ଗୋଦଡା ହାଣେ ଯେତେ ମାଡେ ସେତେ;ରାଜପଥ ନିର୍ମାଣ ପାଇଁ ନିଶ୍ଚିହ୍ନ ହୋଇଗଲା ଜଳନିଷ୍କାସନ ପଥ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କଥାରେ ଅଛି ଗୋଦଡା ମାଡେ ଯେତେ ହାଣେ ସେତେ ଅର୍ଥାତ ଗୋଦଡା ଲୋକଟେ ବିଲ ଯେତିକି ହାଣେ ସେତିକି ମାଡିଦିଏ । ଏହି କଥା ପ୍ରସଙ୍ଗରେ ଆମେ ପ୍ରଗତିର ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତ ପକ୍ଷେ ଅନେକ ଜାଗାରେ ନିଜର ଅଗୋଚରରେ ଅବନୀତି ହୋଇ ଚାଲିଥାଏ । ଘଟଣା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ୧୬ନଂ ଜାତୀୟ ରାଜପଥର ଦୀର୍ଘଦୁଇବର୍ଷ ହେବ ପ୍ରସସ୍ତିକରଣ କାର୍ଯ୍ୟ ଚାଲିଛି । ପ୍ରାୟ ୧ବର୍ଷ ମଧ୍ୟରେ କାମ ସରିବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି । ସେ ଯାହାବି ହେଉ କାମ ସରିବାକୁ ସ୍ଥଳ ବିଶେଷରେ ପ୍ରାୟ ୩୦ରୁ ୪୦ଭାଗ ବାକିଥିବାବେଳେ ରାଜପଥ ନିର୍ମାଣ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାକୁ ଏଯାଏଁ କେହି ଦୃଷ୍ଟି ଦେଉନାହାଁନ୍ତି । ବ୍ଲକର ସୁଦୂର ଆଖୁଆପଦା ପୋଲ ଠାରୁ ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ଯାଏଁ ଜଳ ନିଷ୍କାସନ ପଥ ଡ୍ରେନେଜ ନାଳଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ବର୍ଷାଦିନେ ଏହି ଡ୍ରେନେଜ ନାଳଦେଇ ମଞ୍ଜୁରୀରୋଡ ଠାରୁ ଆରମ୍ଭ କରି ଆଖୁଆପଦା, ଯଶୋଟିକିରି, ନେରଡା, ତେସିଙ୍ଗା ପ୍ରମୁଖ ଅଞ୍ଚଳର ଉଦ୍ଧୃତ ଜଳ ନିଷ୍କାସିତ ହୋଇଥାଏ । ଏପରିକି ସାମାନ୍ୟ ବର୍ଷା ଯୋଗୁ ଉକ୍ତ ଅଞ୍ଚଳର ହଜାରହଜାର ହେକ୍ଟର ଚାଷଜମି ବୁଡିଯାଉଥିବାବେଳେ ପ୍ରାୟ ୧ସପ୍ତାହ ଧରି ଡ୍ରେନେଜ ନାଳରେ ଜଳ ନିଷ୍କାସନ ହୋଇଥାଏ । ଯେଉଁଥିପାଇଁ ଶହଶହ ଚାଷୀ ଏହି ନାଳ ଉପରେ ନିର୍ଭର କରି ଖରିଫ ଧାନଚାଷ କରିଥାଆନ୍ତି । ପରିତାପ ବିଷୟ ଜାତୀୟ ରାଜପଥ କତ୍ତୃପକ୍ଷ କିମ୍ବା ନିର୍ମାଣକାରୀ ସଂସ୍ଥା ଚାଷୀମାନଙ୍କ ସମସ୍ୟାକୁ ଭୃକ୍ଷେପ ନକରି ରାସ୍ତା ପ୍ରଶସ୍ତି୍ିକରଣ ପାଇଁ ପ୍ରାୟ ୧୨କିମି ଯାଏଁ ସମ୍ପୂର୍ଣ୍ଣ ଡ୍ରେନେଜ ନାଳଟିର ୮୦ଭାଗ ପୋତିଦେଇଛି । ନୂତନ ଜଳ ନିଷ୍କାସନ ପଥ ନିର୍ମାଣ ନକରି ପୂର୍ବକୃତ ନାଳଟିକୁ ପୋତିଦେବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡି ରହିବ ଏଥିରେ ସନ୍ଦେହ ନାହିଁ । ଏହାଛଡା ତେସିଙ୍ଗା, ରାମଚନ୍ଦ୍ରପୁର, ନେରଡା ପ୍ରମୁଖ ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟ ରାସ୍ତା ମଧ୍ୟ ଧୋଇଯାଇ ନଷ୍ଟ ହୋଇଯିବା କିଛି ଅସମ୍ଭବ ନୁହଁ । ପୂର୍ବରୁ ନାଳ ଥିବାବେଳେ ମଧ୍ୟ ଲୋକମାନେ ଜଳନିଷ୍କାସନ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ନାଳଟି ସମ୍ପୂର୍ଣ୍ଣ ପୋତିହୋଇଯିବା ଯୋଗୁ ଅସୁବିଧା ଯେ କେତେ ହୋଇଯିବ ତାହା ଏବେ କହିବା ମୁସ୍କିଲ । ଏନେଇ ଜିଲ୍ଲା ସ୍ତରୀୟ ଯୋଜନା ଓ ସମ୍ବନ୍ୱୟ ବୈଠକରେ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ କୌଣସି ପ୍ରଶ୍ନ ନଉଠାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେ ଯାହାବି ହେଉଁ ଆସନ୍ତା ବର୍ଷା ଦିନ ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପୋତିଦେଇଥିବା ନାଳ ପରିବର୍ତ୍ତେ ଅନ୍ୟଏକ ନୂତନ ଡ୍ରେନେଜ ନାଳ ସୃଷ୍ଟି ନକରନ୍ତି ତେବେ ହଜାର ହଜାର ଚାଷୀ ନିଜ ଜୀବନ ଜୀବିକା ହରାଇବେ ଏଥିରେ ସନ୍ଦେହ ନାହିଁ । ଏଥିପ୍ରତି ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ହୋଇଛି ।


