ଗୁଣିଆ ସନ୍ଦେହରେ ଜଣେ ମହିଳା ଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ
କୋଦଳା, (ଗୁଲସନ କୁମାର କର):ପୁଣି ଦୁଇ ରୁ ଉର୍ଦ୍ଧ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି lଜନ ଶୂନ୍ୟ ହୋଇପଡିଛି ପୁରା ଗାଁ। ଘଟଣା ରେ ଶତାଧିକ ମହିଳା ଓ ପୁରୁଷଙ୍କୁ ପୋଲିସ ଅଟକରଖିଥିବା ସୂଚନା ମିଳିଛି। ଆଜିର ଏହି ଆଧୁନିକ ସଭ୍ୟ ସମାଜରେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ l ଏହି ଅନ୍ଧବିଶ୍ୱାସ ର ବସବର୍ତ୍ତୀ ହୋଇ ଲୋକେ ଘଟଉଛନ୍ତି ଅମାନବୀୟ କାଣ୍ଡ l ଗୁଣି ଗାରେଡି ସନ୍ଦେହରେ ନେଉଛନ୍ତି ନିଜ ପ୍ରିୟ ଜନ ଙ୍କ ଜୀବନ ଓ ପ୍ରଶାସନ କୁ ଦେଉଛନ୍ତି ଖୋଲା ଖୋଲି ଚାଲେଞ୍ଜ l ଏହି ଭଳି ଏକ ସଦ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳ ଗ୍ରାମରେ l ଗତକାଲି ରାତିରେ ଗ୍ରାମରେ ଗୁଣି ଗାରେଡି ସନ୍ଦେହ କରି କିଛି ପରିବାର କୁ ଆକ୍ରମଣ ହୋଇଥିବା ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ ଗ୍ରାମର ଯୁଧିଷ୍ଠିର ନାହାକ l ପରେ ଆକ୍ରମଣ ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର ଲାଗି ଗ୍ରାମରେ ପହଞ୍ଚି ଥିଲା ପୋଲିସ l ତେବେ ପୋଲିସକୁ ଗ୍ରାମ ଭିତର କୁ ପୁରାଇ ଦେଇନଥିଲେ ଗ୍ରାମବାସୀ l ପୁରୁଷୋତମପୁର ଏସଡିପିଓ,କବିସୂର୍ଯ୍ୟନଗର ଥାନା ଅଧିକାରୀ ଙ୍କ ସମେତ ତିନି ଥାନା ଅଧିକାରୀ ଓ ଚାରି ପ୍ଲାଟୁନ ପୋଲିସ ଗ୍ରାମରେ ପହଞ୍ଚି ଆକ୍ରମଣ ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିବା ବେଳେ ଘଟଣାରେ ସମ୍ପୃକ୍ତ 9 ଜଣ ଙ୍କୁ ଅଟକ ରଖିଥିଲା ପୋଲିସ l ଲୋକଙ୍କ ରାଗ ଏତେ ଉଗ୍ର ଥିଲା ଯେ ଗତକାଲି ଥାନାରେ ଅଭିଯୋଗ କରିଥିବା ଯୁଧିଷ୍ଠିର ଙ୍କ ପତ୍ନୀ ଝୁନୁଲତା ନାହାକ ଙ୍କୁ ଗ୍ରାମବାସୀ ଆକ୍ରୋଶ ମୂଳକ ଭାବେ ପିଟି ପିଟି ହତ୍ୟା କରିବା ସହିତ ତାଙ୍କ ଦୁଇ ପୁଅ କୁ ଗ୍ରାମ କୋଠଘରେ ବାନ୍ଧି ରଖିଥିବା ନେଇ ଆଜି ସକାଳୁ ଖବର ପାଇବା ପରେ ପୋଲିସ ପୁଣି ଗ୍ରାମରେ ଚଢ଼ାଉ କରି ମୃତଦେହ ଜବତ କରିବା ସହିତ ଗ୍ରାମରେ ଶତାଧିକ ଲୋକଙ୍କୁ ଉଠାଇ ନେଇଥିଲା l ବର୍ତ୍ତମାନ ମଧ୍ୟ ପୋଲିସ ଛାଉଁଣିରେ ଗ୍ରାମ ରହିଥିବା ବେଳେ ଜନ ଶୂନ୍ୟ ହୋଇପଡିଛି ଗ୍ରାମ l ଅନ୍ଧ ବିଶ୍ୱାସ ର ବସବର୍ତ୍ତୀ ହୋଇ ଗ୍ରାମବାସୀ ଏହି ଭଳି ଅମାନବୀୟ କାଣ୍ଡ ଭିଆଇ ଥିବା ବେଳେ ପ୍ରଶାସନ ପାଇଁ ସୃଷ୍ଟି ହୋଇଛି ଚାଲେଞ୍ଜ।