ଗୁରୁ ଗୌରବ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନ
ବିପିନ ବିହାରୀ ମହାନ୍ତି
ଭାରତୀୟ ପରମ୍ପରାରେ ଗୁରୁପୂଜା କେଉଁ ପୁରାତନ ଯୁଗରୁ ଚଳି ଆସୁଅଛି । ତେବେ ବ୍ୟକ୍ତି ବିଶେଷଙ୍କୁନେଇ ଏବଂ ତାଙ୍କ ଜନ୍ମତିଥିକୁ ଧରି ଗୁରୁଦିବସ କେବଳ ଦୁଇଜଣଙ୍କପାଇଁ ପାଳନ କରାଯାଏ । ପ୍ରଥମଟି ଦିବସଟି ହେଲା ମହର୍ଷି ବ୍ୟାସଦେବଙ୍କପାଇଁ ତାଙ୍କ ଜନ୍ମ ତିଥି ଆଷାଡ଼ ପୂଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଏବଂ ଦ୍ୱିତୀୟଟି ହେଲା ସେପ୍ଟେମ୍ବର ୫ ତାରିଖ ଯାହାକି ଆମର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଏବଂ ପ୍ରଣମ୍ୟ ଗୁରୁଙ୍କର ଜନ୍ମ ତିଥି । ପ୍ରଥମ ଗୁରୁ ଦିବସଟି ଅତି ପୁରାତନ ଯୁଗରୁ ପ୍ରଚଳିତ ଥିଲାବେଳେ, ଦ୍ୱିତୀୟଟି ୧୯୬୨ ମସିହା ସେପ୍ଟେମ୍ବର ୫ ତାରଖରୁ ପାଳିତ ହୋଇଆସୁଅଛି ।
ଡ଼. ସର୍ବପଲ୍ଲୀ ରାଧା କ୍ରିଷ୍ଣନ ସେପ୍ଟେମ୍ବର ୫, ୧୮୮୮ ମସିହାରେ ମାଡ଼୍ରାସ ସହର ନିକଟବର୍ତ୍ତି ତୀରୁତାନୀଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଶୈଶବରୁ ତାଙ୍କ ବାପା ଚାହିଁଥିଲେ ଯେ, ସେ ଇଂରାଜି ନ ପଢ଼ୁ ଏବଂ ତା’ ପରିବର୍ତ୍ତେ ପୁରୋହିତୀ କାମ କରୁ । କିନ୍ତୁ ପଢ଼ାରେ ତାଙ୍କ ବିଚକ୍ଷଣତା ତାଙ୍କୁ ତିରୁପତୀ ବିଦ୍ୟାଳୟ ଏବଂ ପରେ ଭେଲୋର ରେ ପଢ଼େଇବାକୁ ବାଧ୍ୟ କଲା । ତାପରେ ସେ ମାଡ଼୍ରାସର ଖ୍ରୀଷ୍ଟ୍ରିଆନ କଲେଜରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ କଲେ ଏବଂ ସେହି ଶାସ୍ତ୍ରରେ ସେ ଅଗାଧ ଜ୍ଞାନ ଆହାରଣ କଲେ । ଏହାପରେ ସେ ଇଂଲଣ୍ଡ ଯାଇ ଶିକ୍ଷା ଗ୍ରହଣ କରିଥିଲେ ।
ଦର୍ଶନ ଶାସ୍ତ୍ରରେ ଅଧ୍ୟୟନ କଲାବେଳେ ସେ ତାଙ୍କ ସ୍ନାତକୋତ୍ତର ପରୀକ୍ଷା ନିମନ୍ତେ “ବେଦାନ୍ତର ନୈତିକ ନିୟମାବଳୀ ଏବଂ ଏହାର ବସ୍ତୁବାଦୀ ପୂର୍ବକଳ୍ପନା (The Ethics of Bedant & Its Material Pre supposition)” ନାମକ ଗବେଷଣା ମୂଳକ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏହିଟି ମାଡ଼୍ରାସ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୦୮ରେ ପ୍ରକାଶିତ ହେଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏହି ପ୍ରକାଶନଟି ତାଙ୍କର ସୁନାମ ଆଣିବା ସହିତ ଜଣେ ଉଚ୍ଚ କୋଟିର ଦାର୍ଶନିକ ବୋଲି ପ୍ରମାଣିତ କରାଇଦେଲା । ଦର୍ଶନ ଉପରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟମାନ ଐତିହାସିକ ଚମକପ୍ରଦ ପରିବର୍ତ୍ତନ ଏବଂ ପ୍ରଭାବମାନ ସୃଷ୍ଟିକଲା ।
ତାଙ୍କ ମତରେ ଦର୍ଶନ ହିଁ ଜୀବନକୁ ବୁଝିବାର ବିଦ୍ୟା । ସେଥିପାଇଁ ସେ ଭାରତୀୟ ଦର୍ଶନକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ଖାଲି ସେତିକି ନୁହେଁ, ଏହାକୁ ପାଶ୍ଚାତ୍ୟ ଦର୍ଶନ ସହିତ ତୁଳନାତ୍ମକ ବିଚାର କରାଇ ଭାରତୀୟ ଦର୍ଶନର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଇଥିଲେ ।
ଡ଼. ରାଧାକ୍ରିଷ୍ଣନ ତାଙ୍କର ଏ ଦର୍ଶନ ବିଦ୍ୟା କେବଳ ତାଙ୍କର ଶିକ୍ଷା ବା ବୃତ୍ତିଗତ ସୀମା ସରହଦ ଭିତରେ ସୀମୀତ ନରଖି ଏହାକୁ ତାଙ୍କ ସମୟର ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରୟୋଗ କରିଥିଲେ । ତାଙ୍କ ବିଶ୍ୱାସରେ ଭାରତୀୟମାନେ ତାଙ୍କ ଅତୀତ ସହିତ ସଂପର୍କ ନରଖି କେବେହେଲେ ଭବିଷ୍ୟତକୁ ହସ୍ତପ୍ରସାରଣ କରିପାରିବେନାହିଁ । ତେଣୁ ଅତିତ ହିଁ ଆମ ମୂଳ ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ ଅସାଧାରଣ ବିଜ୍ଞ ଏବଂ ଦକ୍ଷତା ସଂପନ୍ନ ବ୍ୟକ୍ତିତ୍ୱର ପରିଚୟ ପ୍ରଥମରୁ ଦେଇ ଆସିଛନ୍ତି । ସେ ଜଣେ ଅତ୍ୟନ୍ତ ଦୟାଦ୍ର ଓ ମାନବବାଦୀ ବ୍ୟକ୍ତିତ୍ୱ । ସେ ତାଙ୍କ ଛାତ୍ରମାନଙ୍କ ନିକଟରେ ମାଡ୍ରାସ କଲେଜରେ ଅଧ୍ୟ୍ୟାପକ ଥିଲାବେଲୁ ଅତି ପ୍ରିୟ ଥିଲେ । ୩୦ ବର୍ଷ ବୟସ ହେବା ପୂର୍ବରୁ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାପାଇଁ ସୁଯୋଗ ଦିଆଯାଇଥିଲା । ସେ ୧୯୩୧ରୁ ୧୯୩୬ ଯାଏ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୂଳପତିଥିଲେ । ପରେ ୧୯୩୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତିରୂପେ ନିଯୁକ୍ତି ପାଇଲେ । ଏହାର ଠିକ ଦୁଇ ବର୍ଷପରେ ଅର୍ଥାତ୍ ୧୯୪୧ରେ “ସାର ସାୟଜି ରାଓ ଭାରତୀୟ ସଂସ୍କୃତି ଓ ସଭ୍ୟତା”, ବନାରସର ସେ ଗାଦି ସମ୍ଭାଳିଲେ । ୧୯୩୬ ମସିହାରୁ ୧୯୫୨ ମସିହା ଯାଏ ସେ ପ୍ରଫେସର ହିସାବରେ “ଇଷ୍ଟର୍ଣ୍ଣ ରିଜିୟନାଲ ଏଣ୍ଡ ଇଥିକ୍ସ, ଅକ୍ସଫୋର୍ଡ଼ରେ” ଅଧ୍ୟାପକ ହିସାବରେ ଯୋଗ ଦେଇଥିଲେ । ତାଙ୍କ ବିଦ୍ୟା ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟଥିଲା ଯାହାକି ତାଙ୍କୁ ସୁଯୋଗ୍ୟ ଶିକ୍ଷକ ହିସାବରେ ପ୍ରତିଷ୍ଠିତ କରାଇଥିଲା । ତାଙ୍କର ପାଣ୍ଡିତ୍ୟ ତଥା ଛାତ୍ର ଏବଂ ସର୍ବ ସାଧାରଣଙ୍କ ପ୍ରତି ଆଦରଣୀୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ କ୍ରମଶଃ ସର୍ବ ସାଧାରଣରେ ତାଙ୍କୁ ଲୋକପ୍ରିୟ କରାଇଥିଲା । ଉଭୟ ଦେଶ ଓ ଦେଶ ବାହାରେ ତାଙ୍କ ସମୟରେ ସେ ଥିଲେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ । ସେ ଆନ୍ତର୍ଜାତିକ ସ୍ତରରେ ଜଣେ ଉଚ୍ଚ କୋଟିର ଦାର୍ଶନିକ ବୋଲି ପରିଚିତ ପାଇଥିଲେ । ୧୯୫୨’ ମସିହାରେ, “ଦ ଲିବର୍ଟି ଅଫ ଲିଭିଙ୍ଗ ଫିଲୋସର୍ଫ୍ସ” ଯାହାକି ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ତାଙ୍କ ଉପରେ ଏକ ବିରାଟ କାୟ ପୁସ୍ତକ, “ଦି ଫିଲୋସଫି ଅଫ ସର୍ବପଲ୍ଲୀ ରାଧାକ୍ରିଷ୍ଣନ” ପ୍ରକାଶିତ କରିଥିଲେ । ଏହାଥିଲା ତାଙ୍କର ଦର୍ଶନ ଭିତିକ ତତ୍ୱ ସମ୍ଭଳିତ ପୁସ୍ତକ ।
ସ୍ୱାଧୀନତାପରେ ତାଙ୍କର ଏହି ଦର୍ଶନ ବିଦ୍ୟାର ପାରଙ୍ଗମତା ତାଙ୍କୁ ଭାରତର ରାଷ୍ଟ୍ରଦୂତ ହିସାବରେ ସୋଭିଏତ ୟୁନିୟନରେ ସୁଯୋଗ ଦେଇଥିଲା ଯେଉଁଥିରେ ସେ ନିଜ ପରାକାଷ୍ଟା ଦେଖାଇବା ସହିତ ଜଣେ ଆନ୍ତର୍ଜାତିକ ଛବି ପାଲଟି ଯାଇଥିଲେ ।
୧୯୫୨ ମସିହାରେ ଡ଼. ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତିପଦ ମଣ୍ଡନ କରିଥିଲେ ଏବଂ ୧୯୬୨ରେ, ୫ବର୍ଷ ପାଇଁ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ସିଂହାସନ ଅଳଙ୍କୃତ କରିଥିଲେ । ଏହା ଏକ ଆଶ୍ଚର୍ଯ୍ୟ କଥା ଯେ ସେ ଜଣେ ଶିକ୍ଷାବିତ୍ ବିଶେଷକରି ଦର୍ଶନ ବିଦ୍ୟାର ଶିକ୍ଷକଥିଲେ ଏବଂ ରାଜନୀତି କରୁନଥିଲେ । ଅଥଚ ସେ ରାଜନୀତିର ସର୍ବୋଚ୍ଚ ଆସନ ମଣ୍ଡନ କଲେ । ଏହାଥିଲା ବିଶ୍ୱପାଇଁ ଏକ ଦୃଷ୍ଟାନ୍ତ । ଏ ନେଇ ବଣ୍ଟ୍ରାଡ଼ ଋୁଷେଲ୍ କହିଛନ୍ତି,It is an honour to philosophy that Dr. Radhakrishnan should be President of India and I, as a philosopher, take special pleasure in this. Plato aspired for philosophers to become kings and it is a tribute to India that she should make a philosopher her president.”ଅର୍ଥାତ୍ ଭାରତର ଜଣେ ଦର୍ଶନ ଶିକ୍ଷକ ଏହାର ରାଷ୍ଟ୍ରପତି ହେଲେ ଯାହାକି ମୋ’ ପରି ଜଣେ ଦାର୍ଶନିକକୁ ଅତି ଆନନ୍ଦ ଦିଏ । ଏକଦା ପ୍ଲାଟୋ ଆଶା କରିଥିଲେ ଯେ ଦାର୍ଶନିକମାନେ ରାଜା ହୁଅନ୍ତୁ ଏବଂ ଏହା ଭାରତପାଇଁ ସତ୍ୟ ହେଲା ଯେ, ଜଣେ ଦାର୍ଶନିକ ରାଷ୍ଟ୍ରପତି ହେଲେ ।
ସେ ରାଷ୍ଟ୍ରପତି ଥିଲାବେଳେ ୧୯୬୨ରେ ଚାଇନା ଭାରତ ଆକ୍ରମଣ କଲା ଯାହାକୁ ଆହ୍ୱାନ ଦେଇଥିଲା ଡ଼. ରାଧାକ୍ରିଷ୍ଣନଙ୍କର ସେ ସମୟର ନେତୃତ୍ୱ । ସେହିପରି ୧୯୬୫ରେ ପାକିସ୍ତାନ ଭାରତର ପଶ୍ଚିମାଞ୍ଚଳରେ ବିଶୃଙ୍ଖଳା ସୃଷ୍ଟିକଲା । ଏଥିକୁ ଡ଼. ରାଧାକ୍ରିଷ୍ଣନ ତାଙ୍କ ବଜ୍ର ଗମ୍ଭୀର ବାଣୀରେ ଦେଶବାସୀଙ୍କୁ ସେପେମ୍ଭର ୨୫, ୧୯୬୫ରେ ଶୁଣାଇଥିଲେ, “ପାକିସ୍ତାନ ଭାବୁଛି ଯେ, ଭାରତ ତାକୁ ପ୍ରତିରୋଧ କରିବାରେ ଅତି ଦୁର୍ବଳ କିମ୍ଭା ଅତି ଭୟାଳୁ କିମ୍ଭା ଅତି ଯୁଦ୍ଧ ପରାଂମୁଖୀ । ଭାରତ ଯଦିଓ ପ୍ରକୃତରେ ଯୁଦ୍ଧ ଚାହେଁନାହିଁ, ତେବେ ଯଦି ସେ ଅନୁଭବକରେ ନିଜ ରକ୍ଷଣପାଇଁ ତାକୁ ଲଢ଼ିବାକୁ ହେବ, ସେ ପାରିବ । ପାକିସ୍ତାନ ବୋଧେ ଭାବିଛି ଯେ, ତା ଆକ୍ରମଣ ଫଳରେ ଭାରତରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଦେଖାଯିବ ଏବଂ ଏହାର ସୁଯୋଗ ନେଇ ସେ ତା’ର ଫାଇଦା ଉଠାଇବ । ତା’ର ଏ ପ୍ରକାର ଚିନ୍ତାଧାରା ତାକୁ ହିଁ ଧୋକା ଦେବ ।“Pakistan assumed that India was too weak or too afraid or too proud to fight. India, though naturally disinclined to take to arms felt the necessity to defend herself when attacked. Pakistan also assumed that communal disturbance would occur in the country and in the resulting chaos she could have her way. Her miscalculations must have come to her as a rude shock”
ଭାରତୀୟ ଗଣତନ୍ତ୍ର ଉପରେ ତାଙ୍କର ଅଗାଧ ବିଶ୍ୱାସଥିଲା । ମେ ୧୨, ୧୯୬୭ ତାଙ୍କ ବିଦାୟ ଅବସରରେ ସେ ସୁଚାଇଥିଲେ ଯେ, ଦେଶରେ ସେଯାବତ୍ ଗଣତନ୍ତ୍ର ଶାସନ ଠିକ୍ ଚାଲିଛି ତଥାପି ସେ ସତର୍କ କରାଇଥିଲେ,“Democracy was more than a system of Government. It was a way of life and regime of civilized conduct of human affairs. We should be the architects of peaceful changes and advocates of redical reform”.
୧୯୬୨ରେ ଡ଼. ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ହେଲେ । ସେହି ବର୍ଷ ତାଙ୍କ ଜନ୍ମ ତିଥିକୁ ଗରୁଦିବସ ବା ଶିକ୍ଷକ ଦିବସ ରୂପେ ପାଳିବାର ନିଷ୍ପତି ନିଆଗଲା । କିନ୍ତୁ ସେ ଏହାକୁ ତାଙ୍କ ଜନ୍ମତିଥି ହିସାବରେ ପାଳନ କରାନଯାଇ ଶିକ୍ଷକ ଜାତି ପ୍ରତି ଉତ୍ସର୍ଗ କରିଥିଲେ । ସେ ମଧ୍ୟ ନିଜେ ରାଷ୍ଟ୍ରଦୂତ, ଉପ-ରାଷ୍ଟ୍ରପତି ବା ରାଷ୍ଟ୍ରପତି ଥାଆନ୍ତୁନା କାହିଁକି, ସେ ସାରା ଜୀବନଥିଲେ ଶିକ୍ଷକ । ଶିକ୍ଷକତା ଥିଲା ତାଙ୍କର ପ୍ରଥମ ଭଲପାଇବାର ବୃତ୍ତି ଏବଂ ଯେଉଁମାନେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଛନ୍ତି, ଏବେ ମଧ୍ୟ ଶିକ୍ଷକ ହିସାବରେ ତାଙ୍କର ସୁଗୁଣ ଗୁଡିକ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ପଣ୍ଡିତ ଜବାହାରଲାଲ୍ ନେହୁରୁ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ରାଧାକ୍ରିଷ୍ଣନଙ୍କର ଜଣେ ନିକଟତମ ବନ୍ଧୁଥିଲେ, କହିଥିଲେ, “ସେ ତାଙ୍କ ଅକ୍ତିୟାର ଅନୁସାରେ ଏ ଦେଶକୁ ଅନେକ ସେବା ଦେଇଛନ୍ତି କିନ୍ତୁ ସର୍ବୋପରି ସେ ଜଣେ ମହାନ ଶିକ୍ଷକ ଯାହାଠୁ ଆମେ ସମସ୍ତେ ବହୁତ କିଛି ଶିକ୍ଷିଛେ ଏବଂ ଶିକ୍ଷିଚାଲିଥିବା । ଏହା ଭାରତପାଇଁ ଏକ ବିଚିତ୍ର ସୁଯୋଗ ଯେ ଏପରି ଜଣେ ମହାନ ଦାର୍ଶନିକ, ଜଣେ ମହାନ ଶିକ୍ଷାବିତ୍ ଏବଂ ଜଣେ ମହାନ ମାନବାଦୀଙ୍କୁ ଆମେ ଆମର ରାଷ୍ଟ୍ରପତି ହିସାବରେ ପାଇଛେ । ଏହା ପ୍ରମାଣ କରାଇ ଦିଏ ଯେ, ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛୁ । “He has served his country in many capacities. But above all, he is a great Teacher from whom all of us have learnt much as well continue to learn. It is India’s peculiar privilege to have a great philosopher, a great educationist and a great humanist as her President. That in itself shows the kind of men we honour and respect”.
୧୯୫୪ ମସିହାରେ ଭାରତର ସର୍ବୋତ୍ତମ ଉପାଧି/ପୁରସ୍କାର “ଭାରତ ରତ୍ନ” ପ୍ରଥମେ ଯେଉଁ ତିନିଜଣଙ୍କୁ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ମାନବ ଜାତିର ସେବା ନିମନ୍ତେ ତାଙ୍କୁ ଏ ଉପାଧି ଦିଆଯାଇଥିଲା । ଏହି ମହାପୁରୁଷଙ୍କର ମହା ପ୍ରୟାଣ ଏପ୍ରିଲ୍ ୧୭ ୧୯୭୫ ମସିହାରେ ଘଟିଥିଲା ।
ସେପ୍ଟେମ୍ବର ୫ ତାରିଖଟି ଆମ୍ଭର ମହାନ ଦାର୍ଶନିକ, ଲେଖକ, ବିଚକ୍ଷଣ ରାଜନୀତୀଜ୍ଞ ଓ ରାଷ୍ଟ୍ରନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମତିଥି ପାଳନ ନିଶ୍ଚୟ । ସେ ଗୁରୁମାନଙ୍କ ମଧ୍ୟରୁ ଜଣେ । ଏହି ଅବସରରେ ଆମେ ତାଙ୍କ ଜନ୍ମତିଥି ପାଳନ କରିବା ସହିତ ଆମେ ସମଗ୍ର ଗୁରୁ ସମାଜ ପ୍ରତି ତାଙ୍କର ଶିକ୍ଷାଦାନ ମାଧ୍ୟମରେ ଜ୍ଞାନ ଦାନ, ଛାତ୍ରମାନଙ୍କର ଚରିତ୍ର ଗଠନ ଏବଂ ସେମାନଙ୍କୁ ପଥ ପ୍ରଦର୍ଶନ କାରଣକୁ ବିଚାରି ତାଙ୍କ ସମ୍ମାନାର୍ଥେ ଏ ଦିବସଟି ପାଳନ କରୁଅଛୁ । ଖାଲି ଆମ ଦେଶରେ ନୁହେଁ, ଏହିପରି ଗୁରୁଦିବସ ଅନ୍ୟ ଦେଶରେ ମଧ୍ୟ ପାଳିତ ହୁଏ । ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଶିକ୍ଷକ ଦିବସ ରୂପେ ଅକ୍ଟୋବର ୫ ତାରଖକୁ ପାଳନ କରାଯାଏ । ଆସନ୍ତୁ ଏହି ଦିବସର ଅବସରରେ ଅନ୍ତତଃ ଆମେ ଆମ ଗୁରୁମାନଙ୍କ ପ୍ରତି ସ୍ମୃତି ଚାରଣ କରିବା । ।
ଅଧ୍ୟକ୍ଷ,
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ଦୂରଭାଷ: ୯୯୩୮୩୪୪୧୩୮