ଗୁଲନଗର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗୁଲନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିକ୍ଷାବିତ ଜଗନ୍ନାଥ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, କେନ୍ଦ୍ରାପଡା ତହସିଲଦାର ଅଞ୍ଜଳି ତରାଇ, ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶୁଭ୍ରଜିତ ରାଉତ, ସମିତିସଭ୍ୟା ଚିନ୍ମୟୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥିମାନେ ୩ଟି ସ୍ୱୟଂ ସହାୟିକା ଗୋଷ୍ଠି ମା’ ଥାନପତି, ଅଭିରାମ ଓ ସାଇବାବା ସ୍ୱୟଂ ସହାୟିକା ଗୋଷ୍ଠିକୁ ୩ଲକ୍ଷ ୮୦ହଜାର ଟଙ୍କାର ଋଣ ମଞ୍ଜୁରୀପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଓଡିଶା ଜୀବିକା ମିଶନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ରାଜସ୍ୱ, କୃଷି, ଉଦ୍ୟାନକୃଷି, ପଶୁପାଳନ, ଉଠାଜଳସେଚନ, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ ପ୍ରଭୃତିର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ । ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ ଷ୍ଟଲମାନ ଖୋଲାଯାଇ ସେମାନଙ୍କ ଉତ୍ପାଦ ସାମଗ୍ରୀ ବିକ୍ରୀ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଗୁଡିକରେ ଗ୍ରାମ୍ୟ ଆବାସ ଯୋଜନା ପାଇଁ ୩୦ଟି ଦରଖାସ୍ତ ମିଳିିଥିବା ବେଳେ ରାସନକାର୍ଡ ପାଇଁ ୨, ଭତ୍ତା ପାଇଁ ୨ଟି, ସ୍ୱାସ୍ଥ୍ୟ ବିଭାଗର ୫୪ଟି, ଉଦ୍ୟାନକୃଷିରେ ଗୋଟିଏ, ସାମାଜିକ ସୁରକ୍ଷା ବିଭାଗର ଗୋଟିଏ, କାଳିଆ ଯୋଜନାରେ ୫ଟି, ମୃତ୍ତିକା ସଂରକ୍ଷଣ ବିଭାଗର ଗୋଟିଏ, ମତ୍ସ୍ୟ ବିଭାଗର ୨ଟି, ଅଙ୍ଗନୱାଡି ପାଇଁ ୧୨ଟି ଓ ରାଜସ୍ୱ ବିଭାଗ ପାଇଁ ୧୫ଟି ଏଭଳି ମୋଟ ୧୨୫ଟି ଦରଖାସ୍ତ ମିଳିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ କରୁଣାକର ସାହୁ, ସୁଶାନ୍ତ କୁମାର ଦାସ, ପୂର୍ବତନ ସମିତିସଭ୍ୟ ଚିତ୍ତରଞ୍ଜନ ପୃଷ୍ଟି, ଗୋଲଖ ସେଠୀ, ହଳଧର ପାତ୍ର, ବଟକୃଷ୍ଣ ମହାରଣା, ଗୋରାଙ୍ଗ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।