ଗୁରୁ ଶିଷ୍ୟ ପରମ୍ପରାର ଉଦାହରଣ ଭଜନ ପରମ୍ପରା ଆଲବମ୍ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଐତିହ୍ୟ ସମ୍ପନ୍ନ କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶାର ଇତିହାସକୁ ଅନୁଧ୍ୟାନ କଲେ ଏକଦା ଏ ମାଟି ତଥା ଏସିଆ ମହାଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ନାଟକ, ସଙ୍ଗୀତ, ସାହିତ୍ୟ, କ୍ରୀଡ଼ା ଓ କୃଷି କ୍ଷେତ୍ରରେ ଏ ମାଟିର ସନ୍ତାନଗଣ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରି ପୁରସ୍କୃତ ହୋଇ ଆମ ଓଡ଼ିଶାର ଗର୍ବ ଓ ଗୌରବ ମଣ୍ଡନ କରିଛନ୍ତି, ଯାହାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ଏହା ସତ୍ୟ, ବର୍ତ୍ତମାନ ଯୁବପିଢିମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଯେଉଁ ସୁଯୋଗ୍ୟ ସନ୍ତାନଗଣ ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରି, କେବଳ ଓଡ଼ିଶା ନୁହେଁ, ସାରା ଭାରତ ସହିତ ବିଦେଶରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛନ୍ତି, ସେ କେହି ନୁହଁନ୍ତି, ସେ ଓଡ଼ିଶା ମାଟିର ଗୌରବ ଶ୍ରୀ ଏଲ୍ ନୀତେଶ କୁମାର ।‘ଭଜନ ପରମ୍ପରା’ ଏଲ୍ ନୀତେଶଙ୍କ ସାଙ୍ଗୀତିକ ପରିକଳ୍ପନାର ଏକ ଉତ୍କୃଷ୍ଟ ଉଦାହରଣ । ଯାହାର ଶୁଭାରମ୍ଭ କରିଛନ୍ତି ଦୁରଦର୍ଶନରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ ଟେଲିଭିଜନ ଧାରାବାହିକ ‘ରାମାୟଣ’ରେ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଆଚରଣ ପାଳନ କରୁଥିବା ଅଭିନେତା ଶ୍ରୀ ଅରୁଣ ଗୋଭିଲ ଏବଂ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜାଲୋଟା ଏହି ଭଜନ ଆଲବମଟି ପ୍ରସିଦ୍ଧ ମ୍ୟୁଜିକାଲ କମ୍ପାନୀ ‘ଟି-ସିରିଜି’ରେ ମୁକ୍ତିଲାଭ କରିଅଛି । ଭଜନ ପରମ୍ପରାର ପ୍ରଥମ ଭାଗଟି ପିତା ଓ ପୁତ୍ର ତଥା ଗୁରୁଶିଷ୍ୟ ଭଜନ ସମ୍ରାଟ ପୁରୁଷୋତ୍ତମ ଦାସ ଜାଲୋଟା ଏବଂ ଅନୁପ ଜାଲୋଟାଙ୍କର ଯୁଗଳବନ୍ଦୀ ଥିଲା ଏବଂ ସେହି ସଙ୍ଗୀତ ପରମ୍ପରାରେ ଆଜି ପୁଣି ଥରେ ଭଜନ ପରମ୍ପରା ପ୍ରଥମ ଅଧ୍ୟାୟଟି ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଉତ୍କୃଷ୍ଟ ଉଦାହରଣ ପାଲଟିଛି, ଯାହା ଗୁରୁ ପଦ୍ମଶ୍ରୀ ଅନୁପ ଜାଲୋଟା ଏବଂ ଏଲ୍ ନିତେଶ କୁମାର ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଜାଲୋଟାଙ୍କ ଭଜନ ଗାୟନରେ, ଉତ୍ତରାଧିକାରୀଙ୍କୁ ନୀତେଶ ଆଗକୁ ବଢାଇବେ ।ମୁମ୍ବାଇରେ ଏହି ଆଲବମ୍ ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀ ଅରୁଣ ଗୋଭିଲ କହିଛନ୍ତି ଯେ, ଭଜନ ନାମ ଉଚ୍ଚାରଣ ମାତ୍ରକେ ଅନୁପ ଜାଲୋଟାଙ୍କ ନାମ ମନକୁ ଆନ୍ଦୋଳିତ କରେ । ଆଜିର ଭଜନ ପରମ୍ପରାରେ ଅନୁପ ଜାଲୋଟା ଏବଂ ନୀତେଶ କୁମାରଙ୍କ ଯୋଡ଼ି ଉତ୍କୃଷ୍ଟ ଗୁରୁଶିଷ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଆଲବମରେ ପ୍ରତ୍ୟେକ ଭଜନ ଅମୂଲ୍ୟ ଅଟେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସକାଶେ ଏଲ୍ ନୀତେଶ କୁମାରଙ୍କ ପରି କଳାକାରଙ୍କ ଆବଶ୍ୟକତା ରହିଛି । ଏଲ୍ ନୀତେଶ କୁମାର ତାଙ୍କ ଗୁରୁଙ୍କ ପ୍ରତିବିମ୍ବ ପରି ଦୃଷ୍ଟିଗୋଚର ହେଉଛନ୍ତି, ଯାହାକି ଜଣେ ଉତ୍ତମ ଶିଷ୍ୟର ପରିଚୟ ଅଟେ । ଗୁରୁ ଅନୁପ ଜାଲୋଟା କୁହନ୍ତି, ଏଲ୍ ନୀତେଶ କୁମାର ଭଜନ ଓ ଗଜଲ ଗାଇବା କ୍ଷେତ୍ରରେ ଜଣେ ସୁଦକ୍ଷ ତଥା ସମର୍ପିତ କଳାକାର ଅଟନ୍ତି । ମୋ ପ୍ରିୟ ଶିଷ୍ୟ ଏଲ୍ ନୀତେଶଙ୍କ କର୍ତ୍ତବ୍ୟନିଷ୍ଠା, ଗୁରୁଭକ୍ତି ଆଜି ତାଙ୍କୁ ଆଗକୁ ନେବାରେ ସହାୟକ ହୋଇଛି । ଆଉ ବି ସେ କୁହନ୍ତି ‘ମୋ ପିତା ମୋ ଗୁରୁ ଥିଲେ । ମୁଁ ତାଙ୍କୁ ଅନୁକରଣ କରି ତାଙ୍କ ଷ୍ଟାଇଲରେ ଗାଏ । ସେହିପରି ମୋ ଶିଷ୍ୟ ନୀତେଶ ମଧ୍ୟ ମୋ ଶୈଳୀରେ ଗାୟନ କରନ୍ତି, ଏହିପରି ସଙ୍ଗୀତର ପରମ୍ପରା ଆଗକୁ ବଢିଚାଲିଲେ ଯାହାକୁ ଆମେ ଗୁରୁ ଶିଷ୍ୟ ପରମ୍ପରା କହିଥାଉ । ଗୁରୁ ଶିଷ୍ୟ ପରମ୍ପରାର ଏକ ଉଦାହରଣ ଭଜନ ପରମ୍ପରା ଆଲବମ୍‌’ ।
ଏଲ୍ ନୀତେଶ କୁମାରଙ୍କ ପରି ଜଣେ ଗୁଣୀ କଳାକାର ମହାନ୍ କବିଗଣ ଯେପରିକି ତୁଳସୀ ଦାସ, ସୁର ଦାସ, ମୀରା, କବୀର ତଥା ବ୍ରହ୍ମାନନ୍ଦ ସ୍ୱାମୀଙ୍କ ଦିବ୍ୟବାଣୀ ଓ ଲେଖା ଗୁଡ଼ିକୁ ଆଗକୁ ଆଣିବା ସଙ୍ଗେ ସଙ୍ଗେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୟୋଗ କରି ଭଜନର ପରାକାଷ୍ଠାକୁ ବୃଦ୍ଧି କରୁଛନ୍ତି । ଯାହାକି ଆଗକୁ ଆସୁଥିବା ଯୁବପିଢିଙ୍କ ପାଇଁ ଏକ ଉପହାର ସ୍ୱରୂପ ଅଟେ । ଏଲ୍ ନୀତେଶଙ୍କ ପରି କଳାକାର ହିଁ ସଙ୍ଗୀତ ଏବଂ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ପାରିବେ ।ଏଲ୍ ନୀତେଶ କୁମାର କହିଛନ୍ତି, ମୋର ବହୁତ ଦନର ସ୍ୱପ୍ନ ପୂରଣ ହୋଇଛି । ତାହା ସହିତ ଶ୍ରୀ ଅରୁଣ ଗୋଭିଲ ଯିଏକି ରାମାୟଣର ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ମନରେ ଶ୍ରୀ ରାମଚନ୍ଦ୍ର ରୂପରେ ବିଦ୍ୟମାନ ଏବଂ ଭଗବାନଙ୍କ ନାମ ଗାୟନ କରି କୋଟି କୋଟି ଶ୍ରୋତାଙ୍କ ହୃଦୟକୁ ଭକ୍ତି ଧାରାରେ ଭିଜେଇ ପାରୁଥିବା ମୋର ଗୁରୁଜୀ ଅନୁପ ଜାଲୋଟାଙ୍କ ହାତରେ ଭଜନ ପରମ୍ପରାର ଉନ୍ମୋଚନ, ସତରେ କିଛି ଈଶ୍ୱରୀୟ ଅନୁଭୂତିରୁ କମ୍ ନୁହେଁ । ଏହା ମୋ ପାଇଁ ତଥା ମୋ ଜନ୍ମଭୂମି ଓଡ଼ିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଅଟେ । ମାତା, ପିତା, ସମସ୍ତ ଗୁରୁ ଏବଂ ଶ୍ରୋତାମାନଙ୍କ ଆଶୀର୍ବାଦ ମୋର ଏହି ପ୍ରୟାସକୁ ଉତ୍ସାହିତ କରୁଛି । ଏହି ଭଜନ ଆଲବମରେ ଆଉ ଏକ ବିଶେଷତ୍ୱ ହେଉଛି, ଏଥିରେ ବ୍ୟବହୃତ ସମସ୍ତ ବାଦ୍ୟଯନ୍ତ୍ର, ଲାଇଭ ରେକର୍ଡ କରାଯାଇଛି ଯେପରିକି ସରୋଦ, ସାରଙ୍ଗା, ତବଲା, ବଂଶୀ, ସେହେନାଇଁ, ସୀତାର, ତଫଲ, ଘଟମ, ପଖାୱଜ, ମରସିଙ୍ଗ, ସନ୍ତୁର ତଥା ମନ୍ଦିରର ଘଟ ଇତ୍ୟାଦି, ଯାହା ଶ୍ରୋତାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ନିଶ୍ଚିତ ସହାୟକ ହେବ ।ଆଜିର ନୂତନ ପିଢି ପାଶ୍ଚାତ୍ୟ ସଂସ୍କୃତି ଆଉ ସଭ୍ୟତାକୁ ଅନୁକରଣ କରି ଆମ ନିଜ ଗୌରବମୟ ସଂସ୍କୃତିକୁ ଭୁଲି ବସିଥିବା ବେଳେ ଏହି ଆଲବମ ଦ୍ୱାରା ମୁଁ ଭାରତୀୟ ସଂସ୍କୃତି, ସଭ୍ୟତା ତଥା ସାହିତ୍ୟକୁ ପୁନର୍ବାର ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରିଛି ।ଭଜନ ପରମ୍ପରାରେ ଭାରତର ମହାନ୍ କବି ଏବଂ ସନ୍ଥମାନଙ୍କ ଲିଖିତ ନଅଗୋଟି ଉଚ୍ଚକୋଟିର ପାରମ୍ପରିକ ଭଜନ ରହିଅଛି । ଯାହାକୁ ଭଜନର ପାରମ୍ପରିକ ଦୃଷ୍ଟିକୋଣରୁ ଧ୍ୟାନରେ ରଖି ବିଭିନ୍ନ ଭାରତୀୟ ରାଗ ଏବଂ ତାଳକୁ ପ୍ରୟୋଗ କରି ତିଆରି କରାଯାଇଛି । ଯାହାକୁ ସ୍ୱରରେ ବାନ୍ଧିଛନ୍ତି, ପଦ୍ମଶ୍ରୀ ଅନୁପ ଜାଲୋଟା ଦେଶର ଜଣାଶୁଣା ତବଲା ବାଦକ ଡକ୍ଟର ତାପସ ପାଲ୍‌, ଶ୍ରୀ ଚକ୍ରଧାରୀ ନାୟକ ଓ ଏଲ୍ ନୀତେଶ କୁମାର ଏହା ସଙ୍ଗୀତ ସଂଯୋଜନା ଦେବଶ୍ରୀ ମୁଖାର୍ଜୀ କରିଛନ୍ତି । ଏହି ଅଦ୍ୱିତୀୟ ଭଜନ ଆଲବମଟି ନିଶ୍ଚିତ ଭାରତୀୟ ସଙ୍ଗୀତ ପରମ୍ପରାକୁ ଜୀବିତ ରଖିବାରେ ସହାୟକ ହେବ । ଏହା ଚିରନ୍ତନ ସତ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ