ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରିବ ବିଜେପି
ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍): ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଇଛି । ଯାହାକୁ ନେଇ ଜନ ଅସନ୍ତୋସ ବଢିବାରେ ଲାଗିଛି । ଦିର୍ଘ ଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧି ମାନଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନିତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ । ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉନଥିବା ଅଭିଯୋଗ କରିଛି ବିଜେପି । କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜିବନ ଜିବୀକା ପାଇଁ ସଂଘର୍ଷ କରୁଥିବା ବେଳେ ବିଏମସିର ଗୃହ ଟିକସ ବୃଦ୍ଧି ଲୋକଙ୍କୁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ଏହାକୁ ପୂର୍ବରୁ ଗୃହ ଟିକସ ବୃଦ୍ଧି ସମୟରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତମାନ ପ୍ରଶାସନିକ ଅଧିକାରୀ ମାନେ କୌଣସି କଥାକୁ ଭୃକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଛା ମୁତାବକ ଲୋକଙ୍କ ଉପରେ ଟିକସ ଭାର ଲଦିଦେଛନ୍ତି । ତେବେ ରାଜସ୍ୱ ଆଦାୟ ଆଳରେ ବିଏମସି ଏଭଳି ପଦକ୍ଷେପ ନେଉଥିବା ବେଳେ ଯାହାକି ଅମାନବୀୟ ସ୍ୱେଚ୍ଛାଚାରିତାର ନିଚ୍ଛକ ଉଦାହରଣ ବୋଲି ବିଜେପି ନେତା କାହ୍ନୁ ଚରଣ ପତି ମତ ରଖିଛନ୍ତି । ଏବଂ ସେ କହିଛନ୍ତି ଯେ ବିଏମସିର ଅଧିକାରୀ ବଦଳିଲେ ନିୟମ ମଧ୍ୟ ବଦଳୁଛି । ସହରର ଉନ୍ନତି ସକାଶେ ବିଏମସି ପକ୍ଷରୁ ପ୍ରତିଘରୁ ଟିକସ ଆଦାୟ କରାଯାଉଥିବା ବେଳେ ସହରରେ ସେହିଭଳି କିଛି ଆଖି ଦୃଷ୍ଟିଆ ଉନ୍ନତି ପରିଲିକ୍ଷିତ ହେଉନି । ଏବଂ ଯାହା ସବୁ ହୋଇଛି ସେସବୁ ଏବେ ଖତ ଖାଇବାରେ ଲାଗିଲାଣି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ କାର୍ଯ୍ୟକ୍ରମ ଚାଏ ପେ ଚର୍ଚ୍ଚାର ପଂଚମ ଦିନରେ ବଡ ବଜାର ସ୍ଥିତ ଖାସ୍ପା ସାହି ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ଚା ଖଟିରେ ସାଧାରଣ ଲୋକେ ସାମିଲ ହୋଇ ବ୍ରହ୍ମପୁରରେ ଗୃହ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବାକୁ ବିଜେପି ନେତା ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ । ତେବେ ଆଗାମୀ ଦିନରେ ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର ନହେଲେ ଏନେଇ ବିଏମସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପତି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ ।