ଗୁଳି ପରେ ଯୁବକଙ୍କୁ ହାଣି ହତ୍ୟା ଘଟଣାରେ ଧରାପଡିଲେ ପାଞ୍ଚ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର କୁରୁଡାର ଜଣେ ଯୁବକଙ୍କ ଉପରେ ଦୁବୁର୍ତ୍ତମାନେ ଗୁଳି ଚଳାଇବା ପରେ ହାଣି ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ପୋଲିସ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି । ସଦର ଥାନାରେ ହୋଇଥିବା ୩୫୪/୨୦୨୧ ନମ୍ବର ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଖାନନଗର ଅଞ୍ଚର ପ୍ରଭାକର ନାୟକଙ୍କ ପୁତ୍ର ଅଜୟ ନାୟକ(୨୬), ସଦବେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହି ଅଞ୍ଚଳର ଅଶୋକ କୁମାର ଭାରତୀଙ୍କ ପୁତ୍ର ଜୁଗଲ କିଶୋର ଭାରତୀ ଓରଫ ରାଜା/ବାବୁଆ (୨୭), ସ୍ୱର୍ଗତଃ ଶିବାନନ୍ଦ ଦେଙ୍କ ପୁତ୍ର ସରୋଜ କୁମାର ଦେ ଓରଫ ବଡ କାଳିଆ (୩୨) ଏବଂ ସଦରଥାନା ଅନ୍ତର୍ଗତ ବାଙ୍କତୀରା ଅଞ୍ଚଳର ଅମୂଲ୍ୟ ଦାସଙ୍କ ପୁତ୍ର ସପନ ଦାସ (୩୧), ସଦର ଥାନା କୁରୁଡା ଅଞ୍ଚଳର ଗୁଣ୍ଡୁରୁ ସେଠୀଙ୍କ ପତ୍ନୀ ଇନ୍ଦୁବାଳା ସେଠୀ ଓରଫ ଗେହ୍ଲୀ । ଅଭିଯୁକ୍ତମାନଙ୍କ ଗିରଫ ପରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲସ ପକ୍ଷରୁ ସୂଚନା ମିଳିପାରିନାହିଁ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାହାକୁ ନେଇ ପୋଲିସ ତନାଘନା ଚଳାଇଛି । ତେବେ ବାଲେଶ୍ୱର ରେଳ ଷ୍ଟେସନରେ ଟିକଟ କଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ରଚାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଆଗକୁ ନେଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଦୁଇଟି ତେଲେଙ୍ଗା କଟୁରୀ, ଗୋଟିଏ ଛୁରୀ, ଛଅଟି ମୋବାଇଲ ଫୋନ ଓ ଗୋଟିଏ ଟିଭିଏସ ସ୍ପୋର୍ଟସ ମୋଟର ସାଇକେଲ ଜବତ କରାଯାଇଛି । ପୂର୍ବ ସୂଚନା ଅନୁଯାୟୀ ଗତ ରବିବାର ସକାଳେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଅଞ୍ଚର ବିନୋଦ ବିହାରୀ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । କାଣ୍ଡ ଘଟିଥିଲା । ବିନୋଦ ବାଇକ୍‌ରେ କୁରୁଡା ଛକକୁ ଆସୁଥିବା ବେଳେ ରାସ୍ତାରେ ଦୁଇ ଦୁର୍ବୁତ୍ତ ତାଙ୍କୁ ପିଛା କରି ବାଇକରେ ଗୋଡ଼ାଉଥିବା ବେଳେ ସେ କୁରୁଡା ଛକରୁ ଅନ୍ୟ ଏକ ରାସ୍ତା ଦେଇ ପଳାଇଯିବାକୁ ଉଦ୍ୟମ କରିଥିଲେ । ସେହି ରାସ୍ତାରେ ଦୁର୍ବୁତ୍ତମାନେ ତାଙ୍କୁ ଅତି ନିକଟରୁ ଗୁଳିମାରିବା ପରେ ତାଙ୍କ ବେକକୁ ଭୂଜାଲିରେ ହାଣି ପକାଇଥଲେ । ଘଟଣାସ୍ଥଳରୁ ଗୁରୁତର ଆହତ ବିନୋଦଙ୍କୁ ଉଦ୍ଧାର ସହ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସଦର ଥାନାରେ ମାମଲା ରୁଜୁ ସହ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଘଟଣାର ତିନି ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧାରିବାରେ ପୋଲିସକୁ ସଫଳତା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ