ଗୁରୁତର ମାଙ୍କଡ଼କୁ ଉଦ୍ଧାର କଲେ ଗ୍ରାମବାସୀପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତ ଯୋଗୁଁ ଉତେଜନା

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ରବିବାର ସନ୍ଧ୍ୟା ପ୍ରାୟ ୭ ଘଂଟା ସମୟରେ ହିଂଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ଏକ ମାଙ୍କଡ଼କୁ ଗୁରୁତର ଅସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ । ଉକ୍ତ ସମୟରେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଘଟଣା ନେଇ ପ୍ରାଣୀ ଚିକିତ୍ସକଙ୍କୁ ବାରମ୍ବାର ଅବଗତ କରିବା ପରେ ଦୀର୍ଘ ୧ ଘଂଟା ବିଳମ୍ବରେ ଜୈନିକ କର୍ମଚାରୀ ଚିକିତ୍ସାଳୟରେ ପହଂଚି ଗୁରୁତର ମାଙ୍କଡ଼ର ଚିକିତ୍ସା କରିଥିଲେ । ପ୍ରକାଶ ଥାଉକି, ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ପ୍ରାଣୀ ଚିକିତ୍ସକଙ୍କ ସମେତ କର୍ମଚାରୀଙ୍କ ରହିବା ସକାଶେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ କ୍ୱାଟର ନିର୍ମାଣ କରାଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିୁଛି । ପ୍ରତ୍ୟେହ ସକାଳ ୮ ଟାରୁ ମଧ୍ୟାନ୍ନ ୧୨ ଘଂଟା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକ ଚିକିତ୍ସାଳୟରେ ରହୁଥିବା ବେଳେ ଅବଶିଷ୍ଟ ସମୟ ବ୍ରହ୍ମପୁର ସ୍ଥିତ ବାସଭବନରେ ରହୁଥିବା ଜଣାପଡ଼ିଛି । ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ କର୍ମକ୍ଷେତ୍ର ସ୍ଥାନରେ ରହିବା ସକାଶେ ସରକାରଙ୍କ  କଡ଼ା ନିର୍ଦ୍ଦେଶ ରହିଥିବା ବେଳେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯଦ୍ୱାରା ବହୁ ସମୟରେ କୌଣସି ଗୃହପାଳିତ ପଶୁ ରୋଗରେ ପିଡ଼ିତ ହେଲେ କିମ୍ବା ଦୂର୍ଘଟଣାର ସମ୍ମୁଖୀନ ହେଲେ ତୁରନ୍ତ ଚିକିତ୍ସା ସେବା ମିଳିପାରୁନଥିବା ନେଇ ଅଂଚଳର ବହୁ ଗୋପାଳକ ଅଭିଯୋଗ କରିଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଅଂଚଳବାସୀ ଦାବୀ ଜଣାଇଛନ୍ତି ।ଫଟୋ- ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହିଥିବାରୁ ଗୁରୁତର ମାଙ୍କଡ଼ର ଚିକିତ୍ସା ସକାଶେ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ