ଗୋପାଳପୁର ଠାରେ ଅନୁଷ୍ଠିତ ହେବ କାର୍ତ୍ତିକ ପୁର୍ଣିମା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡିଶାର ପରମ୍ପରା ଓ ଧର୍ମୀୟ ଭାବନା ସହିତ ଅଙ୍ଗାଙ୍ଗି ଭାବେ ଜଡିତ । ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ଇତିହାସ ଦୃଷ୍ଟି କୋଣରୁ ଏହାର ବୈଶିଷ୍ଟ୍ୟତା ରହିଆସିଛି । ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟ।ୟ । ପ୍ରାକୃତିକ ପରିବେଶ କଳିଙ୍ଗର ନାବିକ ମାନଙ୍କୁ ନୌଚାଳନରେ କୁଶଳତା ଓ ପାରଦର୍ଶୀତା ଲାଭ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା । ବହୁ ନଦ ନଦୀ ଦ୍ଵାରା କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନ ପାଇଁ ବିଶେଷ ଅନୁକୂଳ ଥିଲା। ଲହରିମାଳା ସମୁଦ୍ରର ରହସ୍ୟମୟ ଆହ୍ଵାନ ସାଧବ ପୁଅଙ୍କୁ ସମୁଦ୍ର ବକ୍ଷରେ ବୋଇତ ମେଲି ଦରିଆ ପାରି ପାଇଁ ପ୍ରେରଣା ଯୋଗାଇ ଥିଲା । ସେହି ସ୍ମୃତି ସାଉଁଟିବା ସକାଶେ ଏବଂ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ। କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଚଳିତ ମାସ ୧୫ ତାରିଖ ଦିନ ଗୋପାଳପୁର ବେଳାଭୂମିର ମୁହାଣ ସ୍ଥିର ଜଳ ଭାଗରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସୂତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଗତ କରାଇ ଥିଲେଯେ ପାରମ୍ପରିକ ରିତିରେ ଏହି ମହୋତ୍ସବ ଆମ ସ୍ମୃତି ସାଉଁଟିବା ସକାଶେ ଏବଂ ଓଡିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ଏହି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ହେବ । ଏଥିରେ ସମସ୍ତ ଜନସାଧାରଣ , ସାମ୍ବାଦିକ , ପ୍ରଶାସନିକ ଅଧିକାରୀଗଣ ସମ୍ପୂର୍ଣ ସହଯୋଗ କଲେ ଉତ୍ସବଟି ସାଫଲ୍ଯ ମଣ୍ଡିତ ବୋଲି ଆଶା ପୋଷଣ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାର ତଥା ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଧେଶକ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ରବି ନାରାୟଣ ବେହେରା କରାଯିବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଏହି ଉତ୍ସବ ଗୋପାଳପୁର ମହୋତ୍ସବ ମଞ୍ଚ ନିକଟରେ ରହିଥିବା ମୁହାଣ ସ୍ଥିର ଜଳରେ ବୋଇତା ବନ୍ଦାଣ କରାଯିବ । ଦୁଇ ଗୋଟି ନଉକା ବୋଇତ ଆକାରରେ ସଜାଯାଇ ସାଧବ ପୁଅ,ସାଧବ ବୋହୁ, ତଅପୋଇର କାହାଣୀକୁ ଆଧାରିତ ହୋଇ ଅନୁଷ୍ଠିତ ହେବ। ଓଡିଶାର ମାନ୍ୟବର ବାଣିଜ୍ୟ, ପରିବହନ , ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବେ । ଏଥି ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନାଙ୍କ ତତ୍ତ୍ବାବଧାନରେ ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥିଲା ତାହାକୁ ଆଧାର କରି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଥିବା ଜଣାପଡିଛି । ପ୍ରାତଃ ୩ ଘଟିକା ସମୟ ଠାରୁ ସକାଳ ୪ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ସୁନାମଧନ୍ଯ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ। ସକାଳ ୫ ଘଟିକା ସମୟରେ ସମ୍ମବେତ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ସାଧବ ପୁଅ,ସାଧବ ବୋହୁ, ତଅପୋଇର କାହାଣୀର ଚରିତ୍ରଙ୍କ ଗହଣରେ ଏହି ଉତ୍ସବ ହେବ । ମା ମଙ୍ଗଳାଙ୍କ ଆଳତି, ମା ଗଙ୍ଗାଙ୍କ ଆଳତୀ , ବିଜୟ ତିଲକ , ଶଙ୍ଖ ବାଦ୍ୟ, ହୁଳହୁଳି ,ଆତସ ବାଜି ଦ୍ଵାରା ଏହା ଆୟୋଜନ ହେବ ଏବଂ ଏହା ସହ ସ୍ମରଣିକା “ତଅପୋଇ” ଉନ୍ମୋଚିତ ହେବ । ସକାଳ ୭ ଘଟିକା ଠାରୁ ଚିତ୍ତାକର୍ଷକ ଲୋକନାଟକ ରାମାୟଣ କାହାଣୀ ରାମଲୀଳା ପରିବେଷଣ ସହିତ ସେହି ସମୟରେ ଝିଅ, ମା, ଭଉଣୀ ମାନଙ୍କ ଦ୍ଵାରା ଝୋଟି ଚିତା ଓ ହୁଳହୁଳି , ଓଡିଆଣୀ ବେଶ, ଓଡିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗୀତା ଆୟୋଜନ ହେବ। ଏହି ପ୍ରତିଯୋଗୀତା ସକାଳ ୭ଟା ସମୟ ମଧ୍ୟରୁ ରୁ ୮ ଘଟିକା ମଧ୍ୟରେ ଏକ ସମୟରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ନିମନ୍ତେ ଇଛୁକ ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ । ସକାଳ ୧୦ ଘଟିକା ସମୟରେ ପ୍ରତି ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ୧୦ ଘଟିକା ୩୦ ମିନିଟ ସମୟ ଠାରୁ ଉକ୍ତ ସ୍ଥାନରେ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଓ ଗଞ୍ଜାମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ଗବେଷକ ଗଣ ସେମାନଙ୍କ ଆଲୋଚନା ରଖିବେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ଯାରେ ଯୋଗଦାନ କରିବା ନିମନ୍ତେ ଜନସାଧାରଣଙ୍କୁ ନେବେଦନ କରାଯାଇଅଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି , ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ନିମନ୍ତେ ପୋଲିସ ମୁତ୍ତୟନ , ପରିମଳ ,ସଫେଇ ଓ ପାନୀୟ ଜଳ, ବିଦ୍ୟୁତ ଯୋଗାଣ , ଅଗ୍ନିଶମ ନିରାପତ୍ତା , ସ୍ମରଣିକା , ବୋଇତା ପ୍ରସୂତି , ପ୍ରତିଯୋଗୀତା ଆୟୋଜନ, ମାଜିଷ୍ଟେଟ, କର୍ମଚାରୀ ଓ ଅଧିକାରୀ ମୁତ୍ତୟନ ଇତ୍ୟାଦି ଆଲୋଚନା କରାଯାଇଥିଲା । ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରାବଣ କୁମାର ବିବେକ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଠି , ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗିର, ମହାନଗର ନିଗମ କମିଶନର ଭବାନୀ ମିଶ୍ର,ସହକାରୀ ନିର୍ଦ୍ଧେଶକ ମତ୍ସ ବିଭାଗ , ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ,କେ. ଜାନକୀରାମ , ,ଗୋପାଳପୁର, ଡି.ପି.ସି ,ମିଶନ ଶକ୍ତି,TPSODL , ଗୋପାଳପୁର ବନ୍ଦର ଅଧିକାରୀ, ଉଚ୍ଚଶିକ୍ଷା ବିଭାଗୀୟ ଆଞ୍ଚଳିକ ସମସ୍ତ ସମ୍ପୂର୍କ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ