‘ଗୁଡ ସାମାରିଟାନ’ ବ୍ୟବସ୍ଥା ସୁଦୃଢ଼ ଉପରେ ଗୁରୁତ୍ୱ

ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲ୍ଲା ସଡ଼କ ସୁରକ୍ଷା କମିଟିରଏକ ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମୀ ରଞ୍ଜିତ ଦଳବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଜିଲ୍ଲା ଅଧିକାରୀ,ଜିଲ୍ଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ, ପୁଲିସ ଅଧିକାରୀ, ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକର ଆବାହକ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦଳବେହେରା ଗତ ଅକ୍ଟୋବର ମାସ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ଦୁର୍ଘଟଣା ଘଟିବାର ୨୪ଘଣ୍ଟା ମଧ୍ୟରେ ମିଳିତ ସରଜମିନ୍ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ପ୍ରାବଧାନ ରହିଥିଲେ ହେଁ ଏଥିରେ ବ୍ୟତିକ୍ରମ ହେଉଥିବାରୁ ଏହାକୁ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଏବଂ ସଡକ ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ବିଭିନ୍ନ ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାର କଡାକଡି ଅନୁପାଳନ ପାଇଁ ବୈଠକରେ ଗୁରୁ୍‌ତ୍ୱାରୋପ କରାଯାଇଥିଲା । ଜାତୀୟ ରାଜପଥରୁ ବାଲେଶ୍ୱରକୁ ରହିଥିବା ପ୍ରବେଶ ପଥରେ ଉପଯୁକ୍ତ ସାଇନେଜ ନ ଥିବାରୁ ଗାଡି ଚାଳକ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ପ୍ରବେଶ ପଥରେ ସାଇନେଜ ବ୍ୟବସ୍ଥା ସହ ବାମପଦା ଛକ ଠାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କୁହାଯାଇଥିଲା । ଖାଲ ଢିପ ଥିବା ସର୍ଭିସ ରୋଡ଼ଗୁଡିକର ଯଥାଶୀଘ୍ର ମରାମତି କରାଯିବା, ବିନା ହେଲମେଟ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିବା, ନାବାଳକ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା, ବ୍ୟାରିକେଡିଂ ବ୍ୟବସ୍ଥା ଉପରେ ସଡକ ସୁରକ୍ଷା ସମିତିର ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ବାଲେଶ୍ୱର ସହରରେ ଯଥାଶୀଘ୍ର ସିସିଟିଭି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା, ବାଇକ ଚାଳକଙ୍କ ପାଇଁ “ନୋ ହେଲମେଟ୍‌, ନୋ ପେଟ୍ରାଲ” ନୀତିକୁ ଲାଗୁ କରିବା, ଜାତୀୟ ରାଜପଥରେ ଟ୍ରକ୍ ପାର୍କିଂ ସମସ୍ୟାକୁ ଏଡାଇବା ପାଇଁ ଟ୍ରକ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଇତ୍ୟାଦି ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ବାଲେଶ୍ୱର ସହର ମଧ୍ୟରେ ଥିବା ଫ୍ଲାଇ ଓଭର ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଏହା ଉପରେ ଭାରୀଯାନ ଚଳାଚଳକୁ ଅନୁମତି ନ ଦେବା ପାଇଁ ଏଥିରେ ଆଲୋଚନା ହୋଇଥିଲା । ୨୦୨୦ରୁ ଡିସେମ୍ବର ୨୦୨୨ ମଧ୍ୟରେ ୫୦୮୯ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ୨୧୬୮ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯାଇଛି । ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ୨୦୨୧ ମସିହା ଜାନୁୟାରୀ ରୁ ଡିସେମ୍ବର ମଧ୍ୟରେ ସମୁଦାୟ ୪୩୦ଟି ଦୁର୍ଘଟଣା ଘଟିଛି ଏବଂ ଏହି ସମୟ ମଧ୍ୟରେ ୨୨୪ ଜୀବନହାନୀ ହୋଇଛି । ସେହିପରି ୧୯୦ଜଣ ଗୁରୁତର ଆହତ ହୋଇଥିବା ବେଳେ ୬୪ଜଣ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହିତ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଗୁଡ୍ ସାମାରିଟାନ୍ ବ୍ୟବସ୍ଥାକୁ ଅଧିକା ସୁଦୃଢ଼ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ତରଫରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସପିଟାଲ ପହଞ୍ଚାଇବାରେ ସହାୟତା କରିଥିବା ୬ଜଣ ଗୁଡ ସାମାରିଟାନ(ଭଲ ସାହାଯ୍ୟକାରୀ) ହୃଷିକେଶ ତରେଇ, ଜିତେନ୍ଦ୍ର ପ୍ରାମାଣିକ, ଜିତେନ୍ଦ୍ର କୁମାର ପଣ୍ଡା, ଶଶିକାନ୍ତ ନାୟକ, ଆର୍ଯ୍ୟବ୍ରତ ଭୂୟାଁ ଓ ନନ୍ଦନ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକଙ୍କୁ ମାନପତ୍ର ଏବଂ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ