ଗୁଗଲ ମୋବାଇଲ ଆପ୍ ଜରିଆରେ ଯୋଡାରେ ଚାଲିଛି ସଟ୍ଟା ଖେଳ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ନୂଆ କୌଶଳ ଅବଲମ୍ବନ କରି ଜୁଆଡିମାନେ ସଟ୍ଟା ଖେଳ ଆରମ୍ଭ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜଣାପଡିଛି ଯେ, ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳ, ହକି, ଫୁଟବଲ, କବାଡି , ଲୁଡୁ ଖେଳ ସହିତ ଇଣ୍ଡିଆ ଓ ପାକିସ୍ତାନର ବର୍ତମାନ ସ୍ଥିତି କୁ ନେଇ ଏହା ଭବିଷ୍ୟତରେ ଏହି ଦେଶ ଦ୍ୱୟର ସ୍ଥିତି କଣ ହେବ ଏହାକୁ ନେଇ ସଟ୍ଟାବାଜ ମାନେ ନୂଆ କୌଶଳ ଅବଲମ୍ବନ କରି ଜୁଆ ଖେଳୁଛନ୍ତି । ଯୋଡା ସହର ଭଳି ଏକ ଛୋଟ ସହରରେ ଲକ୍ଷ ଲକ୍ଷ ଟଙ୍କାର ସଟ୍ଟା ବାଜି ଲାଗୁଛି । ନୂଆ କୌଶଳିଟି ହେଲା ମୋବାଇଲି ଗୁଗଲ ଆପ୍ ଓ ପ୍ଲେ ଷ୍ଟୋର ଜରିଆରେ ସଟ୍ଟା ବାଜି ଖେଳାଯାଉଥିବା ଏକ ଆପ୍ଲିକେସନ କୁ ଡାଉନଲୋଡ କରାଯାଇଥାଏ । ପରେ ଏହି ଆପ୍ ରେ ଅଗ୍ରିମ ୫ହଜାର ଟଙ୍କା ଜମା କରାଗଲା ପରେ ସଂପୃକ୍ତ ଜୁଆଡିଙ୍କୁ ମେଲ୍ ଆଇଡି ଏବଂ ପାସଓାର୍ଡ ମିଳିଥାଏ । ପରବର୍ତୀ ସମୟରେ ସେ ଜୁଆ ଓ ସଟ୍ଟା ଖେଳକୁ ପରିଚାଳନା କରିଥାନ୍ତି । ଯୋଡା ସହରର ବସଷ୍ଟାଣ୍ଡ, କାଳୀ ମଣ୍ଡପ ପଛପଟେ , ଛୋଟ ଛୋଟ ପାନ ଦୋକାନ , ହୋଟେଲ, ଚା ଦୋକାନ, ମୁସଲିମ୍ ମାର୍କେଟ୍, ଆଜାଦ୍ ବସ୍ତି , ହୁଡି ସାହି, ପରିବା ମାର୍କେଟ, ସିନେମା ହଲ ଛକ, ବାଂଶପାଣି, ଗାଡିଗ୍ୟାରେଜ୍ ପ୍ରଭୃତି ସ୍ଥାନରେ ଏହି ନୂତନ କୌଶଳ ଅବଲ୍ୱନ କରି ସଟ୍ଟା ବାଜି ଖେଳ ଚାଲିଛି । ଏହି ଜୁଆ ଖେଳ ଦ୍ୱାରା ଅର୍ଥନୈତିକ ସ୍ଥରରେ ବହୁ ଲୋକ ଅନେକ ହଇରାଣ ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଥିବାରୁ ଏହା ଲାଭଖୋର ଜୁଆଡି ମାନଙ୍କ ପାଇଁ ଏକ ବ୍ୟବସାୟରେ ପରିଣତ ହୋଇଛି । କିଛିମାସ ପୂର୍ବେ ଆଇପିଏଲ ରେ ସଟ୍ଟା ଖେଳି ଲକ୍ଷାଧିକ ଟଙ୍କା ହାରିଯାଇଥିବା ଜଣେ ବ୍ୟବସାୟୀ ବେକରେ ରଶି ଦେଇ ଆତ୍ମହତ୍ୟା କରିବା ଘଟଣା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ଘଟିଲା ପରେ ମଧ୍ୟ ଯୋଡା ଅଂଚଳରେ ଏହି ସଟ୍ଟା ଖେଳକୁ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ କୌଣସି ତତ୍ପରତା ପାଇନଥିଲା । ବେଳ ଥାଉ ଥାଉ ପୋଲିସ ପ୍ରଶାସନ ଜୁଆ ଏବଂ ସଟ୍ଟା ଖେଳକୁ ନ ରୋକିପାରିଲେ ଏଥିରେ ବହୁ ଧନଜୀବନ ହାନି ହେବ ।