ଗୁଳୁଗୁଳି ଓ ସଟଡ଼ାଉନ କଟକଣାରେ ଫିକା ପଡ଼ିଲା ରଜତ୍ସୋବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଆ ମାନଙ୍କର ଅନ୍ୟତମ ଗଣପର୍ବ ରଜ ଉତ୍ସବ ଚଳିତ ବର୍ଷ ସଟଡ଼ାଉନ କଟକଣା ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଫିକା ପଡ଼ିଯାଇଛି । ଗତ ପ୍ରାୟ ୩ ମାସ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ କଟକଣା ଲାଗୁ ହୋଇଥିବାରୁ ଅନେକ ଯାନିଯାତ୍ରା ଓ ଉତ୍ସବ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି । ଆଷାଢ ମାସରେ ଅନୁଷ୍ଠିତ ହେଉଥିବା ରଜତ୍ସୋବ ଗଞ୍ଜାମ ଜିଲ୍ଲାରେ ବିଶେଷ ଭାବେ ପାଳନ କରାଯାଉ ନଥିଲେ ମଧ୍ୟ ଗ୍ରାମାଂଚଳ ଠାରୁ ସହରାଂଚଳ ପର୍ଯ୍ୟନ୍ତ ଆନ୍ଦ ଉତ୍ସବ ଲାଗି ରହିବା ସହ ପାଳନ କରାଯାଇଥାଏ । ରଜର ପିଠାପଣା, ଦୋଳିଖେଳ, ଗ୍ରାମାଂଚଳରେ ବାଗୁଡ଼ି ଖେଳର ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଚଳିତ ବର୍ଷ କରୋନା କଟକଣା ସହିତ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମଝିରେ ମଝିରେ ଝିପି ଝିପି ବର୍ଷା ହେଉଥିବା ଯୋଗୁଁ ହିଞ୍ଜିଳିବାସୀଙ୍କ ମଧ୍ୟରେ ପୂର୍ବପରି ଉତ୍ସାହ ଦେଖିବାକୁ ମିଳିନଥିଲା । ପହିଲି ରଜ ଦିବସରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ୧୯ ଘଂଟା (ମଧ୍ୟାନ୍ନ ୧୨ ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ )ସକାଶେ ସଡଟଡ଼ାଉନ ଘୋଷଣା କରିଛନ୍ତି । ଦୀର୍ଘ ୩ ମାସ ଧରି ମିଠା ବେପାରୀ, ଫଳ ବେପାରୀ ଓ ଲୁଗା ଦୋକାନୀ ମାଲିକ ମାନେ ରଜଅବସରରେ କିଛି ବେପାର ବଣିଜ କରିବା ଆଶାରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନର ଘୋଷଣା ସେମାନଙ୍କ ଆଶାକୁ ନିରାଶାରେ ପରିଣତ କରିଛନ୍ତି । ରଜ ପର୍ବରେ ବିଶେଷ କରି ମହିଳା ମାନେ ଓ କୁଆଁରୀ ମାନେ ଅତ୍ୟନ୍ତ ଆଗ୍ରହର ସହ ରଜତ୍ସୋବକୁ ପାଳନ କରିଥାନ୍ତି । ରଜ ପାନ ଭାଙ୍ଗି ଖୁଆଇବା ସହ ବନ୍ଧୁ ପରିଜନଙ୍କୁ ମିଠାପଣାର ଆଦାନ ପ୍ରଦାନ କରିବା ଓ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇବା ପରମ୍ପରା ତଥା ଏକ ସାମାଜିକ ଚଳଣି ରହିଥିଲେ ମଧ୍ୟ ଚଳିତ ବର୍ଷ ସମ୍ପୁର୍ଣ୍ଣ ଭାବେ ଫିକା ପଡ଼ିଯାଇଛି ।