପରଲୋକରେ ଶାନ୍ତିପ୍ରାପ୍ତିର ମାର୍ଗ ପ୍ରଦର୍ଶନ କରିଅଛନ୍ତି । ଗୀତାର ପ୍ରତ୍ୟେକ ଶ୍ଲୋକ ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଗୀତା କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ଏକ ସାମାଜିକ ବିପ୍ଲବ । ଗୀତା ଜ୍ଞାନେଶ୍ୱରୀରେ ସନ୍ଥ ଜ୍ଞାନେଶ୍ୱର ଜୀବନ ନିର୍ବାହ ପାଇଁ ଦେଇଥିବା ମାର୍ଗଦର୍ଶନ ସମସ୍ତଙ୍କ ପାଇଁ ଅନୁକରଣୀୟ । ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡଃ କୁମରବର ଦାସ କହିଲେ ଯେ, ସାମାଜିକ ବିଧିବ୍ୟବସ୍ଥାରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଉପଦେଶ ଅର୍ଜୁନଙ୍କୁ ଦେଇଛନ୍ତି ତାହା ସାଧାରଣ ମନୁଷ୍ୟର ଆବଶ୍ୟକତାକୁ ନେଇ ଅଭିପ୍ରେତ । କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ସୁରେନ୍ଦ୍ର ମୋହନ ମିଶ୍ର ଗୀତାର ପଠନ ଓ ଶ୍ରବଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଗୀତା ମିଶନର ମୁଖପତ୍ର “ମହାର୍ଘ୍ୟ” ଓ ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀଙ୍କ ଗୀତା ଉପରେ, ସଙ୍କେତ ପୁସ୍ତକ ‘ଭଗବତ ଗୀତାଙ୍କର ମୂଳ ଶ୍ଲୋକାବଳୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭାରେ ଗୀତା ମିଶନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ସଭାପତିତ୍ୱ କରିଥିଲେ ଓ ଡଃ ସ୍ୱପ୍ନା ସାହୁ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଆୟୋଜିତ ଗୀତା ବକ୍ତୃତା, ଗୀତା ପ୍ରବନ୍ଧ ଓ ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ମିଶନ ତରଫରୁ ପୁରସ୍କାର ବିତରଣ କରାଯାଇଥିଲା । ମିଶନର ସମସ୍ତ ସଭ୍ୟସଭ୍ୟାମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ