ଗୋବରୀନଦୀରେ ନିର୍ମାଣଧିନ ସେତୁ ଭୂଷୁଡିଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ରାସ୍ତାରୁ ଭିଡ କମାଇବା ଉଦେଶ୍ୟରେ ଗୋବରୀ ନଦୀର ଗୁଲନଗର ଚଟି ପୋଲ ନିକଟରୁ ଗରାପୁର କାଳୀମନ୍ଦିର ପର୍ଯ୍ୟନ୍ତ ଏକ ନୂତନ ବିକଳ୍ପ ବାଇପାସ ରାସ୍ତା ନିର୍ମାଣ ପାଇଁ ଏ.ଆର.ଏସ୍‌.ଏସ. କମ୍ପାନୀ କେନ୍ଦ୍ରାପଡା ପୂର୍ତ୍ତ ବିଭାଗରୁ ୨୩କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ କାର୍ଯ୍ୟାଦେଶ ନେଇଥିଲା । ଏହି କାର୍ଯ୍ୟାଦେଶ ମଧ୍ୟରେ ବାଇପାସ ରାସ୍ତାର ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖରେ ଏହି ସେତୁର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସର ଚାରି ବର୍ଷ ପରେ ୨୦୨୦ ମସିହା ଫେବୃୟାରୀ ୭ ତାରିଖରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ମସିହା ମାର୍ଚ୍ଚ ମାସ ୬ ତାରିଖରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେହି ସମୟ ପ୍ରାୟ ଏକ ବର୍ଷ ହେବ ଶେଷ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେତୁର ନିର୍ମାଣ କାର୍ଯ୍ୟ ଅଧା ମଧ୍ୟ ହୋଇନାହିଁ । ମଙ୍ଗଳବାର ସନ୍ଧ୍ୟାରେ ନିର୍ମାଣାଧିଣ ପୋଲର ଦୁଇଟି ଖୁଣ୍ଟ ଉପରକୁ ଉଠିଥିବା ପ୍ରାୟ ୩୬ମିଟର ଲମ୍ବ ସ୍ପାନଟି ବୁଧବାର ସକାଳେ ତଳକୁ ଖସିପଡିବା ଦ୍ୱାରା ଏହି ସେତୁ ପ୍ରତି ବିପଦ ଦେଖାଦେଇଛି । ଲୋକେ ହାତ ମାରିଲେ ସିମେଣ୍ଟ ଓ ବାଲି ସବୁ ସେହି ନିର୍ମାଣାଧିନ ପୋଲରୁ ଖସୁଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥରଲେବି ସେମାନେ ଫୋନ ନଧରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନି । ସେମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ଓ ମୋବାଇଲ ଫୋନ ଉଠାଇନଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅବଗତ ହେବାପରେ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିଲେ । ନିର୍ବାହୀ ଯନ୍ତ୍ରୀ ଇଂ ବେହେରା ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ଯେ ସେତୁର ଗୋଟିଏ ସ୍ପାନ ୨ଟି କ୍ରେନରେ ଦୁଇ ପାଖରୁ ତଳୁ ଉଠାଇବାବେଳେ କ୍ରେନ ଚାଳକଙ୍କ ମଧ୍ୟରେ ସମନ୍ୱୟ ନରହିବାରୁ ସ୍ପାନଟି ତଳକୁ ଖସିପଡିଥିଲା । ଏହାଦ୍ୱାରା କେହି ମୃତାହତ ହୋଇନଥିବାରୁ ଏହି ଘଟଣାର ତଦନ୍ତର ଆବଶ୍ୟକତା ନାହିଁ । ତେବେ ଏହି ସେତୁର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ଥିଲା ବୋଲି ବହୁପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ବିଭାଗୀୟ ଅଧିକାରୀମାନେ ସେହି ଅଭିଯୋଗ ଉପରେ ଗୁରୁତ୍ୱ ନଦେବାରୁ ସେତୁର ସ୍ପାନ ଗୁଡିକ ଅତି ନିମ୍ନମାନର ଥିବାଫଳରେ ଆଜି ଏଭଳି ଦୁର୍ଘଟଣା ଘଟିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୨୨ ମସିହା ମାର୍ଚ୍ଚ ମାସରେ ଶେଷ ହେବାପାଇଁ ଅବଧି ଥିବା ସତ୍ତ୍ୱେ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ବିଳମ୍ବ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସମ୍ପୃକ୍ତ ଠିକାଦାର ମନମୁଖୀ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଆସୁଛି । ତେଣୁ ସେତୁ ଭୁଷୁଡିବା ଏବଂ କେଉଁ ପରିସ୍ଥିତିରେ ସେତୁର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ କୈାଣସି ବିଭାଗୀୟ ଯନ୍ତ୍ରୀ ବା ସରକାରୀ ପ୍ରଶାସନିକ ଅଧିକାରୀ ପରିଦର୍ଶନ କରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ