ଗୋପିନାଥପୁର-ହରିପୁର ସାଳନ୍ଦୀ ନଦୀ ଉପରେ ବିଜୁସେତୁ ପାଇଁ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର-ହରିପୁରକୁ ସଂଯୋଗ କରୁଥିବା ସାଳନ୍ଦୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ସ୍ଥାନୀୟ ମହାସଂଘ, ଜନପ୍ରତିନିଧି, ଅଧିବାସୀ ମାନେ ଦାବୀ କରିଆସୁଛନ୍ତି । ପ୍ରଥମେ ତତ୍କାଳୀନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦଙ୍କ ଠାରେ ଲିଖିତ ଦାବୀ କରାଯାଇଥିଲା । ସାଳନ୍ଦୀ ସଂସ୍କାର ଯୋଜନାରେ ଏହି ସ୍ଥାନରେ ଏକ ସେତୁ ନିର୍ମାଣ ପାଇଁ ସାଂସଦ ପଦକ୍ଷେପ ନେଇଥିଲେ । ବିଭାଗୀୟ ଅଧିକାରୀ ନଦୀ ଭିତରେ ମୃତ୍ତିକା ପରୀକ୍ଷା କରାଇଥିଲେ । କିନ୍ତୁ ପରେ ସାଳନ୍ଦୀ ସଂସ୍କାର ଯୋଜନା ଅର୍ଥ ସରି ଯିବାରୁ ସେତୁ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରିନଥିଲା । ପରେ ପୁନର୍ବାର ଗୋପିନାଥପୁରରେ ମହିଳା ମହାସଂଘର ବାର୍ଷିକ ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ତଥା ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯୋଗ ଦେବା ଅବସରରେ ଗୋପିନାଥପୁର-ହରିପୁରକୁ ସଂଯୋଗ କରୁଥିବା ନଦୀ ଉପରେ ଏକ ବିଜୁସେତୁ ନିର୍ମାଣ ପାଇଁ ଦାବୀ କରାଯାଇଥିଲା । ତତ୍କାଳୀନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଏହି ଦାବୀକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଉକ୍ତ ସ୍ଥାନରେ ଏକ ବିଜୁସେତୁ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ଚଳିତ ପଞ୍ଚାୟତ ନିର୍ବାଚନ ପରେ ଗୋପିନାଥପୁର ପଞ୍ଚାୟତରୁ ବନ୍ତ ପଞ୍ଚାୟତ ସମିତିକୁ ଅଧ୍ୟକ୍ଷ, ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ, ବଡମହିଷଗୋଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ଲକ ଯୁବବିଜେଡି ସଭାପତି ଦାୟୀତ୍ୱରେ ରହିବା ପରେ ଗୋପିନାଥପୁର-ହରିପୁରକୁ ସଂଯୋଗ କରୁଥିବା ସାଳନ୍ଦୀ ନଦୀ ଉପରେ ଏକ ବିଜୁସେତୁ ନିର୍ମାଣ ପାଇଁ ବିଧାୟକ ତ୍ୱରିତ ପଦକ୍ଷେପ ନେଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅଶାର ଆଲୋକ ସଂଚାର କରିଛି । ଏହି ସେତୁ ନିର୍ମାଣ ହେଲେ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବା ସହିତ ବଡସନ୍ଦାଡୋ, ସାନସନ୍ଦାଡୋ, ଘଣ୍ଟଗଢିଆ, କୁଆଁସମଢିଆ, ବଡମହିଷଗୋଠ, ନରାଜପୁର ପ୍ରଭୃତି ୩୦ ଗ୍ରାମର ଲୋକେ ଉପକୃତ ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ସୁବିଧା ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।


