ଗୃହମନ୍ତ୍ରୀ ଅମିତ ଶାହାଙ୍କ କ୍ଷମା ପ୍ରାର୍ଥନା ଓ ଇସ୍ତଫା ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ତରଫରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ରବିବାର ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ଏ.ଜି. ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଆସିଥିଲା । ଯୁବ କଂଗ୍ରେସର କର୍ମୀମାନେ ଛାତିରେ ଆମ୍ବେଦକରଙ୍କ ଫଟୋ ମାରିଥିଲେ, ଯେଉଁଥିରେ ଲେଖାଥିଲା ‘ମେରେ ଦିଲ୍ ମେ ହୈ ଆମ୍ବେଦକର’ ଏବଂ ‘ବାବା ସାହେବ କା ୟେ ଅପମାନ ନେହିଁ ସହେଗା ହିନ୍ଦୁସ୍ତାନ’ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରତିମୂର୍ତ୍ତି ତଳେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ସେଠାରେ ଉପସ୍ଥିତ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ କହିଥିଲେ ଯେ, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ବିଜେପି ଏବଂ ଏନ୍‌ଡ଼ିଏ ସରକାରର ଅସଲ ମନୋଭାବ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମୁହଁରେ ପ୍ରକଟିତ ହୋଇଛି । ଆମ୍ବେଦକରକୃତ ସମ୍ବିଧାନ ପାଇଁ ଭାରତର ପ୍ରତ୍ୟେକ ନାଗରିକ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସକ୍ଷମ ହୋଇଛନ୍ତି । ଧନୀ, ଦରିଦ୍ର, ଉଚ୍ଚନୀଚ୍ଚ ସମସ୍ତ ବର୍ଗଙ୍କ ପାଇଁ ଗୋଟିଏ ଆଇନ ବା ଗୋଟିଏ ସମ୍ବିଧାନ ପ୍ରଣୟନ ପଛରେ ବାବା ସାହେବଙ୍କର ପ୍ରମୁଖ ଭୂମିକା ରହିଛି । ଯାହାଙ୍କର ଅବଦାନ ପାଇଁ ଖୋଦ୍ ଅମିତ ଶାହା ନିଜେ ମଧ୍ୟ ସଂସଦରେ ସଦସ୍ୟ ହେବା ସହ ଭାରତବର୍ଷରେ ଗୃହମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି, ସେହି ଆମ୍ବେଦକରଙ୍କୁ ହତାଦର କରିବା ଏକ ଅକ୍ଷମଣୀୟ ଅପରାଧ । ସଂସଦରେ ଆମ୍ବେଦକରଙ୍କ ନାମକୁ ବାରମ୍ବାର ଉଚ୍ଚାରଣ କରିବାକୁ ଶାହା ଉଚିତ ମନେ କରନ୍ତି ନାହିଁ, ବରଂ ଭଗବାନଙ୍କ ନାମ ସେତିକି ଥର ଧରିଲେ ସ୍ୱର୍ଗରେ ପହଁଞ୍ôଚବ ବୋଲି ପରାମର୍ଶ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।ଅମିତ ଶାହାଙ୍କ ଏହି ବକ୍ତବ୍ୟ ସାରା ଦେଶବାସୀଙ୍କୁ ବ୍ୟଥିତ ଓ ଚକିତ କରିଛି । ରାଷ୍ଟ୍ର ନିର୍ମାଣରେ ଯେଉଁ ମହାପୁରୁଷ ମାନଙ୍କର ପ୍ରମୁଖ ଭୂମିକା ରହିଛି, ସେମାନଙ୍କୁ ଅପମାନିତ କରିବା, ସେମାନଙ୍କ ବିରୁଦ୍ଧରେ ମିଥ୍ୟା କାହାଣୀ ରଚନା କରିବା ବିଜେପିର ଧର୍ମ । ଗାନ୍ଧୀ, ଆମ୍ବେଦକର, ନେହେରୁଙ୍କ ଅବଦାନକୁ ବିଜେପି ଓ ଶାହା ସବୁବେଳେ ନ୍ୟୁନ ମନେ କରୁଛନ୍ତି । ଏଥିପାଇଁ ଯୁବ ଓ ଛାତ୍ର ସମାଜ ତାଙ୍କୁ କେବେ ବି କ୍ଷମା ଦେବେନି । ଅଗଣିତ ଯୁବକ ଓ ଛାତ୍ର ସଂଗଠନ, ମହିଳା ସଂଗଠନ ଏବଂ ସମସ୍ତ ବର୍ଗର ଲୋକେ ବିଜେପି ଏବଂ ଅମିତ ଶାହାଙ୍କ ଏହି ଅହଙ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । ଆମ୍ବେଦକର ହେଉଛନ୍ତି ଗରିବ, ନିଷ୍ପେସିତ, ଅତ୍ୟାଚାରିତ, ଅବହେଳିତ, ଉପେକ୍ଷିତମାନଙ୍କର ତ୍ରାଣକର୍ତ୍ତା । ତେଣୁ ଏ ଦେଶ ଓ ଜାତି ନିକଟରେ ସେ ଚିର ନମସ୍ୟ । ବିଜେପି ଓ ଶାହା ଯେତେ ଚେଷ୍ଟା କଲେ ବି ଆମ୍ବେଦକରଙ୍କ ଭଳି ଜନନାୟକଙ୍କ ଅବଦାନ ଏବଂ ବ୍ୟକ୍ତିତ୍ୱକୁ ନ୍ୟୁନ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ବିନା କାରଣରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇ ତାଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି । ସଂସଦରେ ରାହୁଲ ଗାନ୍ଧୀ ଠେଲିଦେବା, ପଡ଼ିଯାଇ ମୁଣ୍ଡ ଫାଟିବା ଏବଂ ଏଥିପାଇଁ ଡାକ୍ତରଖାନା ଆଇସିୟୁରେ ଚିକିତ୍ସିତ ହେବା ପରିଣତ ବୟସରେ ପ୍ରତାପ ଷଡ଼ଙ୍ଗୀଙ୍କ ମିଛ ଅଭିନୟକୁ ଶ୍ରୀ ନୱାଜ ତୀବ୍ର ନିନ୍ଦା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ଦାସ, ମନୋଜ ବିଶ୍ୱାଳ, ଉଦିତ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା, ଗୋପନ ମାର୍ଥା, କେଦାର ଦଳେଇ, ମହମ୍ମଦ ପରଭେଜ, ମୀର୍ଜା ଇସଲାମ ବେଗ, ମାନସ ଆଚାର୍ଯ୍ୟ, ସତ୍ୟଜିତ ପଟ୍ଟନାୟକ, ବିଭୂ ପ୍ରସାଦ ଜେନା, ବିଶ୍ୱଭୂଷଣ ମହାପାତ୍ର, ଶାହାରୁକ ଖାନ, ସକୁନା କଅଁର, ନିଆଜୁଲ ଇସଲାମ, ମହମ୍ମଦ ସମିଉଲ, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ରଜନୀ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ମାନସ ମହାନ୍ତି, ମହମ୍ମଦ ତାକୁୱିନ, ଶୁଭମ ରାଜ, ଚନ୍ଦନ ସାହୁ, ସିଦ୍ଧାନ୍ତ ଓମ୍ ପ୍ରକାଶ, ତାପସ ଦେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ