ଗୃହରକ୍ଷୀମାନଙ୍କ ସମସ୍ୟା ସମାଧାନ ଦାବିରେ ଜିଲ୍ଲା କମିଟି ବୈଠକ
ବାଲେଶ୍ୱର,(,(ଯୁଗାବ୍ଦ ନ୍ୟୁଜ୍୍) ୍ର): ନିଖିଳ ଉକ୍ରଳ ଗୃହରକ୍ଷୀ ମହାସଂଘର ବାଲେଶ୍ୱର ଜିଲ୍ଲା କମିଟି କର୍ମକର୍ତ୍ତାମାନଙ୍କର ଏକ ଜରୁରୀ ବୈଠକ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନା ଅଧିନରେ ଦୀର୍ଘବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ୟ କରିଥିବା ଗୃହରକ୍ଷୀମାନଙ୍କୁ ପୁନଃନିଯୁକ୍ତି ନଦେଇ ନୂତନ ଗୃହରକ୍ଷୀ ନିଯୁକ୍ତିକୁ ବୈଠକରେ ଦୃଢ଼ ବିରୋଧ କରାଯାଇଛି । ପୁନଃନିଯୁକ୍ତିପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ମୁଖ୍ୟ ଦପ୍ତରର ଆଦେଶକୁ ଜିଲ୍ଲା ଗୃହରକ୍ଷୀ ଅଧିକାରୀ କାର୍ଯ୍ୟକାରୀ କରୁନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଭାରତସରକାରଙ୍କ ଗୃହରକ୍ଷୀ ଡାଇରେକ୍ଟର ଜେନେରାଲ୍, ଫାୟାର ସର୍ଭିସ୍, ସିଭିଲ୍ ଡିଫେନ୍ସ ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ରାଜ୍ୟର ଗୃହରକ୍ଷୀମାନଙ୍କ ସମସ୍ୟା ସମାଧାନ ପାଇଁ ଗତ ତା ୧୧-୦୪-୨୦୧୮ରିଖରେ ଦେଇଥିବା ଆଦେଶକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁନଥିବାରୁ ରାଜ୍ୟବ୍ୟାପୀ ଗୃହରକ୍ଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ରାଜ୍ୟ ସରକାର ଅନ୍ୟରାଜ୍ୟମାନଙ୍କରେ ଗୃହରକ୍ଷୀମାନେ ପାଉଥିବା ସୁବିଧାସୁଯୋଗ ଯଥା ମାସିକ ବେତନ ଓ ଛୁଟି ପ୍ରଦାନ ପ୍ରଭୃତିକୁ ବିଚାରକୁ ନେବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇଛି । ମହାସଂଘର ଉପସଭାପତି କାଳିଚରଣ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ପ୍ରଦୀପ ରାଉତ, ସୁବାସ ଚନ୍ଦ୍ର ଭୂୟାଁ, ଏଲ୍. ଜେନା, ୟୁ. ମହାନ୍ତ ଓ ବିଶ୍ୱନାଥ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଶ୍ରମିକନେତା ତଥା ଆଇନଜୀବି ଭାଗବତ ପ୍ରତିହାରୀ ଗୃହରକ୍ଷୀମାନେ ନିଜର କର୍ତ୍ତବ୍ୟ ସହ ନିଜର ହକ, ଦାବିହାସଲ ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ରାଧା ଜେନା ଧନ୍ୟବାଦ ଦେଇଥିଲେ ।