ଗୋଡଭଙ୍ଗା ଗ୍ରାମରେ ନିର୍ବାଚନୀ ହିଂସା: ୭ଆହତ

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ସାଧାରଣ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବୋଲଗଡ ବ୍ଲକ ଅନ୍ତର୍ଗତ ୧ନଂ ବୁଥର ଗୋଡଭଙ୍ଗା ଗ୍ରାମରେ ମଙ୍ଗଳବବାର ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ଉଭୟ ଶାସକ ବିଜେଡି ଓ ବିରୋଧି କଂଗ୍ରେସ ମଧ୍ୟରେ ସଂଘର୍ଷ ଘଟିବାରୁ ୨୫ ନଂ ଜୋନ୍ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ୫ଜଣ ଆହତ ହୋଇଛନ୍ତି । ଗ୍ରାମରେ ଉତ୍ତେଜନା ଲାଗି ରହିଛି । ପୁଲିସ ପଇଁତରା ମାରୁଛି ।
ଘଟଣାରୁ ପ୍ରକାଶ ଯେ, ଭୋଟ ଗ୍ରହଣ ଚାଲିଥିବାବେଳେ ଦିନ ୧୨ଟାରେ ୨୫ନଂ ଜୋନ୍ର କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ଛୋଟରାୟ ନିଜଗ୍ରାମ ଗୋଡଭଙ୍ଗାସ୍ଥ ୧ନଂ ବୁଥକୁ ଭୋଟଦେଇ ଫେରୁଥିବାବେଳେ ତାଙ୍କ ଗ୍ରାମର ଭାଲୁଆ ଶତ୍ରୁଜିତ୍ ବାଟରେ ଅଟକାଇ ଶ୍ରୀ ଛୋଟରାୟଙ୍କୁ ମାଡ ମାରିଥିଲେ । ଏସଂକ୍ରାନ୍ତରେ ଶ୍ରୀ ଛୋଟରାୟ ଗାଁରେ ଜଣାଇବାରୁ ତାଙ୍କ ସମର୍ଥକ ସଂଘବଦ୍ଧଭାବେ ଏକଜୁଟ୍ ହୋଇଥିଲେ । ଏସଂକ୍ରାନ୍ତରେ ଖବରପାଇ ବିଜେଡିର କର୍ମୀମାନେ ମୁହାଁମୁହିଁ ହେବାରୁ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା । ଏଥିରେ ବିଜେଡି ଦଳର ଆର୍ତ୍ତବନ୍ଧୁ ପରିଡା ଓରଫ ଭୂଷଣ(୬୫), ସଞ୍ଜୟ ପରିଡା(୪୫), ଜଳଧର ପରିଡ଼ା(୫୨), କିଶୋର ପରିଡା(୩୫) ଆହତ ହୋଇଥିବାବେଳେ କଂଗ୍ରେସ ଦଳର ନିଳମଣୀ ପ୍ରଧାନ(୬୬) ଆହତ ହୋଇଥିଲେ । ଏମାନଙ୍କୁ ଚିକିତ୍ସାପାଇଁ ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଓ ଅଟୋରେ ଆଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ସଞ୍ଜୟ ପରିଡା ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିଳମଣୀ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସଂକ୍ରାନ୍ତରେ ଉଭୟ ପକ୍ଷରୁ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଗ୍ରାମରେ ପଞ୍ଚାୟତ ନିର୍ବାଚନ ପରଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବହୁବାର ଛକାପଞ୍ଝା ଓ ଗଣ୍ଡଗୋଳ ହୋଇଥିବା ନେଇ ଥାନାରେ ଅଭିଯୋଗ ରହିଛି । ଆଗାମୀ ଦିନରେ ଏକ ବଡଧରଣର ସଂଘର୍ଷ ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଗୋବର୍ଦ୍ଧନପୁର ଫାଣ୍ଡି ଅଧିନରେ ଉକ୍ତ ଗ୍ରାମଟି ଥିଲାବେଳେ ଦିର୍ଘଦିନ ଧରି ଫାଣ୍ଡି ଅଧିକାରୀ କେହି ନଥିବାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି । ସୂଚନାଯୋଗ୍ୟ ଗୋଡଭଙ୍ଗା ରାଜନୈତିକ ହିଂସାକୁ ବାଦ ଦେଲେ ବ୍ଲକରେ ଶାନ୍ତିପର୍ଣ୍ଣଭାବେ ମତଦାନ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ