ଗୁହାଳରୁ ଛେଳି ଚୋରି
ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ଗାଂଗପୁର ଥାନା ମୁନିଗାଡି ପଂଚାୟତ ସିଙ୍ଗିପୁର ଗ୍ରାମର କ୍ରୁଷ୍ଣ ଚନ୍ଦ୍ର ନାଇକଙ୍କ ଗୁହାଳରୁ ଗୁରୁବାର ମଧ୍ୟରାତ୍ରରେ ଦୁଇଟି ଛେଳି ଚୋରି ହୋଇଥିବା ନେଇ କ୍ରୁଷ୍ଣ ଚନ୍ଦ୍ର ଗାଂଗପୁର ଥାନାରେ ଏତାଲା ଦେଇଛନ୍ତି । ଦୁଇଟି ଛେଳିର ଦାମ ପ୍ରାୟ ୨୦୦୦୦ ଟଂକା ହେବ ବୋଲି ଜଣା ପଡିଛି । ପ୍ରକାଶ ଥାଉକି ଗତ ପନ୍ଦର ଦିନ ମଧ୍ୟରେ ଗାଂଗପୁର ଥାନା ଅଂଚଳରେ ଚୋରି ଓ ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ୨୬/୫ ତାରିଖରେ କେନ୍ଦୁପଡର ଗ୍ରାମ ପ୍ରଗତି ନଗରରେ ରହୁଥିବା ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁଦର୍ଶନ ପଣ୍ଡାଙ୍କ ଘର ପଛ ଗ୍ରୀଲ ଭାଙ୍ଗି ଡକାୟତ ମାନେ ନଗଦ ୫୦୦୦୦ ଟଂକା ସହ ୧୦ ଭରି ଓଜନର ସୁନା ଅଳଂକାର ଓ କିଛି ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ । ସେହିପରି ଶାସନ ଗ୍ରାମର ଶିବ ମନ୍ଦିର ପଛପଟେ ରହୁଥିବା ବିଶୁନୁ ବିଶୋୟୀଙ୍କ ଘର ପଛପଟୁ ଗ୍ରୀଲ ଓ କାଠ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ଆଲମିରାରେ ଥିବା ପ୍ରାୟ 6 ଭରି ଓଜନର ସୁନା ଅଳଂକାର ଓ ନଗଦ ୪୦୦୦ ଟଂକା ଚୋରି କରି ନେବା ସହ ଘରର ବିଭିନ୍ନ ଆସବାବ ପତ୍ର ଓ ଚାରୋଟି ସୁଟକେଶ ଭାଙ୍ଗି ବାରିପଟେ ଫିଙ୍ଗା ଫିଙ୍ଗି କରିଥିବା ଦେଖିବାକୁ ମିଳିଥିଲା । ଏହି ଦୁଇଟି ମାମଲାରେ ଦୁର୍ବୁତ୍ତମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ପିସ୍ତଲ ଧରି ଭୟଭୀତ କରି ଫେରାର ହୋଇଜାଇଥିଲେ ।ଦୁଇଟି ଡକାୟତ ଘଟଣାର ପ୍ରାୟ ୧୫ ଦିନ ବିତି ଜାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିପାରି ନାହିଁ, ବାରମ୍ବାର ଚୋରି ଘଟୁ ଥିବାରୁ ପେଟ୍ରୋଲିଂ କଡାକଡି କରିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।


