ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ର ଲକ୍ଷ୍ୟରେ ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଚିତ୍ତରଞ୍ଜନ ବାହିନୀପତି, ସ୍ତ୍ରୀ ଓ ପ୍ରସୂତି, ଔଷଧ ଏବଂ ଶିଶୁବିଭାଗର ୬ ଜଣ ଡାକ୍ତର ଏବଂ କାଲିପଲ୍ଲୀ ପଞ୍ଚାୟତ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ସମିତି ସଭ୍ୟ ବିକାଶ କୁମାର ବେହେରା ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ଚିକିତ୍ସା ଇତ୍ୟାଦି ମାଗଣାରେ ଯୋଗାଇଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରାୟତଃ ୩୦୦ ରୁ ଉର୍ଦ୍ଧ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ଠାରୁ ବିଭିନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ପୋର୍ଟର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ । ନିକଟରେ ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ବବୋଧ କାର୍ଯକ୍ରମରେ ଏକ ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦଘାଟନ କରାଯାଇଥିଲା । ଗୋପାଳପୁର ବନ୍ଦର କତୃପକ୍ଷ ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସର୍ବଦା ବଦ୍ଧପରିକର ବୋଲି ଗୋପାଳପୁର ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।