ଗୋଆ ସରକାରରେ ସଙ୍କଟ

ଗୋଆ(ଏଜେନ୍ସି): ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍ଜିପି) ୩ ବିଧାୟକଙ୍କ ମଧ୍ୟରୁ ୨ବିଧାୟକ ମନୋହର ଅଜଗାଓଁକର ଓ ଦୀପକ୍ ପାୱାସ୍କର ବିଜେପିରେ ଯୋଗ ଦେଇଛନ୍ତି । ଏଥିସହ ୪ଠସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୨ରୁ ୧୪କୁ ବୃଦ୍ଧିପାଇ କଂଗ୍ରେସର ସମକକ୍ଷ ହୋଇଛି । ଏପର୍ଯ୍ୟନ୍ତ ଗୋଆରେ କଂଗ୍ରେସ ସର୍ବବୃହତ ଦଳ ରହିଥିଲା । ଏମିତି ଏକ ପରିସ୍ଥିତିରେ ଏମ୍ଜିପିର ଏକମାତ୍ର ବିଧାୟକ ସୁଦୀନ୍ ଧାବଲିକର୍ଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଦିଆଯାଇଛି । ଧାବଲିକରଙ୍କ ଦାୟିତ୍ୱରେ ଥିବା ପରିବହନ ଏବଂ ଲୋକ କଲ୍ୟାଣ ମନ୍ତ୍ରାଳୟ ଏବେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଅଧୀନରେ ରହିବ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟପାଳ ମୃଦୁଳା ସିଂହଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଏମ୍ଜିପି ପ୍ରତିକ୍ରିୟାଶୀଳ ହୋଇପଡିଛି । ବିଜେପି ନିଜ ସହଯୋଗୀ ଦଳ ସହ ଷଡଯନ୍ତ୍ର କରିଥିବା ଏମ୍ଜିପି ଅଭିଯୋଗ କରିବା ସହ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛି । ଏପରିକି ଦଳ କଂଗ୍ରେସ ସହିତ ହାତ ମିଳାଇବାକୁ ଧମକ ଦେଇଛି ।
ପ୍ରକାଶ ଯେ, ବିଜେପି ନେତୃତାଧୀନ ରାଜ୍ୟ ସରକାରଙ୍କ ପ୍ରତି ୨ଠ ବିଧାୟକଙ୍କର ସମର୍ଥନ ରହିଛି ଓ ସେମାନଙ୍କ ମଧ୍ୟରେ ୩ ଜଣ ନିର୍ଦ୍ଦଳୀୟ ସଦସ୍ୟ ଅଛନ୍ତି । ତେବେ ଆଜିର ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ କଂଗ୍ରେସ ଏକ ପ୍ରେସ୍ ବିବୃତ୍ତିିରେ କହିଛି, ବିଜେପିର ଯେତେସବୁ ଅଂଶୀଦାର ଦଳ ରହିଛନ୍ତି ସେମାନଙ୍କ ପାଇଁ ବିଜେପି କେତେ କ୍ଷତିକାରକ, ତାହା ଏଥିରୁ ସ୍ପଷ୍ଟ ହୋଇଛି । ସରକାରକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଜେପି ନିଜ ଅଂଶୀଦାର ଦଳର ବିଧାୟକଙ୍କୁ ନେବା ପାଇଁ ଅର୍ଥକାରବାର କରିଥିବା କଂଗ୍ରେସ ଅଭିଯୋଗ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ