ଗୋପଳଗାଁ ସାଇ ମନ୍ଦିରରେ ଶ୍ରୀ ଗୁରୁ ଭାଗବତ ପାରାୟଣ
ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ଗୋପାଳ ଗାଁ ଶିରିଡ଼ି ସାଇ ମନ୍ଦିର ‘ସାଇଧାମ’ରେ ଶ୍ରୀ ଗୁରୁ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ‘ଓମ୍ ଶ୍ରୀ ଶିରିଡି ସାଇ ମହିମା ସଂସ୍ଥାନ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ବାରିପଦା ସାଇ ମନ୍ଦିର ଓ ଖନ୍ତାପଡା ସାଇ ମନ୍ଦିର କମିଟିର ମିଳିତ ସହଯୋଗରେ ଏହି ପାରାୟଣ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁଁ ଦୀର୍ଘଦିନ ଧରି ସାଇ ମନ୍ଦିରରେ ସାଧାରଣ ପ୍ରବେଶ ଉପରେ କଟକଣା ଜାରି ରହିଥିବା ବେଳେ ଶ୍ରଦ୍ଧାଳୁମାନେ ଶିରିଡି ସାଇ ଭଗବାନଙ୍କ ପୂଜାର୍ଚ୍ଚନା ପାଇଁ ବଞ୍ଚିତ ହୋଇଥିଲେ । କଟକଣା କୋହଳ ପରେ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ପରାମର୍ଶକ୍ରମେ ସମସ୍ତ ସାଇ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହି ପାରାୟଣ ଆୟୋଜିତ ହୋଇଥିଲା । ଏଥିରେ କଟକ ଜିଲା ଗୋପାଳପୁରର ଶ୍ରୀ ଗୁରୁ ଭାଗବତ ଟୁଙ୍ଗୀର ମୁଖ୍ୟ ରୀତା ରୟ ଯୋଗଦେଇ ଶ୍ରୀ ଗୁରୁ ଭାଗବତ ପାରାୟଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଶ୍ରଦ୍ଧାଳୁମାନଙ୍କୁ ବୁଝାଇଥିଲେ । ଗୋପାଳଗାଁ ସମେତ ସହରର ବିଭିନ୍ନ ଅଞ୍ଚଳରୁ ବହୁ ସାଇଭକ୍ତ ଏହି ପାରାୟଣରେ ଯୋଗ ଦେଇଥିଲେ । ନିରୋଧ ମହାନ୍ତି, ପ୍ରଶାନ୍ତ ମହାନ୍ତି, ଅମର ମହାନ୍ତି, ନିକୁଞ୍ଜ ମହାନ୍ତି, ଡାକ୍ତର ବିରଞ୍ଚି ମହାନ୍ତି, ଚିତ୍ତରଞ୍ଜନ ଓଝା, ଅଭୟ ମହାପାତ୍ର, ଶ୍ୱେତ ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


