ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ ; ବିଳମ୍ବିତ ରାତିରେ ଆକ୍ରମଣ
ପୋଲିସର ମାଡ଼ ପ୍ରତିବାଦରେ ଗ୍ରାମବାସୀଙ୍କ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ଗାଁ ରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ ଏବଂ ସଂଘବଦ୍ଧ ଆକ୍ରମଣ ପୋଲିସ ର କାର୍ଯ୍ୟାନୁଷ୍ଠାନ ପରେ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ କରିଥିଲେ l ପ୍ରକାଶ ଯେ, ଦଣ୍ଡପଦର ଗାଁର ହରିହର ନାୟକକୁ ଗତ ଚାରିବର୍ଷ ହେଲା ଦଣ୍ଡପଦର ଗ୍ରାମବାସୀ ଜମି ବାଡି଼କୁ କେନ୍ଦ୍ରକରି ସାମାଜିକ ବାସନ୍ଦ କରି ନିଆଁ ପାଣି ମନା କରିଥିଲେ,ଏପରିକି ଯିଏ ହରିହରଙ୍କ ପରିବାର ସହିତ ମିଳାମିଶା କରିବ କିମ୍ୱା କଥାବାର୍ତ୍ତା କରିବ ତାକୁ ଜୋରିମାନା ଦଣ୍ଡର ବ୍ୟବସ୍ଥା କରିଛି ଗ୍ରାମ୍ୟ କମିଟି l ଏନେଇ ହରିହର ବାଲିଗୁଡା ଥାନାର ଦ୍ୱାରସ୍ଥ ପରେ ଉଭୟ ପକ୍ଷ ରାଜିନାମା ହୋଇଥିଲେ କିନ୍ତୁ ପୂର୍ବ ଭଳି ଏକଘରିକିଆ ଭାବେ ରଖିଥିବା ଅଭିଯୋଗ କରିଛନ୍ତି ହରିହର l ସୋମବାର ଦିନ କୌଣସି କଥାକୁ କେନ୍ଦ୍ରକରି ଗଣ୍ଡଗୋଳ ସୂତ୍ରପାତ ହେବାରୁ ବିଳମ୍ବିତ ରାତିରେ ଶହେରୁ ଉର୍ଦ୍ଧ ଗ୍ରାମବାସୀ ମାରଣାସ୍ତ୍ର ଧରି ହରିହରଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ଜୀବନରେ ମାରିଦେବାକୁ ଯୋଜନା କରୁଥିବା କହିଛନ୍ତି ହରିହର l ପ୍ରାଣ ବିକଳରେ ହରିହରଙ୍କ ପୁଅ ଅମର ବାଲିଗୁଡା ଥାନାକୁ ଜଣାଇଥିଲେ l ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା ବେଳେ ପୋଲିସ ଉପରକୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିଲେ ପରେ ପୋଲିସ ଅଧିକ ସଂଖ୍ୟକ ଫୋର୍ସକୁ ନେଇ ବାସନ୍ଦ ପରିବାର କୁ ଉଦ୍ଧାର ବେଳେ କିଛି ଉତ୍ୟକ୍ତ ଲୋକଙ୍କୁ ମାଡ ମାରିଥିଲା l ପୋଲିସ ମାଡ ରେ ଚାରିଜଣ ଆହତ ହୋଇଥିବା ସୂଚନା ମିଳିଛି l ପୋଲିସ ନିରୀହ ଲୋକଙ୍କୁ ମାଡ଼ ମାରିଥିବା ପ୍ରତିବାଦ କରି ଗ୍ରାମ୍ୟ କମିଟି ସମେତ ଗାଁ ର ଶତାଧିକ ପୁରୁଷ ମହିଳା ଯୁବକ ମାନେ ୫୯ ନଂ.ଜାତୀୟ ରାଜପଥକୁ ଅବରୋଧ କରି ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ l ଖବର ପାଇ ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା l ଏପଟେ ବାସନ୍ଦ ପରିବାର ଭୟ ଓ ଆତଙ୍କରେ ଅଜ୍ଞାତ ସ୍ଥାନରେ ଥିବା ଜଣାପଡିଛି l ସୁରକ୍ଷା ପାଇଁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି ଓ ଆକ୍ରମଣ କାରୀଙ୍କୁ ପୋଲିସ ଚିହ୍ନଟକରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହରିହର ଦାବୀ କରିଛନ୍ତି l


