ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଆହ୍ୱାନ ଦେଲେ ଅମିତ ଶାହ ନୂଆଦିଲ୍ଲୀ
ଆଜି ଜାତୀୟ ହିନ୍ଦୀ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶାହ । ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ । ଅମିତ ଶାହ ଟୁଇଟ୍ କରି ଆଜି ଉଲ୍ଲେଖ କରିଛନ୍ତି ଭାରତରେ ବିଭିନ୍ନ ଭାଷାଭାଷୀର ଲୋକ ରୁହନ୍ତି । ପ୍ରତ୍ୟେକ ଭାଷାର ମହତ୍ୱ ଏବଂ ଗୁରୁତ୍ୱ ରହିଛି । କିନ୍ତୁ ଦେଶର ଗୋଟିଏ ଭାଷା ରହିବା ଆବଶ୍ୟକ, ଯାହାକି ବିଶ୍ୱରେ ଭାରତକୁ ପରିଚିତ କରାଇବ ବୋଲି ସେ କହିଛନ୍ତି । ଆଜି ଯଦି ସାରା ଦେଶକୁ କୌଣସି ଗୋଟିଏ ଭାଷା ଏକଜୁଟ କରିପାରିବ ତାହା ହେଉଛି ହିନ୍ଦୀ ଭାଷା ବୋଲି ଶାହ କହିଛନ୍ତି । ତେଣୁ ହିନ୍ଦୀ ଦିବସ ଅବସରରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ମାତୃଭାଷାକୁ ଗୁରୁତ୍ୱ ଦେବା ସହିତ ହିନ୍ଦୀ ଭାଷାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ । ଏହି ଅବସରରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ମଧ୍ୟ ଟୁଇଟ୍ କରି ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ଭାଷା ହିଁ ଦେଶକୁ ଏକତ୍ରିତ କରି ପାରିଛି ବୋଲି ସେ କହିଛନ୍ତି । ହିନ୍ଦୀ ଦିବସ ପ୍ରତ୍ୟେକ ବର୍ଷ ୧୪ ସେପ୍ଟେମ୍ବରରେ ପାଳିତ ହୁଏ । କାରଣ ଏହି ତାରିଖରେ ସମ୍ବିଧାନ ହିନ୍ଦୀ ଭାଷାକୁ ଜାତୀୟ ଭାଷା ଭାବରେ ମାନ୍ୟତା ଦେଇଥିଲା । ସୂଚନାଯୋଗ୍ୟ, ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା କରିବା ନେଇ ଦକ୍ଷିଣ ରାଜ୍ୟ ଗୁଡ଼ିକ ବିରୋଧ କରିଆସୁଛନ୍ତି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା ନେଇ ବିରୋଧ କରି ଆସୁଛନ୍ତି ।


