ଗୀତା ଯଜ୍ଞ ସହିତ ଗାନ୍ଧୀମାର୍ଗରେ ଅନଶନ ଷଷ୍ଠ ଦିନରେ ୧୧ରୁ ଜିଲ୍ଲାସ୍ତରୀୟ ଧାରଣା ଓ ୨୦ରେ ସଂଘର ବିଶାଳ ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍): ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ସର୍ବନିମ୍ନ ମାସିକ ୬୦୦୦ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ସମେତ ୪ ଦଫା ଦାବି ନେଇ ଗତ ୬ ଦିନ ଧରି ଭୁବନେଶ୍ୱର ଗାନ୍ଧୀମାର୍ଗରେ ଭିନ୍ନ ଭିନ୍ନ ତରିକାରେ ଆନ୍ଦୋଳନ ଜାରି ରଖିଛି ଗାଁସାଥୀ ସଂଘ । ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଗତ ୧୧ବର୍ଷ ଧରି କାର୍ଯ୍ୟରତ ଏହି ଗାଁସାଥୀମାନଙ୍କ ମଧ୍ୟରୁ ଅନେକ ଗାଁସାଥୀ ପ୍ରଥମେ ଅନଶନ କରି ମେଡ଼ିକାଲରେ ୩ଜଣ ଭର୍ତ୍ତି ହେବା ପରେ ଏବେ ଶତାଧିକ ସଂଖ୍ୟାରେ ରାଲି ଓ ଅନଶନ ଜାରି ରଖିଛନ୍ତି । ଏଯାବତ୍ ସେମାନଙ୍କୁ ସରକାର ଆଲୋଚନା ପାଇଁ ବିଧିବଦ୍ଧ ଭାବରେ ଡ଼ାକି ନଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଛି । ଓଡ଼ିଶାର ଏକ ନିଆରା ଟ୍ରେଡ୍ ୟୁନିୟନ ‘ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି’, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଧାରଣାସ୍ଥଳରେ ଆଜି ପୂର୍ବାହ୍ନରେ ଗୀତା ଯଜ୍ଞ ସହିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ବ୍ୟବସ୍ଥା କରାଯାଇଥିଲା । ଯଦି ଚଳିତ ଫେବୃୟାରୀ ୧୦ ତାରିଖ ସୁଦ୍ଧା ସରକାର ସଂଘର ଯର୍ଥାଥ ଦାବିଗୁଡ଼ିକୁ ପୂରଣ କରିବାରେ ପ୍ରଶାସନିକ ବ୍ୟବସ୍ଥା ନ କରନ୍ତିି, ତେବେ ଚଳିତ ୧୧ରୁ ୧୬ ମଧ୍ୟରେ ଜିଲ୍ଲାସ୍ତରୀୟ ପାଳି ଜରିଆରେ ଗଣଧାରଣା ଓ ଅନଶନ କାର୍ଯ୍ୟକ୍ରମ ସେହି ଲୋୟର ପିଏମ୍ଜିରେ ଜାରି ରଖିବା ସହିତ ଏହି ମାସ ୨୦ ତାରିଖରେ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ସଂଖ୍ୟାରେ ଗାଁସାଥୀ ସ୍ଥାନୀୟ କଂଗ୍ରେସ ଭବନ ସାମ୍ନାରୁ ବାହାରି ବ୍ୟାରିକେଡ଼ ଯାଏ ଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେହି ରାଜରାସ୍ତାରେ ଦିନରାତି ପଡ଼ି ରହିବେ ବୋଲି ସଂଘ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାକ୍ରମ ଅନୁଯାୟୀ ଫେବୃୟାରୀ ୧୧ରେ ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ମୟୁରଭଞ୍ଜ, ରାୟଗଡ଼ା, ୧୨ରେ ସୋନପୁର, ନୂଆପଡ଼ା, ଦେବଗଡ଼, ଗଜପତି, କେନ୍ଦୁଝର ଓ ବୌଦ୍ଧ, ୧୩ରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନବରଙ୍ଗପୁର ଓ କନ୍ଧମାଳ, ୧୪ରେ କୋରାପୁଟ, ମାଲ୍କାନାଗିରି, ଭଦ୍ରକ ଓ ବାଲେଶ୍ୱର, ୧୫ରେ ଯାଜପୁର, ଅନୁଗୁଳ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଏବଂ ୧୬ରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର ଓ କଟକ ଜିଲ୍ଲାର ଗାଁସାଥୀମାନେ ଭୁବନେଶ୍ୱର ବିଧାନସଭା ଆଗ ଧାରଣାସ୍ଥଳରେ ଥିବା ୧୧ ନଂ ଗେଟରେ ଉପସ୍ଥିିତ ରହିବା ପାଇଁ ସଂଘ ତରଫରୁ ଆହ୍ୱାନ ଜଣାଇ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରତାପ ମଲ୍ଲିକ, ବୁଲି ସ୍ୱାଇଁ, ରୀନାରାଣୀ ବେହେରା, ଅରବିନନ୍ଦ ପଟେଲ, ଦୟାନିଧି ପଶାୟତ ବିଦ୍ୟାଧର ଭୋଇ, ସନାତନ ବେହେରା, ପ୍ରଭାସ ପଣ୍ଡା, ବିପିନ ନାୟକ, ପବିତ୍ର ସୁନ୍ଦରାୟ, ରମାକାନ୍ତ ମହାନ୍ତ ଓ ଅନ୍ୟ ତ୍ୟାଗୀ ଗୁଣୀ ଶତାଧିକ ଗାଁସାଥୀ ଉପସ୍ଥିତ ଥିଲେ ।