ଗୁଆ ଚାଷ କରିଛି ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ

ନିମାପଡ଼ା, (ସନ୍ତୋଷ ଦାଶ):ନିଜର ଇଚ୍ଛାଶକ୍ତି , କଠିନ ପରିଶ୍ରମ ଫଳରେ ଜଣେ ସଫଳ ଗୁଆ ଚାଷୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି କେଦାର ମହାନ୍ତି । ପୁରୀ ଜିଲ୍ଲା କାକଟପୁର ଅଶୃଙ୍ଖଳା ଗାଁ ର କେଦାର ମହାନ୍ତି ୧୯୯୭ ମସିହାରୁ ଗୁଆ ଚାଷ ଅଳ୍ପ ଅଳ୍ପ ଆରମ୍ଭ କରିଥିଲେ। ୧୯୯୯ ମସିହା ର ପ୍ରଳୟଙ୍କାରୀ ମହାବାତ୍ୟା ଯେତେବେଳେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ବିଶେଷକରି ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଧାନ ,ପାନ ଓ ନଡିଆ ଭଳି ଚାଷକୁ ଉଜାଡି ଦେଇଥିଲା ସେହି ସମୟରେ ଗୁଆ ଚାଷକୁ ଏକ ବିକଳ୍ପ ଚାଷ ଭାବେ କେଦାର ଆଦରି ନେଇଥିଲେ । କାରଣ ମହାବାତ୍ୟାର ପବନ ବାରିରେ ଥିବା ସବୁ ନଡିଆ ଗଛକୁ ଭାଙ୍ଗି ଦେଇଥିଲା । ହେଲେ ବାରିରେ ଥିବା କେତେଟା ଗୁଆ ଗଛ ସାମାନ୍ୟ ବଙ୍କା ହୋଇଯାଇଥିଲା ସିନା ଭାଙ୍ଗିନଥିଲା । ସବୁ ସମୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ଆମ ଉପକୂଳ ପରିବେଶ ଗୁଆ ଚାଷପାଇଁ  ଅନୁକୂଳ ବୋଲି ଉପଲବଧି କରି ସେଇଦିନ ଠାରୁ ସେ ଗୁଆ ଚାଷ ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି ।  ରାଜ୍ୟ ଓ ରାଜ୍ୟ ବାହାରୁ ସାହାପୁରି ,ଛିଟା, ଦାର୍ଜିଲିଂ , ମଙ୍ଗଳାଜାହାଜି ,ମାଣିକଚାନ୍ଦି ଆଦି ପ୍ରଜାତିର ଗୁଆ ଚାରା ସଂଗ୍ରହ କରି ସେ ଗୁଆ ଚାଷ କରୁଛନ୍ତି । ଗୋଟିଏ ଗଛରୁ ବାର୍ଷିକ ୫ରୁ ୮କେଜି ସଂଗ୍ରହ କରାଯାଉଥିବା ବେଳେ ବଜାରରେ ଏହା କିଲୋପିଛା ୪୫୦ରୁ ୫୫୦ ଟଙ୍କାରେ ବିକ୍ରି ହେଉଛି । ଦୁଇହଜାର ଗଛ ମଧ୍ୟରୁ ଏବେ ଏକହଜାର ଗଛରୁ ଫଳ ଅମଳ କରି ସେ ବେଶ ଦି ପଇସା ରୋଜଗାର କରୁଛନ୍ତି । କେଦାରଙ୍କ ସହ ହାତକୁ ହାତ ମିଳାଇ ତାଙ୍କ ପତ୍ନୀ କଳ୍ପନା ଓ ଶିକ୍ଷିତ ପୁଅ ମଧ୍ୟ ଏହି ଚାଷରେ ସେମାନେ ସହଯୋଗ କରୁଛନ୍ତି । ଉପକୂଳିଆ ପରିବେଶ ଗୁଆଚାଷ ପାଇଁ ଅନୁକୂଳ ଥିବାରୁ ଗୁଆ ଚାଷ ପାଇଁ ସରକାର ପୋତ୍ସାହନ ଦେବାପାଇଁ ଆଗେଇ ଆସିବା ଉଚିତ ବୋଲି ଉଦ୍ୟାନବିତ୍ତ ପଣ୍ଡିତ ତ୍ରିଲୋଚନ ମିଶ୍ର କହିଛନ୍ତି। ଦୁଇଟି ନଡିଆ ଗଛ ଯାଗାରେ ୫ଟି ଗୁଆଗଛ ଲାଗିପାରିବ ଓ ଗୋଟିଏ ନଡିଆଗଛ ରୁ ବାର୍ଷିକ ଆୟ ଠାରୁ ଗୁଆଗଛ ର ବାର୍ଷିକ ଆୟ ଅଧିକ । ଗୁଆ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମିତି କିଛି ଯୋଜନା ନଥିଲେ ମଧ୍ୟ ଉପକୂଳ ଅଞ୍ଚଳର ଚାଷୀମାନେ ଗୁଆଚାଷ କରିବାକୁ ଅସ୍ତରଙ୍ଗ ବ୍ଲକ ଉଦ୍ୟାନ ଅଧିକାରୀ ଯୁଗଳ କିଶୋର ବଳ ପରାମର୍ଶ ଦେଇଛନ୍ତି । ଗୁଆଚାଷ କରି କେଦାର ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟାନ୍ୟ ଚାଷୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ