ଗୁହାଳଗଡିଆ ଗ୍ରାମକୁ ରାଜସ୍ୱ ମାନ୍ୟତା ଦେବାନେଇ ଦାବିପତ୍ର ପ୍ରଦାନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ପଡା ଗ୍ରାମ ଥିବା ଗୁହାଳଗଡିଆ ଗ୍ରାମକୁ ସରକାରୀ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ସମାଜସେବୀ ନାରାୟଣ ଯେନାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହାଟଡିହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗୁହାଳଗଡିଆ ଗ୍ରାମରେ ୪୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଏହି ଗ୍ରାମଟି ବଡରମ୍ପାସ ଗ୍ରାମର ପଡା ଗ୍ରାମ ଭାବେ ଥିବାବେଳେ ଏହା ବଡରମ୍ପାସ ଗ୍ରାମଠାରୁ ୩କିଲୋମିଟର ଦୁରରେ ଅବସ୍ଥିତ । ଏହି ପଡାଗ୍ରାମଟି ରାଜସ୍ୱ ଗ୍ରାମର ମାନ୍ୟତା ପାଇନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବାବେଳେ ରେସନ ସାମଗ୍ରୀ ଠିକ ଭାବେ ପାଇପାରୁ ନାହାନ୍ତି । ଗୁହାଳ ଗଡିଆ ପ୍ରାଥମିକ ସ୍କୁଲ ଥିଲେବି ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବାରୁ ଛୋଟ ଛୋଟ ଶିଶୁମାନେ ଆବଶ୍ୟକ ସୁବିଧା ସୁଯୋଗ ଠିକ ଭାବେ ପାଇପାରୁ ନାହାନ୍ତି । ପୁର୍ବରୁ ଅନେକବାର ଗ୍ରାମବାସୀମାନେ ଏନେଇ ସରକାରଙ୍କୁ ଜଣାଇ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ଦାବି କରିଥିଲେବି କୌଣସି ସୁଫଳ ମିଳିନଥିଲା । ସରକାର ଏବେ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଘୋଷଣା କରିବାପରେ ଏହି ଗ୍ରାମଟିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଗ୍ରାମର ରବିନ୍ଦ୍ର କୁମାର ଜେନା, ନାରାୟଣ ଯେନା, ପ୍ରହଲାଦ ଯେନା, ନିତ୍ୟାନନ୍ଦ ଯେନା, ନୃସିହଂ ଚରଣ ଯେନା, ମନ୍ମଥ କୁମାର ଯେନା, ପ୍ରଦୀପ ଖୁଣ୍ଟିଆ, ଗୌରହରୀ ପରିଡା, ମାନହରି ପରିଡା, ବଳରାମ ସା, ରବିନ୍ଦ୍ର କୁମାର ସା, ରବିନ୍ଦ୍ର କୁମାର ସା, ଗଣେଶ୍ୱର ଜେନା, ମଧୁସୁଦନ ଜେନା, ନିରାକାର ପରିଡା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ