ଗୁଜୁରାଟରୁ ପ୍ରବାସୀଶ୍ରମିକଙ୍କୁ ଆଣି ଚିକିତ୍ସା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଗରୀବ ପରିବାରର ଗୁଜୁରାଣ ମେଂଟାଇବାକୁ ପ୍ରାୟ ୬ମାସ ତଳେ ଗୁଜୁରାଟକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେଠାରୁ ଫେରାଇ ଆଣି ତାଙ୍କର ଚିକିତ୍ସା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଘଟଣା ଅନୁଯାଇ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ଗ୍ରାମର ଗୈାରାଙ୍ଗ ଚରଣ ପ୍ରଧାନଙ୍କ ପୁଅ କୁନା ପ୍ରଧାନ ନାମକ ଜଣେ ୨୨ବର୍ଷର ଯୁବକ ଅତ୍ୟନ୍ତ ଗରୀବ ଓ ଦିନମଜୁରିଆ ଶ୍ରେଣୀର । ଗତ ପ୍ରାୟ ୬ମାସ ତଳେ ନିଜ ଗରୀବ ପରିବାରର ଗୁଜୁରାଣ ମେଂଟାଇବାକୁ ସେ ଅନ୍ୟ ସାଙ୍ଗମାନଙ୍କ ସହିତ ଗୁଜୁରାଟ ଯାଇଥିଲା । ସେଠାରେ ସେ ଦାଦ୍ରା ଏବଂ ନଗର ହାବେଲିର ସିଲଭାସା ଭଲସଦର ରାଖୋଲିରେ ଶ୍ରମିକ ଭାବେ କାମ କରୁଥିବା ବେଳେ କରୋନା ଜନିତ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା । ସେଠାରେ ଭୋକଉପାସରେ ଜୀବନ ବିତାଉଥିବା ବେଳେ ହଠାତ ତାର ହାତରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ସେ ପକ୍ଷାଘାତ ରୋଗରେ ପିଡିତ ହୋଇ ପଡିଥିଲା । ସେଠାରେ ଥିବା ଓଡିଆମାନେ ତାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକ ଅର୍ଥ ସେମାନଙ୍କ ପାଇଁ ବାଧକ ସାଜିଥିଲା । ସେଠାରେ ଥିବା ଓଡିଆମାନେ ସେମାନଙ୍କ ପାଖରେ ଥିବା ଅର୍ଥ ଖର୍ଚ୍ଚକରି ତାର ଚିକିତ୍ସା କରାଇବାକୁ ପ୍ରଚେଷ୍ଟା କରାଇଥିଲେବି ଏବେ ସେମାନଙ୍କ ପାଖରେ ମଧ୍ୟ ଆଉ ଅର୍ଥ ନାହିଁ କୁନାର ଚିକିତ୍ସା କରିବାକୁ । ସେମାନେ ଏକ ଭିଡିଓ ଯୋଗେ ସମସ୍ତ ବିଷୟ ବର୍ଣ୍ଣନା କରି ଗ୍ରାମକୁ ପଠାଇବା ପରେ ଗ୍ରାମର କେତେକ ବଦାନ୍ୟ ଯୁବକ ଅର୍ଥ ଆଦାୟ କରି ସେଠାକୁ ପଠାଇଥିଲେ । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଏବେ କୁନାକୁ ଓଡିଶାକୁ ଫେରାଇ ଆଣି ତା’ର ଚିକିତ୍ସା କରାଯିବା ଜରୁରୀ ବୋଲି କହିଛନ୍ତି ବଡପାଳ ଗ୍ରାମର ସେହି ଯୁବକମାନେ । କୁନାର ଗ୍ରାମ ବଡପାଳରୁ ୮ଜଣ ଯୁବକ ସୋମବାର ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଲିଖିତ ନିବେଦନପତ୍ର ପ୍ରଦାନ କରିବା ସହିତ କୁନାର ଜୀବନ ରକ୍ଷା ନିମନ୍ତେ ତାକୁ ସେଠାରୁ ତୁରନ୍ତ ଗ୍ରାମକୁ ଫେରାଇ ଅଣାଯାଇ ତା’ର ଚିକିତ୍ସା କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । କୁନାର ପିତା ଗୈାରାଙ୍ଗ ଚରଣ ପ୍ରଧାନଙ୍କ ସମେତ ସୁବାଷ ପ୍ରଧାନ, ଯୁଗଳ ପ୍ରଧାନ, ଅଜୟ କୁମାର ଜେନା, ବିଜୟ ପ୍ରଧାନ, ଅଶୋକ ପ୍ରଧାନ, ନିର୍ମଳ ପ୍ରଧାନ, ସୈାରି ପ୍ରସାଦ ପ୍ରଧାନ, ମନୋରଞ୍ଜନ ଦାସ, ଖଗେଶ୍ୱର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ ।