ଗୁଣି ଗାରେଡି ରୋକିବା ଦିଗରେ ଜିଲ୍ଲା ସ୍ତରୀୟ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା):ଗୁଣି ଗାରେଡି ଓ ଅନ୍ଧ ବିଶ୍ବାସକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଓଡିଶାର ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି, ଜିଲ୍ଲାରେ ଡାହାଣୀ ପ୍ରଥା , ଗୁଣି ଗାରେଡି ଭଳି ଅନ୍ଧବିଶ୍ବାସ ପ୍ରଥା ନିରୋଧ ସମ୍ପର୍କିତ ସଚେତନତା କର୍ମଶାଳାରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବିଶେଷ କରି ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଉପରେ ଅଧିକ ବିଶ୍ବାସ ରଖି ଥାଆନ୍ତି ଏବଂ ଅନ୍ଧ ବିଶ୍ବାସର ପରିଣାମ ସ୍ବରୂପ ଅନେକ ନିରୀହ ଲୋକଙ୍କ ଜୀବନ କଷ୍ଟମୟ ହେବା ସହିତ ଅସମୟରେ ଜୀବନ ଯାଉଛି ।ଏଣୁ ବ୍ୟାପକ ସଚେତନତା ଓ ଅନ୍ଧ ବିଶ୍ବାସ ବିରୁଦ୍ଧରେ ଧାରଣା ଲୋକଙ୍କ ମଧ୍ୟରେ ଜାଗ୍ରତ ହୋଇ ପାରିଲେ ଏହିଭଳି କୁକର୍ମରୁ ଲୋକେ ବିରତ ରହିବେ । ନିଜସ୍ବ ପରମ୍ପରା ହେଉ କିମ୍ବା ଡାହାଣୀ ଭଳି ଅନ୍ଧବିଶ୍ବାସ ହେଉ ସେ ଉପରେ ଗୁରୁତ୍ବ ନ ଦେଇ ଆମେ ଯଦି ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଯତ୍ନଶୀଳ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ତେବେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ପୂର୍ବ ପ୍ରଚଳିତ ଅନ୍ଧ ବିଶ୍ବାସ ଠାରୁ ଦୂରରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିବ । ଡାହାଣୀ ପ୍ରଥା ନିରୋଧ ଆଇନ୍ ୨୦୧୩ ଅନୁସାରେ ଥିବା ଦଣ୍ଡ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହି ପ୍ରଚଳିତ ଦଣ୍ଡବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ହେତୁ ଏହାର ସଂଶୋଧନ କରି ଆଇନ୍ ର ଦଣ୍ଡ ବିଧାନକୁ କଠୋର କରାଯିବା ନେଇ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଗୁଣି ଗାରେଡି କିମ୍ବା ଡାହାଣୀ ସମ୍ପର୍କରେ ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ସମ୍ମାନ ଓ ପୁରସ୍କାର ରାଶି ଦେଇ ଉତ୍ସାହିତ କରିବା ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ରହିଥିବା ହେତୁ ପ୍ରଶଂସା କରାଯାଇଥିଲା । କର୍ମଶାଳାଟିରେ ପୋଲିସ୍ ପ୍ରଶାସନ ପକ୍ଷରୁ ଡାହାଣୀ କିମ୍ବା ଗୁଣିଗାରେଡି ରୋକିବା ସକାଶେ ଆଇନ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଡେପୁଟିକଲେକ୍ଟର (ଜୁଡ଼ିସିଲ )ଦୀପ୍ତିମୟୀ ପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆଵିଦା ପରବିନ, ଆକ୍ସନଏଡ୍ ଜିଲ୍ଲା ସଂଯୋଜକ ଦେବ ବ୍ରତ ମାହୁନ୍ତ ଆଇନର ବିଭିନ୍ନ ପରିସର ଏବଂ ଏହାର ଦଣ୍ଡ ବିଧାନ ସମ୍ପର୍କିତ ବିଭିନ୍ନ ପରିଧି ବିଷୟ ନେଇ ଅବଗତ କରାଇଥିଲେ । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏଡିଏମ ଓ (ପରିବାର ଓ କଲ୍ୟାଣ ) ଡାକ୍ତର ସରୋଜିନୀ ଦେବୀ,ଜିଲ୍ଲାର ସମସ୍ତ ଶିୁଶୁ ବିକାଶ ଯୋଜନା ଅଧି୍କାରୀ , ଓ୍ବାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଚାଇଲଡ ଲାଇନ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।