ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କର୍ସ ୟୁନିୟନର ବାର୍ଷିକ ସାଧାରଣ ସଭା, ନୂତନ କର୍ମକର୍ତ୍ତା ଗଠନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଏ.ତୋଟାପଲ୍ଲୀ ଗ୍ରାମର ବ୍ୟାଘ୍ରଦେବୀ ମନ୍ଦିର ନିକଟ ଏକ ପଡିଆ ଠାରେ ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କର୍ସ ୟୁନିୟନର ବାର୍ଷିକ ସାଧାରଣ ସଭା ବରିଷ୍ଠ ସଦସ୍ୟ ଇଶ୍ୱର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁନିୟନର ସଂପାଦକ କେଶବ ନାହାକ ବିଗତ ବର୍ଷ ଗୁଡିକର ବିଭିନ୍ନ କାର୍ଯ୍ୟ ରିପୋର୍ଟ ଏବଂ ୟୁନିୟନ୍ର ସୁବିଧା ଅସୁବିଧା ସମ୍ବନ୍ଧରେ ବିବରଣୀ ରଖିଥିଲେ । ୟୁନିୟନ୍କୁ ପରିଚାଳନା କରିବା ସକାଶେ ଉକ୍ତ ବୈଠକରେ ୟୁନିୟନର ଦୁଇ ତୃତୀୟାଂଶ ସଭ୍ୟ ଉପସ୍ଥିତ ରହି ୨୧ ଜଣିଆ କମିଟି ସମେତ ଏକ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ୟୁନିୟନର ସଭାପତି ଭାବେ ଚିଙ୍କାରା ବେହେରା, ସମ୍ପାଦକ କେଶବ ନାହାକ, ଉପସଭାପତି ଏନ୍.କୃଷ୍ଣମୂର୍ତ୍ତୀ ରେଡ୍ଡୀ ଓ ଇଶ୍ୱର ଖୁଣ୍ଟିଆ, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ ଓ ଗୋବିନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ନରେନ୍ଦ୍ର ବେହେରା, ଆଇନ ପରାମର୍ଶଦାତା ଡି.ଆଦିନାରାୟଣ ରେଡ୍ଡୀ, ସିପିଆଇର ଚମାଖଣ୍ଡି, ଛତ୍ରପୁର ଓ ଗଞ୍ଜାମ ଜୋନ୍ ସଂପାଦକଙ୍କ ସମେତ ନୀଳକଣ୍ଠ ଦାଶଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ଏନେଇ ଆଜି ଅପରାହ୍ନରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ୟୁନିୟନ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶ୍ରୀ ନାହାକ ସୂଚନା ଦେଇଛନ୍ତି । ନୂତନ ଭାବେ ଗଠନ ହୋଇଥିବା କମିଟି ୟୁନିୟନ୍ର ବିଭିନ୍ନ ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ଗୋପାଳପୁର ପୋର୍ଟ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସିପିଆଇ ଚମାଖଣ୍ଡି ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ,ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ରବି ମହାପାତ୍ର, ଆଦିକନ୍ଦ ପାତ୍ର, ଗୁରୁନାଥ ପ୍ରଧାନ, ମଥୁରା ଚରଣ ସୁବୁଦ୍ଧି, ଭାଗିରଥୀ ପ୍ରଧାନ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍.କ୍ରିଷ୍ଣା ରେଡ୍ଡୀ, ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।