ଗୋପାଳପୁର ବନ୍ଦରରେ ପଞ୍ଜିକୃତ ଶ୍ରମିକଙ୍କୁ ମିଳୁନାହିଁ କାମ; ୟୁନିୟନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗୋପାଳପୁର ବନ୍ଦରରେ ପଞ୍ଜିକୃତ ଶ୍ରମିକମାନଙ୍କୁ କାମ ମିଳୁନଥିବା ନେଇ ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କର୍ସ ୟୁନିୟନ୍ (ଏଆଇଟିୟୁସି) ପକ୍ଷରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷତ କରି ଶ୍ରମିକମାନଙ୍କୁ କିପରି ତୁରନ୍ତ କାମ ଯୋଗାଇ ଦିଆଯିବା ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଛି । ଏଥିସହ ୟୁନିୟନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ବନ୍ଦରରେ କାମ ଯୋଗାଇ ଦିଆନଗଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଓ ଅନଶନ ଦିଆଯିବ ବୋଲି ୟୁନିୟନ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଏକ ତ୍ରିପାକ୍ଷିକ ବୈଠକର ଆୟୋଜିତ କରି ଶ୍ରମିକମାନଙ୍କ ମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କର୍ସ ୟୁନିୟନ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ବନ୍ଦରରେ ବାର୍ଷିକ ଲକ୍ଷ ଲକ୍ଷ ମେଟ୍ରିକ୍ଟନ୍ ଆମଦାନୀ ଓ ରତ୍ପାନୀ ହେଉଛି । କିନ୍ତୁ ଶ୍ରମିକମାନଙ୍କୁ କାମ ମିଳୁନାହିଁ । ଏହି ସମ୍ବନ୍ଧରେ ବାରମ୍ବାର ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଏଭଳିକି ଧାରଣା, ସଭା ଓ ବିକ୍ଷୋଭ ଆଦି ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅତିଶୀଘ୍ର ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । କାମ ନଥିବା ଯୋଗୁଁ ଶ୍ରମିକମାନେ (ଇଏସଆଇ) ଓ (ଇପିଏଫ୍)ରୁ ବଞ୍ଚିତ ହେଉଛନ୍ତି । ବନ୍ଦର ଶ୍ରମିକମାନେ ବର୍ଷ ବର୍ଷ ଧରି କାମ ନ ପାଇ ଗାଁ ଛାଡି ଦେଶାନ୍ତର ହେବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ କୋଭିଡ୍-୧୯ ଲାଗି ବାହାର ରାଜ୍ୟରୁ ଶ୍ରମିକମାନେ ଫେରି କାମ ଅନ୍ୱେଷଣରେ ବୁଲୁଛନ୍ତି ଓ ଭୋକ ଉପାସରେ ଛଟପଟ ହେଉଛନ୍ତି । ଏହି ପରିସ୍ଥିତିରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଓ ଏହା ଯେପରି କାର୍ଯ୍ୟକାରୀ ହେବ ସେଥିପ୍ରତି ପଦକ୍ଷେପ ନେବାକୁ ୟୁନିୟନ୍ ନେତୃବୃନ୍ଦ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ୟୁନିୟନ୍ ସଭାପତି ପ୍ରଶାନ୍ତ କୁମାର ପାଟଯୋଶୀ, ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ଓବଂ ସିପିଆଇର ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


