ଗୁପ୍ତ ବୁଝାମଣା ନୁହଁ, ଖୋଲା ଆଲୋଚନାରେ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) – ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ବିଜେଡି ଓ ବିଜେପି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ, ଏହା ଖୋଲା ଆଲୋଚନା ମାଧ୍ୟମରେ ହୋଇଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ବୋଲି ଗଣମାଧ୍ୟମର ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ,  ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ବୁଝାମଣା ହୋଇଛି । ବୁଝାମଣା ପଛରେ ବିକାଶ ହିଁ ମୁଖ୍ୟ । ଏହା ଦ୍ୱାରା ଓଡିଶା ଲାଭ ପାଇବ । ତେଣୁ ସମାଲୋଚନାକୁ ତା’ ବାଟରେ ଯିବାକୁ ଦିଆଯାଉ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଶ୍ୱିନୀ ବୈଷ୍ଣବ ବିଜେପି ସଦସ୍ୟ । ଶ୍ରୀ ବୈଷ୍ଣବ ବିଜେପି ତରଫରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ତାଙ୍କ କାର୍ଯ୍ୟଦକ୍ଷତା ଦେଖାଇଥିଲେ । ସ୍ୱର୍ଗତ ଅଟଳ ହିହାରୀ ବାଜପେୟୀଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲେ । ଆଜିର ଦିନରେ ତାଙ୍କର ଯେଉଁ ଦୃଷ୍ଟି ଓ ଭୂମିକା ଅଛି ତାହା ଓଡିଶା ଏବଂ ବିଜେପିକୁ ସହାୟକ ହେବ । ଓଡିଶାର ଜନସାଧାରଣ ବିଜେପିକୁ ବିରୋଧୀ ଦଳର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ ବୋଲି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ