ଗୋଟିଏ ଦିନରେ ରାଜ୍ୟରେ ୧୦୨ କରୋନା ପଜିଟିଭ୍
ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରେ ଶହେରୁ ଊର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ ୧୦୧ ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି ଥରେ ଆଜି ରାଜ୍ୟରେ ଗୋଟିଏ ଦିନରେ ୧୦୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ୧୦୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୩୧, ଜଗତସିଂହପୁରର ୨୩, ଭଦ୍ରକରୁ ୨୧, କେନ୍ଦ୍ରାପଡାରୁ ୮, କଟକରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୨, ବାଲେଶ୍ବର ୨, ସମ୍ବଲପୁର ଦୁଇ ଓ ନୟାଗଡରୁ ଜଣେ ରହିଛନ୍ତି। ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଥିବାବେଳେ ଆକ୍ଟିଭ୍ କେସ୍ ୬୯୬ ରହିଛି । ୨୭୭ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ରହିଛନ୍ତି ବୋଲି ସୂଚନା ରହିଛି । ଗଞ୍ଜାମରୁ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ଗୋଟିଏ ବି ରୋଗୀ ଚିହ୍ନଟ ହୋଇନାହାନ୍ତି । ସୂଚନାଯୋଗ୍ୟ ଗଞ୍ଜାମରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରହିଛି । ଏଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୯ ଜଣ ସୁସ୍ଥ ହୋଇଛନ୍ତି ।


