ଗୁଜରାଟ କଂଗ୍ରେସରେ ଫାଟ, ୪ଦିନରେ ଦଳ ଛାଡିଲେଣି ୩ନେତା ଇସ୍ତଫା ଦେଲେ ଆଉ ଜଣେ ବିଧାୟକ
ଅହମଦାବାଦ(ଏଜେନ୍ସି): ସାଧାରଣ ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ସଙ୍କଟ ବଢିବାରେ ଲାଗିଛି । ଆଜିକୁ ମିଶାଇ ଗତ ୪ଦିନ ମଧ୍ୟରେ ୩ଜଣ ବିଧାୟକ ଦଳ ଛାଡିସାରିଥିବା ବେଳେ ଗତ ମାସକ ମଧ୍ୟରେ ୫ବିଧାୟକ ଦଳରୁ ଇସ୍ତଫା ଦେଇସାରିଛନ୍ତି । ମିଳିଥିବା ସୂଚନାନୁସାରେ କଂଗ୍ରେସର ଜାମନଗର ବିଧାୟକ ବଲ୍ଲଭ ଧରଭିୟା ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି । ଧରଭିୟା ନିଜ ଆଡୁ ସ୍ୱତଃ ପ୍ରବୃତ୍ତଭାବେ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି । ତେବେ ସେ ବିଜେପିରେ ମିଶିପାରନ୍ତି ବୋଲି ଆକଳନ କରାଯାଉଥିବା ବେଳେ ସେସମ୍ପର୍କରେ ସେ କିଛି କହିନାହାନ୍ତି । ଧରଭିୟାଙ୍କ ପୂର୍ବରୁ ଧରଙ୍ଗଧର ବିଧାୟକ ପୁରଷୋତ୍ତମ ସବରିୟା ମାର୍ଚ୍ଚ ୮ରେ ଇସ୍ତଫା ଦେଇଥିଲେ । ପରେ ସେ ଶାସକ ଦଳ ବିଜେପିରେ ଯୋଗ ଦେଇଥିଲେ । ଜଳସେଚନ ଯୋଜନାରେ ଦୁର୍ନୀତି ଅଭିଯୋଗ କ୍ରମେ ସରବିୟା ଗତ ଅକ୍ଟୋବର ମାସରେ ଗିରଫ ହୋଇଥିଲେ । ପରେ ଗତମାସ ହାଇକୋର୍ଟରୁ ଜାମିନ ପାଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ବେଳେ ସବରିୟା କହିଥିଲେ ସେ କୌଣସି ଚାପରେ ଥାଇ କଂଗ୍ରେସ ଛାଡୁ ନାହାନ୍ତି । ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ଦଳ ଛାଡୁଥିବା କହିଥିଲେ । ଅନ୍ୟପକ୍ଷେ ତାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ଆଇନ ଅନୁଯାୟୀ ସେସବୁଥିରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସବରିଆ କହିଥିଲେ । ସେହିପରି ମାର୍ଚ୍ଚ ୮ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଧାୟକ ଜୱାହର ଚଭଡ଼ା । ଏହାପରେ ଶୁକ୍ରବାର ଜୱାହର ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଏମାନଙ୍କ ପୂର୍ବରୁ ଗତ ଫେବୃଆରୀରେ ଉନ୍ଝା ଆସନରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଆଶା ପଟେଲ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଏହି ୩ନେତାଙ୍କ ପଦାଙ୍କ ଅନୁସରଣ କରିବା ପୂର୍ବକ ବଲ୍ଲଭ ଧରଭିୟା ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗତ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଏଠାରେ ସକ୍ରିୟ ହୋଇଉଠିଥିବା କଂଗ୍ରେସ ଏବେ ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡ଼ିବା ଯୋଗୁ ଚିନ୍ତାରେ ପଡିଯାଇଛି । ପ୍ରକାଶ ଯେ, ବର୍ତ୍ତମାନ ଗୁଜରାଟ ବିଧାନସଭାରେ ୧୮୨ଟି ମୋଟ ଆସନରୁ ବିଜେପିର ୧୦୦ ବିଧାୟକ ଥିବା ବେଳେ କଂଗ୍ରେସର ୭୧ ବିଧାୟକ ଅଛନ୍ତି ।