ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ଆର୍ଥିକ ଅନିୟମିତତାଓ ବେଆଇନ କାରବାର : ୪ ଅଭିଯୁକ୍ତ କାର୍ଯ୍ୟରୁ ବହିଷ୍କୃତ
ଭୁବନେଶ୍ୱର, (ୱାଇଏନ୍ଏସ୍): କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାରରେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ନିଲମ୍ବିତ ହୋଇଥିବା ସମିତିର ସଂପାଦକ ବିଜୟ କୁମାର ଦାସ ଓ ନିଲମ୍ବିତ ପିଅନ ପ୍ରବୋଧ ରଂଜନ ପରିଡ଼ାଙ୍କୁ ସମିତିର ପରିଚାଳନା ପରିଷଦ ବହିଷ୍କାର କରିଛନ୍ତି ।ସେହିପରି ଜିଲ୍ଲାପାଳ, କଟକ ତଥା କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସକଙ୍କ ଅନୁମୋଦନ କ୍ରମେ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ଶାଖା ପରିଚାଳକ ପ୍ରମୋଦ କୁମାର ଦାସ, ପୂର୍ବତନ ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ସେହିପରି ଚୌଦ୍ୱାର କେନ୍ଦ୍ର ସମବାୟଶାଖାର ପୂର୍ବତନ ସହକାରୀ ପରିଚଳାକ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ବ୍ୟାଙ୍କିଂ ସହାୟକ ପଦକୁ ପଦାବନତ କରାଯାଇଛି ।ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ସହକାରୀ ପରିଚଳାକ ତଥା କୋଷାଧ୍ୟକ୍ଷ ବାବାଜୀ ଚରଣ ପ୍ରଧାନ ଓ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ତଦନ୍ତ ମଧ୍ୟରେ ଚାକିରିରୁ ଅବସର ନେଇଛନ୍ତି । ସମସ୍ତ ପାଂଚ ଜଣ ଅଭିଯୁକ୍ତଙ୍କଠାରୁ ଅନିୟମିତତା ଅର୍ଥ ଆଦାୟ କରିବା ପାଇଁ ଆଦେଶ ହୋଇଛି । ସୂଚନାଯୋଗ୍ୟ ଯେ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ଆର୍ଥିକ ଅନିୟମିତତା ଓ ବେ ଆଇନ କାରବାର ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତୁରନ୍ତ ନିବନ୍ଧକ ସମବାୟ ସମିତି ସମୂହ, ମହାସମୀକ୍ଷକ, ସମବାୟ ସମିତି ସମୂହଙ୍କ ତା.୧୨/୦୩/୨୦୨୦ରିଖ ନିର୍ଦ୍ଦେଶ କ୍ରମେ ଏକ ୧୧ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତା.୦୩/୦୬/୨୦୨୦ରେ ତଦନ୍ତକାରୀ ଦଳ ସମିତିରେ ହୋଇଥିବା ଧାନକ୍ରୟ ତଥା ଫସଲ ଋଣ କାରବାର ରେ ଅର୍ଥ ହେରଫେର ହୋଇଥିବା ଦର୍ଶାଇଥିଲେ । ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ଦୋଷୀ କର୍ମଚାରୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ୬ ଜଣ କର୍ମଚାରୀ ଯଥା ଶାଖା ପରିଚାଳକ
ପ୍ରମୋଦ କୁମାର ଦାଶ, ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ସହ-ପରିଚାଳକ ଚିତ୍ରାନନ୍ଦ ଜେନା, ସହ- ପରିଚାଳକ ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ଓ ଚୌଦ୍ୱାର ବ୍ୟାଙ୍କ ଶାଖାର ସହ ପରିଚଳାକ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଗୁରୁଡ଼ିଝାଟିଆ ସେବା ସମିତିରେ କାର୍ଯ୍ୟରତ ୩ ଜଣ କର୍ମଚାରୀ ଯଥା ସଂପାଦକ ବିଜୟ କୁମାର ଦାସ, ସହ-ସଂପାଦକ ସଂଗ୍ରାମ କେଶରୀ ସାହୁ ଓ ପିଅନ ପ୍ରବୋଧ ରଂଜନ ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।ଗୁରୁଡିଝାଟିଆ ସେବା ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ହେରଫେର ଉପଯୁକ୍ତ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମ ବ୍ରାଂଚ, ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଏସ୍ପିଙ୍କୁ ନିବନ୍ଧକ ସମବାୟ ସମିତି ସମୂହ ଗତ ତା. ୧୦/୦୬/୨୦୨୦ ଓ ତା. ୦୬/୧୦/୨୦୨୦ରିଖରେ ଅନୁରୋଧ କରିଥିଲେ ଏବଂ ଏହି ତଦନ୍ତ ପ୍ରକ୍ରିୟା ବର୍ତମାନ ଜାରି ରହିଛି । ଏହି ତଦନ୍ତ ଆଧାରରେ ଯେଉଁ ଚାଷୀ ସଭ୍ୟଙ୍କର ଋଣ ଅର୍ଥ ପ୍ରଦାନରେ ହେରଫେର ପ୍ରମାଣିତ ହେବ, ଉକ୍ତ ଅର୍ଥ ଦାୟୀ କର୍ମଚାରୀମାନଙ୍କଠାରୁ ଆଦାୟ କରାଯିବ ।ଅନିୟମିତତାରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହ ଣ କରାଯିବ । ଆର୍ଥିକ ଅନିୟମିତତାରେ କ୍ଷତିଗ୍ରସ୍ତ ଋଣୀ ଚାଷୀମାନଙ୍କ ସ୍ୱାର୍ଥକୁ ଆଇନ ମତେ ସୁରକ୍ଷା ପ୍ରଦାନ କରାଯିବ । ସମବାୟ ସମିତି ମହାସମୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷର ସମୀକ୍ଷା କରାଯାଉଅଛି ଓ ଇତି ମଧ୍ୟରେ ୨୦୧୮-୧୯ ବର୍ଷର ସମୀକ୍ଷା ଶେଷ ହୋଇଛି ଓ ୨୦୧୯-୨୦ର ସମୀକ୍ଷା ଚାଲୁ ରହିଛି । ସମୀକ୍ଷା ରିପୋର୍ଟ ହସ୍ତଗତ ହେଲାପରେ ସମବାୟ ସମିତି ଆଇନ-୧୯୬୨ ଧାରା ୬୭ ପ୍ରକାରେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ ସରଚାର୍ଜ ପ୍ରୋସିଡିଙ୍ଗ୍ ହୋଇ ଅର୍ଥ ଆଦାୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।


