ଗୁଣ୍ଡିଚା ମନ୍ଦିର ପଡ଼ିଆରେ ରଙ୍ଗୋଲି ପ୍ରତିଯୋଗିତା ଓ ରାସଲୀଳା କାର୍ଯ୍ୟକ୍ରମ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ପ୍ରତିବର୍ଷ ଭଳି ରଥ ଉତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମ ତଥା ରାସଲୀଳାରେ ମଜିଲେ ଜଗନ୍ନାଥପ୍ରେମୀ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଇମାମୀ ନଗରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଆଜି ଦ୍ୱିତୀୟଦିନରେ ମହାପ୍ରଭୁଙ୍କର ସମସ୍ତ ପୂଜାର୍ଚ୍ଚନା ସମାପନ ସାଙ୍ଗକୁ ଅପରାହ୍ନ ୩ଟାରୁ ୫ଘଟିକା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରସ୍ଥିତ ଭଜନ ମଣ୍ଡପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା କଳାକାରଙ୍କ ଦ୍ୱାରା ରଙ୍ଗୋଲି କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ସେହିପରି ଅପରାହ୍ନ ୬ ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରସ୍ଥ ମେଳା ପଡ଼ିଆରେ ମା’ ଭଗବତୀ ସଂକୀର୍ତ୍ତନ ମଣ୍ଡଳୀ, ନରସିଂହପୁର ଓ ଦଧିବାମନ କୀର୍ତ୍ତନମଣ୍ଡଳୀ, ଆରପଟା ମଧ୍ୟରେ ହରିନାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଶ୍ରଦ୍ଧାଳୁମାନ ବେଶ୍ ବିମୋହିତ ହୋଇଥିଲେ । ସେହିପରି ସନ୍ଧ୍ୟା ୭ଘଟିକା ଠାରୁ ୮ ଘଟିକା ୩୦ମିନିଟ୍ ପର୍ଯ୍ୟନ୍ତ ବୃନ୍ଦାବନସ୍ଥିତ ବିଶିଷ୍ଟ ବିଶିଷ୍ଟ କଳାକାରଙ୍କ ଦ୍ୱାରା ଶ୍ରୀକୃଷ୍ଣ ଚରିତ୍ର ଆଧାରିତ ଚିତ୍ତାକର୍ଷକ ରାସଲୀଳା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଜଣାପଡ଼ିଛି । ପ୍ରତିବର୍ଷଭଳି ଚଳିତବର୍ଷ ଦ୍ୱିତୀୟ ଦିନରେ ଗୁଣ୍ଡିଚା ମନ୍ଦିରରେ ଚିତ୍ତାକର୍ଷକ ସାଜସଜ୍ଜା ସାଙ୍ଗକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ ଓ ପ୍ରସାଦସେବନର ବ୍ୟବସ୍ଥା ଜାରିରହିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ସୁଶିଲ୍ କୁମାର ଗୋୟେଙ୍କା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ଥାନୀୟ କାଗଜକଳର ମୁଖ୍ୟ ସଂଚାଳକ ଶ୍ରୀ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ଶ୍ରୀ ସୁଶୀଲ୍ କୁମାର ଖୈତାନ୍, ବରିଷ୍ଠ ଉପସଭାପତି ଆଶିଷ୍ ଏ. ଗୁପ୍ତା ତଥା ମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସିଂହସାମନ୍ତ, ମନ୍ଦିରର ମୁଖ୍ୟପୂଜକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ଓ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟପରିଚାଳନାରେ ସହଯୋଗ କରୁଥିବା ଜଣାପଡ଼ିଛି ।