ଗୋବରା ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା ହୋଇଥିବା ନେଇ ଅଭିଯୋଗ ଆଣିଲେ ସମିତିସଭ୍ୟ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତିର ଏକ ଗୁରୁତ୍ଵପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଅଧିବେଶନରେ ଗୋବରା ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା ହୋଇଥିବା ନେଇ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ଅଭିଯୋଗ କରିବା ପରେ ଅଧିବେଶନଟି ଖୁବ୍ ସରଗରମ୍ ହୋଇଥିଲା I ସମିତି ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ, ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଅଧିବେଶନର ପ୍ରାରମ୍ଭିକ ପର୍ଯ୍ୟାୟରେ ଗତ ଅଧିବେଶନର ବିବରଣୀ ପାଠ କରାଯାଇଥିଲା I ଏହି ଅବସରରେ ବିଭିନ୍ନ ପଂଚାୟତରୁ ଆସିଥିବା ଜନ ପ୍ରତିନିଧି ମାନେ ନିଜ ନିଜ ପଂଚାୟତରେ ଥିବା ସମସ୍ୟା ଗୁଡ଼ିକ ଉପସ୍ଥାପନ କରିଥିଲେ I ଗୋବରା ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା ହେବା ସହିତ ୪୫ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ମିଳିନଥିବା ନେଇ ଅଭିଯୋଗ ଆଣିବା ସହ କ୍ଷୋଭ ପ୍ରକାଶ କରିଥିଲେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା I ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ମୃତ ବ୍ୟକ୍ତିଙ୍କ ପରିବାରକୁ ବ୍ୟକ୍ତି ମୃତ୍ୟୁ ହେବାର ୨୪ ଘଣ୍ଟା ଭିତରେ ମିଳିବା ପାଇଁ ସରକାରୀ ନିର୍ଦ୍ଦେଶକ ରହିଥିଲେ ମଧ୍ୟ ଗୋବରା ପଂଚାୟତରେ ଏହି ଅର୍ଥ ମାସ ମାସ ଧରି ମିଳିନଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ନେଇ ପ୍ରକାଶ କରିଥିଲେ ସମିତିସଭ୍ୟ ଶ୍ରୀ ଜେନା I ଏନେଇ ସାତ ଦିନ ମଧ୍ୟରେ ସଂପୃକ୍ତ ହିତାଧିକାରୀଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ କରିବାକୁ ବିଡ଼ିଓ ଶ୍ରୀ ଶତପଥି ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି କ୍ଷତ୍ରୀୟବରପୁର ପଂଚାୟତର ପର୍ଶୁଲୁଣ୍ଡା ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିନଥିବା ନେଇ ସମିତିସଭ୍ୟ କୁଞ୍ଜବିହାରୀ ନାୟକ ଅଭିଯୋଗ କରିଥିଲେ I ଗ୍ରାମ୍ୟ ଜଳ ଯୋଗାଣ ପମ୍ପ୍ ଅପରେଟରମାନଙ୍କ ଦରମା ବୃ୍ଦ୍ଧି କରାନଗଲେ ସେମାନେ କାମ କରିପାରିବେ ନାହିଁଁ ବୋଲି ପ୍ରକାଶ କରୁଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ ବଡ଼ ବୋର୍ସିଂ ପଂଚାୟତ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର I ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ଯୋଗାଣ ହୋଇପାରୁନଥିବା ନେଇ ଅଭିଯୋଗ ଆଣିଥିଲେ ୪୯ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ I ଏଦିଗରେ ଆଗାମୀ ୧୫ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଶ୍ରୀ ଶତପଥୀ ଏବଂ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରତିଶୃ୍ତି ଦେଇଥିଲେ I ୪୮ ନମ୍ବର୍ ଜୋନ୍ ଜିଲ୍ଳାପରିଷଦ ସଭ୍ୟ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଣ ନିମନ୍ତେ ଦାବି କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ସ୍ଵାଇଁ ବହୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ର ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ତାଗିଦ୍ କରିବା ସହିତ ଜନ ପ୍ରତିନିଧି ମାନେ ଉପସ୍ଥାପନ କରିଥିବା ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଖୁବ୍ ଶ୍ରୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ବ୍ଳକ୍ ରେ ଚାଲିଥିବା ମନରେଗା କାର୍ଯ୍ୟକ୍ରମର ସ୍ଵଚ୍ଛତା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ଦିଗରେ ବିଡ଼ିଓ ଶ୍ରୀ ଶତପଥି ଗୁରୁତ୍ବ ଦେବା ସହିତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କର ସହଯୋଗ କାମନା କରିଥିଲେ I ପରିଶେଷରେ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ I