ଗୁରୁଙ୍କ ପାଇଁ ଦିନଟିଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଗୁରୁଙ୍କ ପାଇଁ ଦିନଟିଏ । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖଟିକୁ ସେହି ମହାନ୍ ଜନନାୟକଙ୍କ ଉଦ୍ଦେଶ୍ୟରେ ଦେଶବାସୀ ପାଳୁଛନ୍ତି ଏହି ପବିତ୍ର ଗୁରୁଦିବସଟିକୁ । ଏହି ଅବସରରେ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ, ଅଧ୍ୟାପକମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ର ଛାତ୍ରୀ । ଆଜିର ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବା ୪ର୍ଥ ଶ୍ରେଣୀର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ଗୁରୁଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ଆଙ୍କିଛନ୍ତି ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନର ଚିତ୍ର । ସେ ଏହି ମର୍ମରେ କୁହନ୍ତି, ଗୁରୁ ହିଁ ଈଶ୍ୱର । ଯୁଗେ ଯୁଗେ ଗୁରୁ ହେଉଛନ୍ତି ପୂଜ୍ୟ ଓ ଚିର ନମସ୍ୟ । ସେ ହେଉଛନ୍ତି ଜ୍ଞାନରୂପୀ ଆଲୋକ । ଅନ୍ଧକାରରୁ ଆମ ହାତ ଧରି ଜ୍ଞାନର ରାସ୍ତା ଦେଖାଇଥାନ୍ତି । ଆମ ଜୀବନରେ ଗଢ଼ିଦିଅନ୍ତି ଜ୍ଞାନର ଭଣ୍ଡାର । ଗୁରୁଙ୍କ ବିନା ବିଦ୍ୟା ଅର୍ଜନ କରିବା ଅସମ୍ଭବ । ଗୁରୁ ଆମକୁ କେବେ ଆକଟଭରା କଠୋର ଅନୁଶାସନ କରନ୍ତି ତ ଆଉ କେବେ ଉତ୍ସାହପ୍ରଦ ପ୍ରେରଣା ଦେଇଥାନ୍ତି । ଯାହା ଆମକୁ ସାଧାରଣରୁ ଅସାଧାରଣ ମୁକୁଟ ପିନ୍ଧାଇ ପାରିଥାଏ । ମୋ ଗୁରୁ ମୋ ପାଇଁ ଦେବତା ବୋଲି ପ୍ରତ୍ୟେକ ଛାତ୍ରଛାତ୍ରୀ ଏହି ଆଦର୍ଶରେ ଅନୁପ୍ରାଣୀତ ହେବା ଉଚିତ୍ ବୋଲି ଶାନ୍ତନୁ କହିଛନ୍ତି ।