ଗୋପାଳପୁର ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ସ୍ଥାନୀୟ କଳା ଅନୁଷ୍ଠାନ ଚୟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ପରିବେଷଣ ହେବାକୁ ଥିବା ଜିଲ୍ଲାର ସ୍ଥାନୀୟ ଅନୁଷ୍ଠାନର କଳାକାର ମାନଙ୍କୁ ସୁଯୋଗ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୟନ ପ୍ରକ୍ରିୟା ଚାଲିଛି । ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ସୋମବାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାିଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡା ଦ୍ୱୟ ଏହି ଚୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସ୍କୃତିକ କମିଟିର ସଭ୍ୟ ଭାବେ’ ପୂର୍ବତନ ସହକାରୀ ନିର୍ଦ୍ଦେଶକ’ ସଂସ୍କୃତି ବିଭାଗ,କୃଷ୍ଣଚନ୍ଦ୍ର ନିଶଙ୍କ,ଅନିଲ କୁମାର ପାତ୍ର,ଡ: ମିହିର କୁମାର ତ୍ରିପାଠୀ,ନାରାୟଣ ମହାଙ୍କୁଡ ରହି ଏହି ଚୟନ ପ୍ରକ୍ରିୟାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଥାଉକି ସ୍ଥାନୀୟ କଳାକାରଗଣ କିଭଳି ବହୁ ସଂଖ୍ଯାରେ ବେଳାଭୂମି ମହୋତ୍ସବରେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ସେଥି ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗୁରୁତ୍ବ ଦେଇଛନ୍ତି । ପୂର୍ବରୁ ଆବେଦନ କରିଥିବା କଳା ଅନୁଷ୍ଠାନର ଦଳଗତ ନୃତ୍ୟ ପରିବେଷଣ କରିବା ସକାଶେ ଅନୁଷ୍ଠିତ ଏହି ଚୟନ ନିମନ୍ତେ ଆବେଦନ ପତ୍ର ଦେଇ ଥିବା ସମୁଦାୟ ୯୨ ଗୋଟି ଅନୁଷ୍ଠାନ ମଧ୍ୟରୁ ଆଜି ପ୍ରଥମ ଦିନରେ ୩୮ ଗୋଟି ଦଳର ଚୟନ ହୋଇଛି । ଆସନ୍ତା କାଲି ମଙ୍ଗଳବାର ଦିନ ଅନ୍ୟ ଦଳ ମାନଙ୍କର ଚୟନ ହେବ । ମଙ୍ଗଳବାର ଦିନ ପୂର୍ବରୁ ଆବେଦନ କରି ନଥିବା ଅନୁଷ୍ଠାନ ଗୁଡିକ ମଧ୍ୟ ଆବେଦନ କରି ଚୟନ ସକାଶେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଉପସ୍ଥିତ ହୋଇ ପାରିବେ । ଅନୁଷ୍ଠାନ ଗୁଡିକ ପୂର୍ବରୁ ପରିବେଷଣ କରିଥିବା ନୃତ୍ୟର ରେକର୍ଡିଂ ଭିଡିଓ ନିଜ ସାଥିରେ ଆଣିବାକୁ କୁହାଯାଇଛି । ଚୟନ ହେବା ପରେ ଅନୁଷ୍ଠାନ ଗୁଡିକୁ ଗୋପାଳପୁର ବେଳାଭୂମି ମହେତ୍ସବ, ବ୍ରହ୍ମପୁର ଠାରେ ଆସନ୍ତା ଜାନୁୟାରୀ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା ମହୋତ୍ସବ ଏବଂ ଛତ୍ରପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ପରିବେଷଣ କରିବା ସକାଶେ ସୁଯୋଗ ପାଇବେ । ଜିଲ୍ଲାର ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଇଚ୍ଛୁକ ସେମାନେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଚୟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ସୁଯୋଗ ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ